ଖଣ୍ଡଗିରି: ସମ୍ପ୍ରତି ସମାଜରେ ଭଲ ଲୋକଙ୍କ ସଂଖ୍ୟା ଅଧିକ ନା ଖରାପ ଲୋକଙ୍କ ସଂଖ୍ୟା ଅଧିକ ବୋଲି ପ୍ରଶ୍ନ ଆସିଲେ, ସାଧାରଣତଃ ଗୋଟିଏ ଉତ୍ତର ଆସେ ‘ସେକାଳ ପଖାଳ ଆଉ ନାହିଁ’। ଖରାପ ଲୋକଙ୍କ ସଂଖ୍ୟା ବଢ଼ିଗଲାଣି। କିନ୍ତୁ ଏହି ଚିନ୍ତାଧାରା ବା ଆକଳନ ଭୁଲ୍‌। ଖରାପ ଲୋକଙ୍କ ତୁଳନାରେ ଭଲ ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ହିଁ ଏ ପୃଥିବୀ ତିଷ୍ଠିଛି। ଯଦି ଖରାପ ଲୋକଙ୍କ ସଂଖ୍ୟା ଅଧିକ ହୋଇଥା’ନ୍ତା, ଦୁନିଆ ବଞ୍ଚିବା ସମ୍ଭବ ହୋଇନଥା’ନ୍ତା। ମାତ୍ର ଗୋଟିଏ ବିଡ଼ମ୍ବନା ଯେ ବିପଦ ସମୟରେ ଭଲ ଲୋକମାନେ ଏକାଠି ହୋଇପାରୁନଥିବା ବେଳେ ଖରାପ ଲୋକମାନଙ୍କ ମେଳି ଖୁବ ଶୀଘ୍ର ହୋଇଯାଏ। ଖଣ୍ଡଗିରି ସାମାଜିକ ଯୁବ ସଙ୍ଗଠନର ପଞ୍ଚମ ବାର୍ଷିକ ଉତ୍ସବ ‘ସମାଜ ମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

Advertisment

ଏହି ଅବସରରେ ସେ ‘ସମାଜ ମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ’କୁ ପ୍ରଶଂସା କରି କହିଲେ ଯେ କର୍କଟ ରୋଗରେ ପୀଡ଼ିତ କୁନି ପିଲାଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଦାନ କରୁଥିବା ଲୋକଙ୍କ ସଂଖ୍ୟାରୁ ସ୍ପଷ୍ଟ ହେଉଛି ଯେ ସମାଜରେ ଭଲ ମଣିଷଙ୍କ ସଂଖ୍ୟା ଅଧିକ। ତେଣୁ ଏମିତି ଭଲ ଲୋକ ଏକାଠି ହୋଇ ଗରିବ ଓ ଅସହାୟ ଲୋକଙ୍କ ସହାୟତା ପାଇଁ କାମ କଲେ ସମାଜର ମଙ୍ଗଳ ହେବ ହିଁ ହେବ ବୋଲି ସେ କହିଥିଲେ। ଓଡ଼ିଶା ନାଗରିକ ମହାସଂଘର ସଭାପତି ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଏସିପି ବିଷ୍ଣୁ ପାତ୍ର, ଅଧ୍ୟାପକ ଜ୍ଞାନ ରଞ୍ଜନ ପଲେଇ, କର୍ପୋରେଟର ଅମରେଶ ଜେନା, ଅଶ୍ବିନୀ ସୁନ୍ଦରରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଚକ୍ଷୁ କର୍କଟ ରୋଗରେ ପୀଡ଼ିତ ୪ ବର୍ଷର ଶିଶୁ ରୋହନ ପ୍ରଧାନଙ୍କୁ ହୁଣ୍ଡିରୁ ମିଳିଥିବା ୨୩ ହଜାର ୭୫୬ଟଙ୍କା ଓ ରକ୍ତ କର୍କଟ ରୋଗରେ ପୀଡ଼ିତ ବାଳକ ସତ୍ୟନାରାୟଣ ସ୍ବାଇଁଙ୍କୁ ୨୪ ହଜାର ୪୯୭ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସସ୍ମିତା ଦାସ, ସ୍ତମ୍ଭକାର ବନ୍ଦନା ହରିଚନ୍ଦନ, ପ୍ରଯୋଜକ ଶ୍ରୀଧର ମାର୍ଥା, ଅଭିନେତା ମିଟୁ ମିଥୁନ, ସ୍ମୃତି ରଞ୍ଜନ ମହାନ୍ତି, ବାପି ମହାନ୍ତି, ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସଙ୍ଗଠନର ପ୍ରତିଷ୍ଠାତା ନାରାୟଣ ଓଝା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।