ମୁଣ୍ଡ ହଲାଇଦେଲା ହାତୀ, ପଡ଼ିଉଠି ୫ ଆହତ

କାମ ଦେଲାନି ଟ୍ରାଙ୍କୁଲାଇଜ୍‌ ନିଶା , ୬ ଘଣ୍ଟା ନାକେଦମ୍‌ ବିଶେଷଜ୍ଞ ଦଳ

ଭୁବନେଶ୍ବର: ପୁଣି ଫେଲ୍‌ ମାରିଲା ବନ ବିଭାଗର ଯୋଜନା। ହାତୀଙ୍କୁ ରେଡିଓ କଲାର ଲଗାଇବାକୁ ଦୁଇ ମାସ ହେଲା ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବନ ବିଭାଗ ଏଥର ବି ବିଫଳ ହୋଇଛି। କଳେବଳେ କୌଶଳେ ଖୋର୍ଦ୍ଧା ବନଖଣ୍ଡ ଗୟାବନ୍ଧଠାରେ ଏକ ଜଙ୍ଗଲୀ ଦନ୍ତା ହତୀକୁ ରେଡିଓ କଲାର ଲାଗାଇବାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ମାତ୍ର ରେଡିଓ କଲାର ଲଗାଇବା ପୂର୍ବରୁ ହାତୀ ଆତଙ୍କ ଖେଳାଇଥିଲା। ଏଥିରେ ୫ଜଣ କର୍ମଚାରୀ ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ବିଶେଷଜ୍ଞ ନିଶାନ୍‌ ଓ ଭୂଷଣ୍ଡପୁର ଫରେଷ୍ଟର୍‌ ସିଦ୍ଧୁଚରଣ ସିଂଙ୍କୁ ଚିକିତ୍ସା ଲାଗି ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଛି। ଅନ୍ୟ ତିନିଜଣଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ଜଙ୍ଗଲୀ ହାତୀଙ୍କୁ ରେଡିଓ କଲାର ଲଗାଇବା ପାଇଁ ଖୋର୍ଧା ଡିଏଫ୍‌ଓଙ୍କ ନିର୍ଦେଶକ୍ରମେ ଭୂଷଣ୍ଡପୁର ଫରେଷ୍ଟର ଶ୍ରୀ ସିଂଙ୍କ ନେତୃତ୍ବରେ ୨୨ଜଣିଆ ବିଶେଷଜ୍ଞ ଦଳ ରେଡିଓ କଲାର ଲଗାଇବା ଅଭି‌ଯାନ ଆରମ୍ଭ କରିଥିଲେ। ଏଥିରେ ନନ୍ଦନକାନନର ଦୁଇଜଣ ଟ୍ରାଙ୍କୁଲାଇଜ୍‌ ବିଶେଷଜ୍ଞ ବନପାଳ ରାମଚନ୍ଦ୍ର କାଣ୍ଡି ଓ ଟେକ୍ନିନିସିଆନ୍‌ ଦୁଷ୍ମନ୍ତ ନାଏକ ସାମିଲ ହୋଇଥିଲେ। ଭୋର୍‌ ପ୍ରାୟ ୪ଟା‌ରେ ବିଶେଷଜ୍ଞ ଦଳ ଜଙ୍ଗଲ ଭିତରେ ଥିବା ପ୍ରାୟ ୨୦ବର୍ଷ ବୟସର ୧୦ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ଜଙ୍ଗଲୀ ଦନ୍ତା ପଛରେ ପଡ଼ିଥିଲେ। ଘଞ୍ଚ ବୁଦା ନିକଟରେ ହାତୀଟି ଥିବା ବେଳେ ବିଶେଷଜ୍ଞ ଦଳ ତାକୁ ଟ୍ରାଙ୍କୁଲାଇଜ୍‌ କରିଥିଲା। ଟ୍ରାଙ୍କୁଲାଇଜ୍‌ ପରେ ହାତୀ ପ୍ରାୟ ଦୁଇ ଶହ ମିଟର ଆଗକୁ ଚାଲିଯାଇ ଛିଡ଼ା ହୋଇ ରହିଥିଲା। ମଝିରେ ମଝିରେ ଘୁମେଇ ପଡ଼ୁଥିଲା। ବିଶେଷଜ୍ଞ ଦଳ ଦୂରରେ ରହି ତା’ର ଗତିବିଧି ଅନୁଧ୍ୟାନ କରୁଥିଲେ।

ସକାଳ ୮ଟା‌ ବେଳେ ହାତୀକୁ ରେଡିଓ କଲାର ଲଗାଇବାକୁ ଆସିଥିବା ବିଶେଷଜ୍ଞ ଦଳ ହାତୀ ନିକଟତର ହୋଇଥିଲେ। ପଶ୍ଚିମବଙ୍ଗର ସୁବ୍ରତ ପଲ ଚୌଧୁରୀ, ପ୍ରଫେସର ଶୁଭ୍ର ମୁନି ଓ କର୍ଣ୍ଣାଟକରୁ ଆସିଥିବା ଟ୍ରାଙ୍କୁଲାଇଜ୍‌ ବିଶେଷଜ୍ଞ ଡ. ନିଶାନ ହାତୀକୁ ରେଡିଓ କଲାର ବାନ୍ଧିବା ଲାଗି ଯାଇଥିଲେ। ବିଶେଷଜ୍ଞ ଦଳର ସଦସ୍ୟମାନେ ବଡ଼ ପାଟିରେ କଥା ହୋଇ ହାତୀର ଆଗପଟରୁ ଆସିଥିଲେ। ଏହି ସମୟରେ ଜଙ୍ଗଲୀ ହାତୀଟି ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା। ହାତୀ ଆସୁଥିବା ଦେଖି ତିନିଜଣ ବିଶେଷଜ୍ଞ ପ୍ରାଣ ବିକଳରେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଦୁଇଜଣ ପଛକୁ ଓଲଟି ପଡ଼ିଥିଲେ। ହାତୀ ଦୌଡ଼ୁଥିବା ଦେଖି ଦୂରରେ ଥିବା ଆଉ ଦୁଇ ଜଣ ମଧ୍ୟ ଦୌଡ଼ିଥିଲେ। ହାତୀର ନିଶା ଛାଡ଼ି ନଥିବାରୁ ପଛକୁ ଓଲଟି ପଡ଼ିଥିବା ଦୁଇ ବିଶେଷଜ୍ଞଙ୍କ ମଝିରେ ପଶି ଶୁଣ୍ଢ ଟେକି ନ ପାରି ତ‌ଳେ ଘୋଷାରି ଘୋଷାରି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ହାତୀ ଭୟରେ ତଳେ ପଡ଼ିଯିବା ଦ୍ବାରା ସମସ୍ତ ବିଶେଷଜ୍ଞ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଏକ୍ସ-ରେ’ କରାଯିବାରୁ ନିଶାନ୍‌ଙ୍କ ଅଣ୍ଟାରେ ଆଘାତ ଲାଗି ହାଡ଼ ଫାଟି ଯାଇଥିବା ଜଣାପଡ଼ିଛି।
ବିଶେଷଜ୍ଞମାନେ ଆହତ ହେବା ପରେ ରେଡିଓ କଲାର ଲଗାଇବା ଯୋଜନାକୁ ଏବେ ସ୍ଥଗିତ ରଖାଯାଇଛି। ନିଶାସକ୍ତ ଅବସ୍ଥାରେ ହାତୀ ଜଙ୍ଗଲ ଭିତରକୁ ଚାଲିଯିବା ପରେ ତା’ ଜୀବନ ପ୍ରତି ବିପଦ ଆଶଙ୍କାରେ ବନ ବିଭାଗ କର୍ମଚାରୀଙ୍କ ଭିତରେ ଛନକା ପଶି ଯାଇଥିଲା। ମାତ୍ର ଅପରାହ୍‌ଣ ପ୍ରାୟ ୨ଟାରେ ହାତୀର ନିଶା ଛାଡ଼ିଯିବା ପରେ ସେ ଏକ ପଥର ଖାଦାନ ପାଣିରେ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଥିଲା। ହାତୀ ଚେତା ଫେରିବା ସହିତ ସୁସ୍ଥ ଥିବା ଜଣାପଡ଼ିବାରୁ କର୍ମଚାରୀମାନେ ଆଶ୍ବସ୍ତ ହୋଇଥିଲେ।

ଅଘଟଣ ପରେ ହାତୀ ବେକରେ ରେଡିଓ କଲାର ଲଗାଇବା କାର୍ଯ୍ୟକ୍ରମକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିବା ନେଇ ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲ ସୂଚନା ଦେଇଛନ୍ତି। ଶ୍ରୀ ପଲ୍‌ କହିଛନ୍ତି ଯେ ଦୁର୍ଦ୍ଦାନ୍ତ ହାତୀ ବେକରେ ରେଡିଓ କଲାର୍‌ ଲଗାଇବା ପାଇଁ ଗତକାଲି ସନ୍ଧ୍ୟାଠାରୁ ଚେଷ୍ଟା ଚାଲିଥିଲା। ଆଜି ଭୋର୍‌ରେ ଲଗାଯିବା ବେଳେ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ବେଙ୍ଗାଲୁରୁରୁ ଆସିଥିବା ବିଶେଷଜ୍ଞ ଦଳର ଜଣେ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ୪ଜଣ ଆହତ ହୋଇଛନ୍ତି। ଏବେ ସେମାନଙ୍କର ଚିକିତ୍ସା ଏମ୍‌ସରେ ଚାଲିଛି। ରାଜ୍ୟର ୭ଟି ଦୁର୍ଦାନ୍ତ ହାତୀଙ୍କ ବେକରେ ରେଡିଓ କଲାର ଲଗାଯିବାର ଯୋଜନା ରହିଛି। ଚନ୍ଦକା, ଖୋର୍ଦ୍ଧା ଓ ଆଠଗଡ଼ ଅଞ୍ଚଳର ୩ଟି ଓ ଶିମିଳିପାଳ ଅଞ୍ଚଳର ୪ଟି ହାତୀଙ୍କ ବେକରେ ଲାଗିବ। ପୂର୍ବରୁ ବିଭିନ୍ନ ରାଜ୍ୟରେ ଶହେରୁ ଅଧିକ ହାତୀଙ୍କ ବେକରେ ଏହାକୁ ଲଗାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶା ଜଙ୍ଗଲର ହାତୀଙ୍କୁ ରେଡିଓ କଲାର୍‌ ଲଗାଇ ସେମାନଙ୍କ ଗତିବିଧିକୁ ନିରୀକ୍ଷଣ କରିବା ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି। ‌ସେଥିପାଇଁ ବେଙ୍ଗାଲୁରୁର ଏକ ବିଶେଷଜ୍ଞ ଟିମ୍‌ ସହାୟତାରେ ଚନ୍ଦକା ଜଙ୍ଗଲରେ ଥିବା ଦନ୍ତା ହାତୀ ରାମୁ ବେକରେ ରେଡିଓ କଲାର ଲଗାଇବାକୁ ଗତ ସେପ୍ଟେମ୍ବର ମାସରେ ଉଦ୍ୟମ କରାଯାଇଥିଲା। ମାତ୍ର ୧୫ଦିନର ପ୍ରଚେଷ୍ଟା ପରେ ବି ବିଶେଷଜ୍ଞମାନେ ବି‌ଫଳ ହୋଇଥିଲେ।

ସମ୍ବନ୍ଧିତ ଖବର