ଥମୁନି ଲକ୍ଷ୍ମୀସାଗର ନିର୍ବାଚନୀ ହିଂସା

ପୁଣି ଉଭୟ ପକ୍ଷରୁ ବନ୍ଧା ହେଲେ ୨, ଗିରଫ ସଂଖ୍ୟା ୧୩, ପୁଲିସ ଟାର୍ଗେଟ୍‌ରେ ୧୩୭

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି, ସହର ସେତିକି ଅଶାନ୍ତ ହେବାରେ ଲାଗିଛି। ଲଗାତାର ତିନିଦିନ ଧରି ଲକ୍ଷ୍ମୀସାଗର ଅଞ୍ଚଳରେ ଉତ୍ତେଜନା ଥମିବା ନାଁ ଧରୁନି। ପୂର୍ବରୁ ଏହି ଅଞ୍ଚଳରେ ହିଂସାକାଣ୍ଡ ଘଟଣାରେ ପୁଲିସ ଉଭୟ ପକ୍ଷର ୧୧ଜଣଙ୍କୁ ଗିରଫ କରିଥିଲା। ଆଜି ଉଭୟ ପକ୍ଷରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏବେ ମୋଟ ଗିରଫଦାରୀ ସଂଖ୍ୟା ୧୩ରେ ପହଞ୍ଚିଛି। ଅନ୍ୟପଟେ ଏହି ଅଞ୍ଚଳରେ ଲାଗିଥିବା ସିସିଟିଭିରୁ ଫୁଟେଜ୍‌ ସଂଗ୍ରହ କରି ସେଥିରୁ ହିଂସାକାଣ୍ଡରେ ସାମିଲ ଥିବା ୧୩୭ଜଣଙ୍କୁ ପୁଲିସ ଚିହ୍ନଟ କରିଛି। ତିନିଦିନ ଧରି ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଥିବାରୁ ସେଠାରେ ଚାପା ଉତ୍ତେଜନା ଲାଗି ରହିଛି। ସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ଉ କରାଯିବା ସହ ଚିହ୍ନଟ ୧୩୭ଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ କରୁଥିବା ଜଣାପଡ଼ିଛି। ଆଜି ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଶିଖର ଜେନା ଓ ରାକେଶ ଜେନା।

ଥାନା ଘେରିଲେ ଶିଖରଙ୍କ ସମର୍ଥକ

ଗିରଫ ହୋଇଥିବା ଶିଖର ହେଉଛନ୍ତି ୩୨ ନମ୍ବର ୱାର୍ଡର ବିଜେଡି କର୍ପୋରେଟର୍‌ ପ୍ରାର୍ଥୀ ଶ୍ରୀଧର ଜେନାଙ୍କ ଭାଇ। ସେ ହିଂସାକାଣ୍ଡରେ ସମ୍ପୃକ୍ତ ନଥାଇ ପୁଲିସ ବେଆଇନ ଭାବରେ ତାଙ୍କୁ ଗିରଫ କରିଥିବା‌ ଅଭିଯୋଗ କରି ଆଜି ହଜାର ହଜାର ସମର୍ଥକ ଲକ୍ଷ୍ମୀସାଗର ଥାନାରେ ପହଞ୍ଚିଥିଲେ। ସେଠା‌ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିରୋଧୀ ଗୋଷ୍ଠୀଙ୍କୁ ସମର୍ଥନ କରି ପୁଲିସ ଏଭଳି ଗିରଫ କରିଥିବା ସେମାନେ ଅଭିଯୋଗ କରି ହୋହଲ୍ଲା କରିଥିଲେ। ଫଳରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ୍‌କୁ ପାଖାପାଖି ଦୁଇଘଣ୍ଟା କାଳ ନୟାନ୍ତ ହୋଇପଡ଼ିଥିଲା। ଶିଖରଙ୍କୁ ଛାଡ଼ିବା ପାଇଁ ସମର୍ଥକ ଜିଦ୍‌ରେ ଅଟଳ ହୋଇ ବସି ରହିଥିଲେ। ଅତିରିକ୍ତ ଡିସିପି ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ହେଲେ ସମର୍ଥକ ନଛୋଡ଼ବନ୍ଧା ଥିଲେ। ଶେଷରେ ପୁଲିସ ହାଜତ୍‌ରେ ଥିବା ଶିଖର ବାହାରକୁ ଆସି ସମର୍ଥକଙ୍କୁ ବୁଝାଇବା ପରେ ସେମାନେ ଫେରିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଅଧିକ ଦୁଇ ପ୍ଲାଟୁନ୍‌ ଫୋର୍ସ ମୁତୟନ କରିଥିଲେ।

ଗିରଫ ହୋଇଥିବା ଆଉ ଜଣେ ଅଭିଯୁକ୍ତ ରାକେଶ ଜେନା ହେଉଛନ୍ତି ୩୩ ନମ୍ବର ୱାର୍ଡର ବିଜେପି ପ୍ରାର୍ଥିନୀ ଧରିତ୍ରୀ ଜେନାଙ୍କ ଦିଅର। ଗତକାଲି ସନ୍ଧ୍ୟାରେ ତାଙ୍କୁ ପୁଲିସ ଅଟକ ରଖିଥିଲା ବେଳେ ବିଜେପି ପକ୍ଷରୁ ଲକ୍ଷ୍ମୀସାଗର ଥାନା ଘେରାଉ କରାଯାଇଥିଲେ। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ବରେ କର୍ମୀମାନେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଭାଇଚାରା ଭାଙ୍ଗନି: ଝାରପଡ଼ା ଡେଭଲପ୍‌ମେଣ୍ଟ କମିଟି

ବିଜେପି ନେତା ଜଗନ୍ନାଥ ପ୍ରଧାନ ଝାରପଡ଼ାର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଆକ୍ଷେପ କରି ଗଣମାଧ୍ୟମରେ ଦେଇଥିବା ବିବୃତିକୁ ତୀବ୍ର ନିନ୍ଦା କରିଛନ୍ତି ଝାରପଡ଼ା ଡେଭ୍‌ଲପ୍‌ମେଣ୍ଟ କମିଟି ଓ ଝାରପଡ଼ା ଦୁର୍ଗାପୂଜା ସମିତି। ଆଜି ଦୁର୍ଗାମଣ୍ଡପଠାରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ ଝାରପଡ଼ା ଅଞ୍ଚଳରେ ହିନ୍ଦୁ ଓ ମୁସଲମାନ ଭାଇଚାରା ଭିତରେ ଚଳି ଆସୁଛନ୍ତି।

ଉଭୟ ସମ୍ପ୍ରଦାୟର ଲୋକ ମିଳିମିଶି ଦୋଳଠାରୁ ଆରମ୍ଭ କରି ଇଦ୍‌ ପର୍ଯ୍ୟନ୍ତ ସମସ୍ତ ପର୍ବପର୍ବାଣୀ ପାଳନ କରନ୍ତି। ହେଲେ ଜଗନ୍ନାଥ ନିଜ ସ୍ବାର୍ଥ ଓ ରାଜନୈତିକ ଅଭିସନ୍ଧି ରଖି ଗଣମାଧ୍ୟମରେ ଝାରପଡ଼ାର ଏହି ଭାଇଚାରାକୁ ଆକ୍ଷେପ କରିବା ଅତ୍ୟନ୍ତ ନିନ୍ଦନୀୟ। ସେ ଆମ ଭାଇଚାରା ଭାଙ୍ଗିବା ପାଇଁ ଯେଉଁ ପ୍ରୟାସ କରୁଛନ୍ତି, ତାହା କେବେ ବି ଫଳପ୍ରଦ ହେବ ନାହିଁ।

ଯଦି ଜଗନ୍ନାଥ ନିଜକୁ ଝାରପଡ଼ା ଗ୍ରାମର ବୋଲି କହୁଛନ୍ତି, ତେବେ ହିନ୍ଦୁ ଓ ମୁସଲମାନ ଭାଇଚାରା ବିରୋଧରେ ମନ୍ତବ୍ୟ ଦେଇ କ’ଣ ପ୍ରତିପାଦିତ କରିବାକୁ ଚାହୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଡେଭ୍‌ଲପ୍‌ମେଣ୍ଟ କମିଟି ସମ୍ପାଦକ ସଞ୍ଜୟ ହରିଚନ୍ଦନ, ଦୁର୍ଗାପୂଜା ସମିତି ଉପସଭାପତି ଧରଣୀଧର ଜେନା, ଚନ୍ଦମଣୀ ପ୍ରଧାନ, ଶ୍ରୀଧର ମାର୍ଥା ଓ ବିଷ୍ଣୁ ମାର୍ଥା ପ୍ରମୁଖ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର