ସରି ଆସୁଛି ନିର୍ବାଚନୀ ପ୍ରଚାର: ଗାଁରେ ବୁଲୁଛନ୍ତି ମନ୍ତ୍ରୀ, ବିଧାୟକ, ସାଂସଦ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଜମୁଛି ନିର୍ବାଚନୀ ପ୍ରଚାର। ଭୋଟର୍‌ଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି ସବୁ ଦଳର ନେତା। ପ୍ରାର୍ଥୀଙ୍କ ସମେତ କର୍ମୀମାନେ ମଇଦାନରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଏବେ ସେମାନଙ୍କ ସହ ସାମିଲ ହୋଇଛନ୍ତି ସବୁ ଦଳର ଛାମୁଆ ନେତା। ଏକାମ୍ର ଓ ଉତ୍ତର ଭୁବନେଶ୍ବରର ଗୋଟିଏ ଲେଖାଏଁ ଜିଲ୍ଲା ପରିଷଦ ‌ଜୋନ୍‌ ସମେତ ଜଟଣୀ, ବାଲିଅନ୍ତା, ବାଲିପାଟଣା ଆଦି ବ୍ଲକରେ ବି ପ୍ରଚାର ସରଗରମ ଚାଲିଛି। ସମସ୍ତ ଜିଲ୍ଲା ପରିଷଦ ଆସନକୁ ବିଜେଡି ହାତେଇବା ଲକ୍ଷ୍ୟରେ ଥିବା ବେଳେ କଡ଼ା ଟକ୍କର୍‌ ଦେବାକୁ ବିଜେପି ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଧରି କଂଗ୍ରେସ ମଧ୍ୟ ଜଟଣୀ ସମେତ ଉପକଣ୍ଠରେ ଗଡ଼ ଜୟ କରିବାକୁ ଅଣ୍ଟା ଭିଡ଼ିଛି।

ରାଜଧାନୀ ଉପକଣ୍ଠ ପଞ୍ଚାୟତଗୁଡ଼ିକରେ ଆସନ୍ତା ୨୨ ଓ ୨୪ ତାରିଖରେ ଭୋଟ୍‌ ଗ୍ରହଣ ହେବାର ଅଛି। ହାତରେ ଆଉ ଅଳ୍ପ ସମୟ ରହିଥିବାରୁ ବିଭିନ୍ନ ରାଜ‌ନୈତିକ ଦଳର ସାଂସଦ, ବିଧାୟକ ଏବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। କିଛି ଦିନ ହେବ, ସେ ଲଗାତାର ଭାବେ ପ୍ରାର୍ଥୀଙ୍କ ଲାଗି ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି। ବିଜେପି ପ୍ରାର୍ଥୀଙ୍କ ଲାଗି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ବାବୁ ସିଂ ପ୍ରଚାରର ମଙ୍ଗ ଧରିଛନ୍ତି। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ୍‌ର ବିଜେଡି ପ୍ରାର୍ଥୀଙ୍କ ଲାଗି ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରଚାର ଆରମ୍ଭ କରିଛନ୍ତି। ଦୁଇ ଦିନ ହେଲା ଲଗାତାର ଭାବେ ବିଭିନ୍ନ ଅଞ୍ଚଳ ବୁଲି ଭୋଟର୍‌ଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛନ୍ତି। ଜଟଣୀ ବ୍ଲକର ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍‌ର କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଚାର କରୁଥିବାରୁ ମଇଦାନ ଏବେ ସରଗରମ ହୋଇଛି। ଇତିମଧ୍ୟରେ ସାଂସଦ ମୁନା ଖାଁ, ଅପରାଜିତା ଷଡ଼ଙ୍ଗୀ, ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ଶ୍ରୀତମ୍‌ ଦାସ, ସମ୍ବିତ ଆଚାର୍ଯ୍ୟ ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବା ନିର୍ବାଚନୀ ମଇଦାନକୁ ଅଧିକ ସରଗରମ କରିଛି।

ନିର୍ବାଚନ ପ୍ରଚାରରେ କୋଭିଡ୍‌ କଟକଣା କୋହଳ ହେବା ପରେ ଗାଁ ଦାଣ୍ଡ ଏବେ ଉଠୁଛି ପଡ଼ୁଛି। ଦୈନିକ ଏକାଧିକ ସଭା, ସମିତି, ଶୋଭାଯାତ୍ରା ଦେଖିବାକୁ ମିଳୁଛି। ପ୍ରାର୍ଥୀ ପଦଯାତ୍ରାରେ ବି ବୁଲୁଛନ୍ତି। ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାରକୁ ଗୁରୁତ୍ବ ଦେଇଛନ୍ତି। ସମର୍ଥକଙ୍କୁ ସାଙ୍ଗରେ ଧରି ପ୍ରାର୍ଥୀମା‌ନେ ଭୋଟର୍‌ଙ୍କ ନିକଟରେ ପହଞ୍ଚୁଛନ୍ତି। ତିନି ପ୍ରମୁଖ ରାଜନୈତିକ ଦଳର ସହରୀ ନେତା ଏବେ ବି ଗାଁରେ ଡେରା ପକାଇ ରହିଛନ୍ତି। ପ୍ରାର୍ଥୀମାନେ ଏବେ କର୍ମୀ ସମ୍ମିଳନୀକୁ ଗୁରୁତ୍ବ ଦେଉଛନ୍ତି। ଗାଁ ମୁଣ୍ଡରେ କର୍ମୀମାନଙ୍କୁ ଏକାଠି କରି ଗୁପ୍ତ ମନ୍ତ୍ରଣା ଦେଉଛନ୍ତି। ବିଜୟ ଲାଗି କିଭଳି ରଣନୀତି କରିବାକୁ ପଡ଼ିବ, ସେନେଇ ବୈଠକରେ ଆଲୋଚନା ହେଉଛି। ୨୨ ତାରିଖରେ ନିର୍ବାଚନ ହେବାକୁ ଥିବା ଭୁବନେଶ୍ବର ଓ ବାଲିପାଟଣା ବ୍ଲକରେ ୨୦ ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ଅର୍ଥାତ୍‌ ହାତରେ ଆଉ ମାତ୍ର ଦୁଇଟା ଦିନ। ତେଣୁ ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଭୋଟ ହାତେଇବାକୁ ଲାଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର