ଅଷ୍ଟମ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଉଦ୍‌ଯାପିତ

‘ମାତୃଭାଷାର ଉନ୍ନତିରେ ବିଶେଷ ଅବଦାନ ପାଇଁ ୧୩ ବିଶିଷ୍ଟ ବ୍ୟକ୍ତିତ୍ବ ସମ୍ମାନିତ’

ଖଣ୍ଡଗିରି: ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍‌ ‘ଦି ଇଣ୍ଟେଲେକ୍ଟସ୍’ ପକ୍ଷରୁ ଆୟୋଜିତ ଅଷ୍ଟମ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ସୋମବାର ଉଦ୍‌ଯାପିତ ହୋଇଯାଇଛି। ସଂଗଠନର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତଙ୍କ ଆବାହକତ୍ବରେ ଉଭୟ ପ୍ରତ୍ୟକ୍ଷ ଓ ୱେବିନାର୍‌ରେ ଅନୁଷ୍ଠିତ ଏହି ଭାଷା ମହାକୁମ୍ଭରେ ୬ଟି ଶାସ୍ତ୍ରୀୟ ଭାଷା ଓ ଅନ୍ୟ ଭାରତୀୟ ଭାଷାରୁ ୪୨ ବିଶେଷଜ୍ଞ ଦେଶବିଦେଶରୁ ଯୋଗ ଦେଇ ‘ମାତୃଭାଷା, ଶିକ୍ଷା ଓ ସ୍ବାଭିମାନ’ ଶୀର୍ଷକରେ ନିଜର ମତ ରଖିଥିଲେ।

ଉଦ୍‌ଯାପନୀ ଉତ୍ସବରେ ଖ୍ୟାତିସମ୍ପନ୍ନ ପାର୍ସି କବି ତଥା ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ଅକଲାକ ଆଲାନ, ଶୋଭିତ୍‌ ବିଶ୍ବବିଦ୍ୟାଳୟର କୁଳାଧିପତି କୁଁୱର ଶେଖର ବିଜେନ୍ଦ୍ର, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ତଥା ସାହିତ୍ୟିକ ବିଷ୍ଣୁପଦ ସେଠୀ, ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ବିଶିଷ୍ଟ କବି ଅମରେନ୍ଦ୍ର ଖଟୁଆ, ବିଶିଷ୍ଟ ଚିନ୍ତକ ଭଗବାନ ପ୍ରକାଶ, ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ଗୀତିକାର ଓ ପ୍ରଶାସକ ଦେବଦାସ ଛୋଟରାୟ, ଆଦିକବି ଶାରଳା ଦାସ ଚେୟାର୍‌ର ମୁଖ୍ୟ ପ୍ରଫେସର୍‌ ଉଦୟନାଥ ସାହୁ, ଓକାକ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁମିତା ରଥ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ମାତୃଭାଷା ସମ୍ପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା।

ଏହି ଅବସରରେ ଓଡ଼ିଆ ଭାଷାକୁ ସମୃଦ୍ଧ କରୁଥିବା ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ‘ପ୍ରବାସୀ ଭାଷା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଜୀବନବ୍ୟାପୀ ତ୍ୟାଗ ପାଇଁ ଡ. ରମାକାନ୍ତ ରଥଙ୍କୁ ‘ଆମ ଗୌରବ ସମ୍ମାନ’ ଓ ବିଶିଷ୍ଟ କଥାକାର ଗୌରହରି ଦାସଙ୍କୁ ଓଡ଼ିଆ ଭାଷାର ‘ସ୍ତମ୍ଭ ସାହିତ୍ୟ’ ସମ୍ମାନ ପ୍ରଦାନ କରାଯାଇଛି।

ଜର୍ମାନୀରୁ ଡ. ରାଜେନ୍ଦ୍ର ନାରାୟଣ ଦାସଙ୍କୁ ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟକୁ ପ୍ରବାସରେ ପ୍ରଚାର ଓ ପ୍ରସାର ପାଇଁ, ଇଂ ପ୍ରିୟବ୍ରତ ଦାସଙ୍କୁ ଓଡ଼ିଆ ଭାଷାରେ ବୈଦିକ ଭାବଧାରାକୁ ସାଧାରଣ ଜୀବନରେ ପହଞ୍ଚାଇବା ପାଇଁ, ଡ. ବିଜୟାନନ୍ଦ ସିଂଙ୍କୁ ସାରସ୍ବତ ସାଧନା ଓ ସାରସ୍ବତ ସଂଗଠନ ପାଇଁ, ପ୍ରଫେସର୍‌ ହରୀଶ ଚନ୍ଦ୍ର ମିଶ୍ରଙ୍କୁ ଓଡ଼ିଆରୁ ହିନ୍ଦୀ ଭାଷାରେ ଅନୁବାଦ କରିବାରେ ବିଶେଷ ଅବଦାନ, ଡ. କୈଳାସ ଚନ୍ଦ୍ର ଟିକାୟତରାୟଙ୍କୁ ଓଡ଼ିଆ ଭାଷା ବିଜ୍ଞାନ ପାଇଁ, ଗାୟକ ଶେଖର ଜଗନ୍ନାଥ ବେହେରାଙ୍କୁ ଓଡ଼ିଆ ଭାଷାକୁ ପାଲା ସଂସ୍କୃତି ମାଧ୍ୟମରେ ଲୋକପ୍ରିୟ କରିବା, ସୂର୍ଯ୍ୟ ଦେଓଙ୍କୁ ଓଡ଼ିଆ ଭାଷାର ପୁରାତନ ସଙ୍ଗୀତ, ଚଳଚ୍ଚିତ୍ର ତଥା ବିରଳ କୃତିକୁ ସରଂକ୍ଷଣ, ଓମ୍‌ପ୍ରକାଶ ମହାନ୍ତିଙ୍କୁ ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ବିଶେଷ ଅବଦାନ, ଶିକ୍ଷକ ଦ୍ବିତି ଚନ୍ଦ୍ର ସାହୁଙ୍କୁ ଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରଚାରପ୍ରସାର ପାଇଁ ପ୍ରବାସୀ ଭାଷା ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର