ୟୁଜିସି ନିର୍ଦ୍ଦେଶ ମାନୁନାହାନ୍ତି ରାଜଧାନୀର ଶିକ୍ଷାନୁଷ୍ଠାନ: ନାଁକୁ ମାତ୍ର ଆଣ୍ଟିରାଗିଂ ସେଲ୍‌

କାଗଜପତ୍ରରେ ଅଟକି ରହିଛି ନିୟମ

ଭୁବନେଶ୍ବର: ରାଗିଂ ରୋକିବାକୁ କେତେ କ’ଣ ଯୋଜନା। ଶିକ୍ଷାବର୍ଷ ଆରମ୍ଭରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଦେଶର ସମସ୍ତ ବିଶ୍ବବିଦ୍ୟାଳୟକୁ ଚିଠି ଲେଖି ଆଣ୍ଟିଂ-ରାଗିଂ ସେଲ୍‌ ଗଠନ କରିବାକୁ କହୁଛନ୍ତି। କ୍ୟାମ୍ପସରେ ବ୍ୟାପକ ସଚେତନତା, କ୍ୟାମ୍ପସର ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି ଲଗାଇବା, ୱେବସାଇଟ୍‌ରେ ଆଣ୍ଟି ରାଗିଂ କମିଟିର ନୋଡାଲ୍‌ ଅଫିସର୍‌ଙ୍କ ସମ୍ପୂର୍ଣ୍ଣ ଠିକଣା ଓ ଫୋନ୍‌ ନମ୍ବର ଆଦି ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଉଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଶିକ୍ଷାବର୍ଷ ପ୍ରାରମ୍ଭରେ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକୁ ଚିଠି ଲେଖାଯାଇ ରାଗିଂ ରୋକିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଉଛି। ମାତ୍ର ତାହା କେତେଦୂର କାର୍ଯ୍ୟକାରୀ ହେଉଛି, କେହି ଦେଖିବାକୁ ନାହିଁ। ଫଳରେ ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣାକୁ ନେଇ ରାଗିଂ ଅଭିଯୋଗ ଆସିବା ଯାଏ କଥା ଯାଇଛି। ମୃତା ରୁଚିକା ସୁଇସାଇଡ୍‌ ନୋଟ୍‌ରେ ଏହି ଅଭିଯୋଗ କଥା ଉଲ୍ଲେଖ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାଜଧାନୀର ଅଧିକାଂଶ ଡିଗ୍ରି କଲେଜ ୱେବସାଇଟ୍‌ରେ ଆଣ୍ଟିଂ ରାଗିଂ ସେଲ୍‌ ତଥ୍ୟ ହିଁ ନାହିଁ। କ୍ୟାମ୍ପସରେ ରାଗିଂ ରୋକିବାକୁ ଗଠନ ହୋଇଥିବା କମିଟିରେ କେଉଁମାନେ ସଦସ୍ୟ ରହିଛନ୍ତି, ସେନେଇ ବି ୱେବସାଇଟ୍‌ରେ ଉଲ୍ଲେଖ କରାଯାଇନାହିଁ। ଶିକ୍ଷାନୁଷ୍ଠାନଗୁଡ଼ିକ ବୈଦ୍ୟୁତିକ ମାଧ୍ୟମ, ଦୃଶ୍ୟଶ୍ରାବ୍ୟ ମାଧ୍ୟମ, ମୁଦ୍ରଣ କିମ୍ବା ଅନ୍ୟ କୌଣସି ଗଣମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ଏ ବିଷୟରେ ଅବଗତ କରାଇବାକୁ ୟୁଜିସି ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ଏଥିସହ ଆଣ୍ଟିରାଗିଂ ହେଲ୍ପଲାଇନ୍‌ ନମ୍ବର, ଅନୁଷ୍ଠାନର ସମସ୍ତ ଅଧିକାରୀଙ୍କ ନମ୍ବର ସହ ଅନୁଷ୍ଠାନର ମୁଖ୍ୟ, ସମସ୍ତ କଲେଜ ଅଧ୍ୟାପକ, ଆଣ୍ଟିଂ ରାଗିଂ କମିଟି ଓ ସ୍କ୍ବାଡ୍‌, ଜିଲ୍ଲା ଓ ସବ୍‌ଡିଭିଜନ୍‌ କର୍ତ୍ତୃପକ୍ଷ, ହଷ୍ଟେଲ ୱାର୍ଡେନ୍‌ ପ୍ରମୁଖଙ୍କ ନମ୍ବରକୁ ଶିକ୍ଷାନୁଷ୍ଠାନର ସୂଚନା ପୁସ୍ତିକା, ବ୍ରୋସିଅର୍‌, ପ୍ରସପେକ୍ଟସ୍‌ରେ ପ୍ରକାଶ କରିବାକୁ କୁହାଯାଇଛି। ମାତ୍ର ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ଏହାକୁ ଆଦୌ ପାଳନ କରୁ ନଥିବା ଦେଖିବାକୁ ମିଳିଛି। ରାଜ୍ୟର କୌଣସି ଏକ କ୍ୟାମ୍ପସରୁ ରାଗିଂ ଅଭିଯୋଗ ଆସିବା କ୍ଷଣି ଶିକ୍ଷାନୁଷ୍ଠାନଗୁଡ଼ିକ ତତ୍ପରତା ପ୍ରକାଶ କରିଥା’ନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପଦକ୍ଷେପ ନେଇଥାନ୍ତି। ମାତ୍ର ପରବର୍ତୀ ସମୟରେ ଯଥା ପୂର୍ବଂ, ତଥା ପରଂ।

ରାଗିଂ ତାଲିକାରେ କିଛି ନିର୍ଦ୍ଦିଷ୍ଟ ଘଟଣାକୁ ୟୁଜିସି ଚିହ୍ନଟ କରିଛି। ନବାଗତ ଛାତ୍ରଛାତ୍ରୀଙ୍କ ପ୍ରତି ସିନିୟର ଛାତ୍ରଛାତ୍ରୀଙ୍କ ଦ୍ବାରା ରୁକ୍ଷତା ବ୍ୟବହାର ପ୍ରଦର୍ଶନ, ଶାରୀରିକ କିମ୍ବା ମାନସିକ ଭାବେ ପ୍ରତିକୂଳାତ୍ମକ ପ୍ରଭାବ ପକାଇବା, ପିଲାଙ୍କ ଏକାଡେମିକ କାର୍ଯ୍ୟକଳାପରେ ପ୍ରତିରୋଧ, ବାଧା କିମ୍ବା ବିଶୃଙ୍ଖଳା ସୃଷ୍ଟି, ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀ ଦ୍ବାରା ନବାଗତ ଛାତ୍ରଛାତ୍ରୀ ଶୋଷଣର ଶିକାର, ନବାଗତ ଛାତ୍ରଛାତ୍ରୀଙ୍କୁ ବଳପୂର୍ବକ ଖର୍ଚ୍ଚ ବୋଝ ଲଦିବା କିମ୍ବା ଟଙ୍କା ଆଦାୟଜନିତ କୌଣସି କାର୍ଯ୍ୟରେ ଲିପ୍ତ କରାଇବା ଘଟଣାକୁ ରାଗିଂରେ ନିଆଯିବ। ଶାରୀରିକ ନିର୍ଯାତନାଜନିତ କୌଣସି ଏକ କାର୍ଯ୍ୟ ଯେପରିକି ଯୌନ ନିର୍ଯାତନା, ସମଲିଙ୍ଗୀ ସମ୍ଭୋଗ ପ୍ରବଣତାଜନିତ ଆଘାତ, ଶରୀର ଅନାବୃତ କରିବା, ଅଶ୍ଳୀଳ ଓ ଅଭଦ୍ର କାର୍ଯ୍ୟ, ଭଙ୍ଗୀ ଆଦି କରିବାକୁ ବାଧ୍ୟ କରିବା ଭଳି କୌଣସି ଘଟଣା ଆସିଲେ ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ।

ରାଗିଂ ଘଟଣାରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ବି ରହିଛି। ଆଣ୍ଟିଂ ରାଗିଂ ସ୍କ୍ବାଡ୍‌ର ସୁପାରିଶ ଆଧାରରେ ଦୋଷର ଗମ୍ଭୀରତାକୁ ବିଚାରକୁ ନେଇ ଅଭିଯୁକ୍ତ ଛାତ୍ର/ଛାତ୍ରୀଙ୍କୁ ଶ୍ରେଣୀରେ ଯୋଗଦାନ କିମ୍ବା‌ ଶିକ୍ଷାଗ୍ରହଣରୁ ବଞ୍ଚିତ କରିବା, ବୃତ୍ତି/ସ୍କଲାରସିପ୍‌ ଆଦି ସୁବିଧା ରଦ୍ଦ, ପରୀକ୍ଷାରେ ଭାଗ ନେବାରୁ ବଞ୍ଚିତ କରାଇବା, ପରୀକ୍ଷା ଫଳ ପ୍ରକାଶ ନ କରିବା, ଆଞ୍ଚଳିକ, ଜାତୀୟ, ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରୁ ଅଭିଯୁକ୍ତଙ୍କୁ ବଞ୍ଚିତ କରାଇବା, ହଷ୍ଟେଲରୁ ବଳପୂର୍ବକ ତଡ଼ିଦେବା, ନାମଲେଖା ବାଜ୍ୟାପ୍ତି କରିବା, ଏକରୁ ୪ ସେମିଷ୍ଟର ପର୍ଯ୍ୟନ୍ତ ଅନୁଷ୍ଠାନରୁ ବହିଷ୍କାର ପରି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଯଦି କୌଣସି କ୍ଷେତ୍ରରେ ରାଗିଂ ଘଟଣାରେ ସମ୍ପୃକ୍ତ ଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରା ନ ଯାଇପାରିବ, ସେକ୍ଷେତ୍ରରେ ଅନୁଷ୍ଠାନ ସାମଗ୍ରିକ ଭାବେ ଦଣ୍ଡବିଧାନ କରିବାର କ୍ଷମତା ରହିଛି।

ୟୁଜିସି ନିର୍ଦେଶ ଆଧାରରେ ରାଜ୍ୟର କେତେକ ପ୍ରମୁଖ ଶିକ୍ଷାନୁଷ୍ଠାନ ଯାହା ବି କିଛି ପଦକ୍ଷେପ ନେଇଛନ୍ତି ତାହା କେବଳ କାଗଜ କଲମରେ ସୀମିତ। ହଷ୍ଟେଲ ସୁପରିନ୍‌ଟେଣ୍ଡେଣ୍ଟ ଓ ୱାର୍ଡେନ୍‌ମାନେ ନିୟମିତ ଭାବେ ହଷ୍ଟେଲଗୁଡ଼ିକ ଗସ୍ତ କରିବାର ନିୟମ ଥିଲେ ମଧ୍ୟ ତା‌ହା ପାଳନ ହେଉନାହିଁ। ବିଜେବି କଲେଜ ଘଟଣା ଏହାର ସଦ୍ୟତମ ଉଦାହରଣ। ହଷ୍ଟେଲ କର୍ତ୍ତୃପକ୍ଷ ସିଧାସଳଖ ଛାତ୍ରୀମାନଙ୍କ ସଂସ୍ପର୍ଶରେ ଥିଲେ, ରୁଚିକାଙ୍କ କଥା ବୁଝିପାରିଥାନ୍ତେ ବା ରୁଚିକା ତାଙ୍କ ସମସ୍ୟା ମନ ଖୋଲି କହିପାରିଥାନ୍ତେ। କିନ୍ତୁ ସେଭଳି ସ୍ଥିତି ନଥିଲା ବୋଲି ତାଙ୍କ ମା’ ବିଦ୍ୟୁତ୍‌ପ୍ରଭା ବାରମ୍ବାର କହି ଆସୁଛନ୍ତି।

ସମ୍ବନ୍ଧିତ ଖବର