ଭୁବନେଶ୍ବର: ଏକାମ୍ର ପ୍ରକଳ୍ପ ଓ ଲିଙ୍ଗରାଜ ଆଇନକୁ ନେଇ ଆଜି ଶାସକ ଓ ବିରୋଧୀ ମୁହାଁ ମୁହିଁ ହୋଇଛନ୍ତି। ଏକାମ୍ର ବିଧାୟକ ବାବୁ ସିଂହ ଓ ପୂର୍ବତନ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ମଧ୍ୟରେ ବୟାନବାଜି ଦେଖିବାକୁ ମିଳିଛି। ବର୍ତ୍ତମାନ ଏକାମ୍ର ପ୍ରକଳ୍ପ କାମ ମାତ୍ର ୫% ହୋଇଛି ଏବଂ ଜମି ଅଧିଗ୍ରହଣ ନକରି ସାଧାରଣ ଲୋକଙ୍କୁ ନବୀନ ସରକାର ଠକିଛନ୍ତି। ଏଭଳି କହି ପୂର୍ବ ସରକାରଙ୍କ ଉପରେ ବିଧାୟକ ବାବୁ ସିଂହ ବର୍ଷିବା ପରେ ଚିହିଙ୍କି ଉଠିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ପଣ୍ଡା। ବିଧାୟକଙ୍କ ସ୍ମରଣ ଶକ୍ତି କମ୍ ଅଛି ବୋଲି କହି ସେ କଟାକ୍ଷ କରିଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାୟକ ଶ୍ରୀ ସିଂହ କହିଛନ୍ତି, ‘‘ପ୍ରଭୁ ଜଗନ୍ନାଥଙ୍କ ଆଇନ ପରି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପାଇଁ ମଧ୍ୟ ଆଇନ ପ୍ରଣୟନ କରାଯିବ। ଖୁବ୍ ଶୀଘ୍ର ଲିଙ୍ଗରାଜ ଆଇନ କାର୍ଯ୍ୟକାରୀ ହେବ। ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ହୋଇଛି। ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ବିଗତ ସରକାର ଏକାମ୍ର ପ୍ରକଳ୍ପ ଓ ଆଇନ ପାଇଁ କେବଳ କଥା କହୁଥିଲେ। ମୁଁ ସମୀକ୍ଷା କଲା ପରେ ଜାଣିଲି, ଏକାମ୍ର ପ୍ରକଳ୍ପର ମାତ୍ର ୫ ପ୍ରତିଶତ କାମ ହୋଇଛି। ଜମି ଅଧିଗ୍ରହଣ ଏଯାଏଁ ହୋଇନାହିଁ। ଯେଉଁମାନେ ଗୋଟିଏ ବର୍ଷ ବା ଦେଢ଼ ବର୍ଷରେ ପ୍ରକଳ୍ପ କାମ ସାରିବାକୁ କହୁଥିଲେ, ସେମାନେ ସାଧାରଣ ଲୋକଙ୍କୁ ଠକିଛନ୍ତି। ପ୍ରକଳ୍ପ ସ୍ବପ୍ନକୁ ବାସ୍ତବତାରେ ପରିଣତ କରିବା ଆମର ଦାୟିତ୍ବ। ବିଗତ ସରକାର ଲିଙ୍ଗରାଜଙ୍କ ଆଇନ ଓ ଏକାମ୍ର ପ୍ରକଳ୍ପ ପାଇଁ ଖାଲି କଥା କହୁଥିଲେ। କିନ୍ତୁ ଆମେ ଏହାକୁ ବାସ୍ତବରେ ପରିଣତ କରିବୁ।’’
ଖୁବ୍ ଶୀଘ୍ର ଆସିବ ଲିଙ୍ଗରାଜ ଆଇନ: ବାବୁ ସିଂହ
ବିଧାୟକ କହିଲେ, ଏକାମ୍ର ପ୍ରକଳ୍ପ କାମ ୫% ସରିଛି
ବିଧାୟକଙ୍କ ସ୍ମରଣ ଶକ୍ତି କମ୍ ଅଛି କହି କଟାକ୍ଷ କଲେ ଅଶୋକ
ଏହାର ଜବାବରେ ଶ୍ରୀ ପଣ୍ଡା କହିଛନ୍ତି, ‘‘ଗତ ସରକାରରେ ଲିଙ୍ଗରାଜ ପ୍ରକଳ୍ପ ପାଇଁ କ୍ୟାବିନେଟ୍ରେ ଅନୁମୋଦନ ହୋଇଥିଲା। କିଛି ଲୋକ ଜମି ଅଧିକଗ୍ରହଣ ପାଇଁ ଟଙ୍କା ପାଇଛନ୍ତି। କିଛି ରହିଯାଇଛି। ନୂଆ ସରକାର ଆସିବା ପରେ ଜୁନ୍ ୨୭ ତାରିଖରେ ଏକାମ୍ର ବିଧାୟକ ଅଧୀକାରୀ ଓ ଦଳୀୟ ନେତାଙ୍କୁ ନେଇ ପ୍ରକଳ୍ପ ସମୀକ୍ଷା କରିଥିଲେ। ପ୍ରକଳ୍ପ କାମ ୪୦ ପ୍ରତିଶତ ହୋଇଛି ବୋଲି ଗଣମାଧ୍ୟମକୁ କହିଥିଲେ। ପୁଣି ପରିବର୍ତ୍ତନ କରି ୫ % କାମ ବୋଲି କହିଛନ୍ତି। ସ୍ମରଣ ଶକ୍ତିରେ ଦୁର୍ବଳ ହେଲେ କେମିତି ହେବ? ସେ କେତେ କାମ ହୋଇଛି ନିଶ୍ଚିତ ହୁଅନ୍ତୁ।’’ ଶ୍ରୀ ପଣ୍ଡା ଅଭିଯୋଗ କରି ଆହୁରି କହିଛନ୍ତି, ‘‘ପ୍ରକଳ୍ପରେ ବିଳମ୍ବ ହେବା ପଛରେ ବିଜେପିର ହାତ ରହିଛି। ଏବେର ଭୁବନେଶ୍ବର ସାଂସଦ ଅଥରିଟି ଆକ୍ଟର ଦ୍ବାହି ଦେଇ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରତିବାଦ କରିବା ସହ ଏକାମ୍ର ଓ ଶ୍ରୀକ୍ଷେତ୍ର ପ୍ରକଳ୍ପ କାମକୁ ଅଟକାଇ ରଖିଲେ। ପରବର୍ତ୍ତୀ କାଳରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଉଭୟ କାମ ଆରମ୍ଭ ହେଲା। ଲିଙ୍ଗରାଜ ଆଇନ ପାଇଁ ବିଧାନସଭାରେ ସର୍ବ ସମ୍ମତି କ୍ରମେ ବିଲ୍ ଆସିଥିଲା। ପରବର୍ତ୍ତୀ ସମୟରେ ଏକ ଅଧ୍ୟାଦେଶ ବି ଆସିଥିଲା। ତାହା ଅନୁମୋଦନ ପାଇଁ କେନ୍ଦ୍ରକୁ ପଠାଯାଇଥିଲା। ଦୁଃଖର ବିଷୟ, କେନ୍ଦ୍ର ସରକାର ବାରମ୍ବାର ମୁଖ୍ୟ ଶାସନ ସଚିବଙ୍କୁ ବିଭିନ୍ନ ସ୍ପଷ୍ଟୀକରଣ ମାଗିଲେ। ରାଜ୍ୟ ଆଇନ ବିଭାଗ ପକ୍ଷରୁ ସବୁର ଉତ୍ତର ବି ଦିଆଗଲା। ହେଲେ କେନ୍ଦ୍ର ସରକାର ନିରବ ରହିଲେ। ତେଣୁ ବିଧାୟକ ଉପର ଠାଉରିଆ ଭାବେ ଜନମାନସକୁ ବିଭ୍ରାନ୍ତି କରିବା ପାଇଁ ମନ୍ତବ୍ୟ ରଖିବା ଅନୁଚିତ।’’