ହାଇୱାରେ ବୁଲିଲା ହାତୀ, ବୁଲେଇ ବୁଲେଇ ଅଭୟାରଣ୍ୟରେ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ବୁଲୁଥିବା ବାଟବଣା ଦନ୍ତା ହାତୀକୁ କାବୁ କରିଛି ବନ ବିଭାଗ। ଚନ୍ଦକା, ଖୋର୍ଦ୍ଧା ଓ ସିଟି ଫରେଷ୍ଟ ଡିଭିଜନ୍‌ କର୍ମଚାରୀଙ୍କ ସହ ସ୍ବତନ୍ତ୍ର ବିଶେଷଜ୍ଞ ଦଳ ପାଖାପାଖି ୧୨ ଘଣ୍ଟା ଧରି ଦନ୍ତାର ପିଛା କରିବା ପରେ ଆଜି ଭୋର୍‌ ସମୟରେ ପାତ୍ରପଡ଼ା ଶନିମନ୍ଦିର ନିକଟରେ ତାକୁ ଟ୍ରାଙ୍କୁଲାଇଜ୍‌ କରିଥିଲେ। ଏହାପରେ ବନ ବିଭାଗ ପକ୍ଷରୁ ହାତୀକୁ ଏକ ହାଇୱାରେ ଲଦି ଜଙ୍ଗଲରେ ଛାଡ଼ିବାକୁ ନିଆଯାଇଥିଲା। ମାତ୍ର ହାତୀକୁ କେଉଁଠି ଛଡ଼ାଯିବ, ତାକୁ ନେଇ ଆଜି ଦିନତମାମ ବନ ବିଭାଗ ନାକେଦମ ହୋଇଥିଲା। ଖୋର୍ଦ୍ଧା ବନଖଣ୍ଡର ଦୁଇ ଦୁୁଇଟି ଜଙ୍ଗଲରେ ଛାଡ଼ିବାକୁ ନେଇ ପ୍ରବଳ ବିରୋଧ ହେବାରୁ ଶେଷରେ ଦିନ ସାରା ହାଇୱାରେ ବୁଲାଇ ବୁଲାଇ ହାତୀକୁ ଚନ୍ଦକା ଅଭୟାରଣ୍ୟରେ ଛଡ଼ାଯାଇଥିଲା।

ଟ୍ରାଙ୍କୁଲାଇଜ୍‌ ପରେ ହାତୀକୁ ଧରି ବନ ବିଭାଗର କର୍ମଚାରୀମାନେ ଏ ଜଙ୍ଗଲରୁ ସେ ଜଙ୍ଗଲ ବୁଲିଥିଲେ। ନିୟମ ଅନୁଯାୟୀ ହାତୀଟି ଯେଉଁ ଜଙ୍ଗଲରୁ ଗୋଠଛଡ଼ା ହୋଇଥାଏ, ତାକୁ ନେଇ ହାତୀପଲଙ୍କ ଆଖପାଖରେ ଛଡ଼ାଯିବା କଥା। ତେଣୁ ବନ ବିଭାଗ କର୍ମଚାରୀମାନେ ପ୍ରଥମେ ହାତୀକୁ ନୟାଗଡ଼ ଜିଲ୍ଲା ରଣପୁର ବନଖଣ୍ଡ ଅଧୀନ ପଟିଆ ଜଙ୍ଗଲକୁ ନେଇଥିଲେ। କିନ୍ତୁ ସ୍ଥାନୀୟ ଅର୍ଜୁନପୁର ଗାଁ ଲୋକେ ପ୍ରବଳ ବିରୋଧ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ହାତୀ ମଣିଷ ଲଢ଼େଇ ଯୋଗୁଁ ପ୍ରାୟ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗ୍ରାମବାସୀମାନେ କାଠଗଡ଼ ପକାଇ ରାସ୍ତା ଅବରୋଧ କରିଥିଲେ।

ଖୋର୍ଦ୍ଧା ଡିଏଫ୍‌ଓଙ୍କ ସମେତ ଅନ୍ୟ ଅଧିକାରୀମାନେ ଯେତେ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଜିଦ୍‌ରୁ ଓହରିନଥିଲେ। ଏହାପରେ ହାତୀକୁ ଭୁଷଣ୍ଡପୁର ବନଖଣ୍ଡ ନାଲ୍‌ସିଂ ଜଙ୍ଗଲରେ ଛାଡ଼ିବାକୁ ଯୋଜନା କରାଯାଇଥିଲା। ସେଠାରେ ମଧ୍ୟ ବନ ବିଭାଗକୁ ସମାନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଥିଲେ। ତେଣୁ ବନ କର୍ମଚାରୀମାନେ ଦନ୍ତାକୁ ସେମିତି ହାଇୱାରେ ଧରି ବୁଲିଥିଲେ। ଦିନତମାମ୍‌ ହରଡ଼ଘଣାରେ ପଡ଼ିବା ପରେ ସନ୍ଧ୍ୟାରେ ଦନ୍ତାକୁ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଥିବା ଜଣାପଡ଼ିଛି।

୧୨ ଘଣ୍ଟା ଧରି ନାକେଦମ ବନ ବିଭାଗ, ପୁଲିସ
ଛାଡ଼ିବାକୁ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ନେଲେ
ଖୋର୍ଦ୍ଧା ବନଖଣ୍ଡରୁ ରାଜଧାନୀକୁ ପଶିଆସିଥିଲା

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଖାଦ୍ୟ ଅନ୍ବେଷଣରେ କଂକ୍ରିଟ୍ ଜଙ୍ଗଲ ଭିତରକୁ ପଶି ଆସିଥିବା ଦନ୍ତାକୁ ନେଇ ବନ ବିଭାଗ ଓ ପୁଲିସ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆକ୍ତାମାକ୍ତା ହୋଇଛି। ବନ ବିଭାଗର ପଦସ୍ଥ ଅଧିକାରୀମାନଙ୍କ ଦୂରଦୃଷ୍ଟି ଅଭାବରୁ ଟ୍ରାଙ୍କୁଲାଇଜ୍ ଅବସ୍ଥାରେ ହାତୀକୁ ଖରାରେ ଧରି କର୍ମଚାରୀମାନେ ଏଠାରୁ ସେଠାକୁ ବୁଲିଥିଲେ। ଭୋର୍‌ ସମୟରେ ଟ୍ରାଙ୍କୁଲାଇଜ୍‌ ହୋଇଥିବା ହାତୀଟି ଦିନସାରା ହାଇୱା ଉପରେ ଠିଆହୋଇ ରହିଥିଲା। ଗୋଡ଼ରେ ଲୁହା ଶିକୁଳି ଓ ପ୍ଲାଷ୍ଟିକ ରଶି ବନ୍ଧା ହୋଇଥିବାରୁ ବିଚରା ଦନ୍ତାଟି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।

ତେଣୁ ତା’ର ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଭାବ ପଡ଼ିବା ଆଶଙ୍କା କରି ବନ ବିଭାଗ କର୍ମଚାରୀମାନେ ହାତୀ ଉପରେ ମଝିରେ ମଝିରେ ପାଣି ଢ଼ାଳୁଥିଲେ। ନିୟମିତ ବ୍ୟବଧାନରେ ତା’ ଦେହରେ ପାଣି ସିଞ୍ଚନ କରିବାରୁ ହାତୀର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିନଥିଲା। ତେବେ ଏପାଖରୁ ସେପାଖ ହେବା ସମୟରେ କାଳେ ତାହାର ନିସ୍ତେଜକ କ୍ଷମତା କମିଯିବ, ସେଥିପାଇଁ ମଝିରେ ଆଉ ଥରେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିବା ନେଇ ସୂଚନା ମଧ୍ୟ ମିଳିଛି। ତେଣୁ ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଥମରୁ ହାତୀକୁ ଚନ୍ଦକା ଅଭୟାରଣ୍ୟରେ ଛାଡ଼ିବାକୁ ନିଷ୍ପତ୍ତି ନକରି ଅଯଥାରେ ଟ୍ରାଙ୍କୁଲାଇଜ୍‌ କରିବା ଓ ଦିନସାରା ହାଇୱାରେ ବୁଲାଇବା ଭଳି କଥାକୁ ବିଭିନ୍ନ ମମହଲରୁ ନିନ୍ଦା କରାଯାଇଛି।

ଗତକାଲି ଦିିନ ସାରା ପିପିଲି ଅଞ୍ଚଳରେ ବୁଲୁଥିବା ଏହି ଦନ୍ତା ମଧ୍ୟରାତ୍ରରେ ଧଉଳି ନିକଟରେ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଘଉଡ଼ାଇବାରୁ ଦନ୍ତାଟି ରାତି ପ୍ରାୟ ୨ଟା ବେଳେ ରାଜଧାନୀକୁ ପ୍ରବେଶ କରିଥିଲା। ଗ୍ୟାରେଜ୍‌ ଛକ ଦେଇ ଲିଙ୍ଗରାଜ ମନ୍ଦିର, ପୋଖରୀପୁଟ, ଯଦୁପୁର ଦେଇ ପାତ୍ରପଡ଼ା ଆଇଗିଣିଆ ଅଞ୍ଚଳକୁ ଚାଲିଯାଇଥିଲା। ଭୋର୍‌ ପ୍ରାୟ ୫ଟା ସମୟରେ ବନ ବିଭାଗ ଟିମ୍ ହାତୀଟିକୁ ଆଇଗିଣିଆ ଶନିମନ୍ଦିର ନିକଟ ଜଙ୍ଗଲରେ ଠାବ କରିଥିଲେ। ସହର ଭିତରକୁ ପ୍ରବେଶ କରିଥିବା ହାତୀଟି କୌଣସି ଅଘଟଣ ଘଟାଇବା ପୂର୍ବରୁ ଏହାକୁ ଟ୍ରାଙ୍କୁଲାଇଜ୍ କରିବାକୁ ବନ ବିଭାଗ ନିଷ୍ପତ୍ତି ନେଇଥିଲା।

ଡରି ଯାଇଥିଲା ଦନ୍ତା

କମ୍‌ ବୟସର ଏହି ଦନ୍ତା ଜନଗହଳିପୂର୍ଣ ଅଞ୍ଚଳକୁ ପଶି ଆସିଥିବାରୁ ଅଧିକ ଭୟଭୀତ ହୋଇପଡ଼ିଥିଲା। ତଥାପି ତା’ର ସ୍ୱଭାବ ଶାନ୍ତ ଥିଲା। ରାଜଧାନୀ ଉପକଣ୍ଠ ଜଙ୍ଗଲ ସହ ଅଭ୍ୟସ୍ତ ହୋଇନଥିବାରୁ ତାକୁ ବାଟଘାଟ ଜଣାନଥିଲା। ରାତିରେ ଧଉଳିରୁ ଆସି ସାମନ୍ତରାପୁର ପାଖ ବିଜୟବିହାରରେ ପଶିଥିଲା। ବାଟରେ ପୁଲିସ ଭ୍ୟାନ୍‌ ହାତୀକୁ ଦେଖିବା ପରେ ଗାଡ଼ିର ଲାଇଟ୍‌ ଲିଭାଇ ପିଛା କରିଥିଲା। ପରବର୍ତୀ ସମୟରେ ରାତି ପ୍ରାୟ ୩ଟା ବେଳେ ଲିଙ୍ଗରାଜ ମନ୍ଦିର ପାଖରେ ଦେଖାଦେଇଥିଲା। ଲିଙ୍ଗରାଜ ମା‌ର୍କେଟ୍‌ ଆଡ଼କୁ ଯାଉଥିବା ବେ‌ଳେ ସେଠାରେ ଥିବା ପର୍ଯ୍ୟଟକମାନେ ହାତୀକୁ ଦେଖି ପାଟି କରିଥିଲେ। ତେଣୁ ହାତୀଟି ସେଠାରୁ ବାଟ ଭାଙ୍ଗି ତଳ ବଜାର ଦେଇ ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ବାର ରାସ୍ତା ନିକଟରେ ‌ଯମେଶ୍ବରପାଟଣା ଦେଇ ପୁନାମା ଗେଟ୍‌ ଆଡ଼କୁ ଯାଇଥିଲା। ସେଠାରେ ଲୋକ ଥିବାରୁ ଭୟଭୀତ ହୋଇ ଭୀମଟାଙ୍ଗୀର ୩ ନମ୍ବର ଲେନ୍‌ରେ ପ୍ରବେଶ କରିଥିଲା। ଅଷ୍ଟମପ୍ରହରୀ ଲାଗି ଟେଣ୍ଟ୍‌ ବନ୍ଧା ଚାଲିଥିବାରୁ ଲୋକେ ହାତୀକୁ ଦେଖି ହୋ-ହଲ୍ଲା କରିବାରୁ ଭୀମକୁଣ୍ଡ ଦେଇ ଏକାମ୍ର କଲେଜ ପୁରୁଣା ଗେଟ୍‌ ରାସ୍ତାରେ ସୁନ୍ଦରପଦା ଦେଇ ସରକନ୍ତରା ଆଡ଼େ ଯାଇଥିଲା। ସେଠାରୁ ରେଳ ଲେଭଲ୍‌ କ୍ରସିଂ ପାସ୍‌ କରି ପାତ୍ରପଡ଼ା ଆଡ଼କୁ ଯାଇଥିଲା।

ହାତୀ ଦେଖିବାକୁ ଭିଡ଼

ହାତୀକୁ ନେବା ସମୟରେ ଲୋକ ଭିଡ଼ ରୋକିବାକୁ ବନ ବିଭାଗ ଓ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ବନ ବିଭାଗ ଓ ପୁଲିସର ୬୦ଜଣିଆ ଟିମ ରାତି ସାରା ମିସନ ଗଜରାଜରେ ସାମିଲ ହୋଇଥିଲେ। ମାତ୍ର ଭୋର ସମୟରେ ପାତ୍ରପଡ଼ାଠାରେ ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ତାକୁ ଦେଖିବା ପାଇଁ ଭିଡ଼ ହୋଇଥିଲା। ସକାଳ ୧୦ଟା ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ଭିଡ଼ ଜମାଇ କୋଳାହଳ ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ହାତୀ ରହିଥିବା ସ୍ଥାନଠାରୁ ୫୦ ମିଟର ପରିଧି ଭିତରେ କାହାକୁ ବି ପ୍ରବେଶ ଲାଗି ଅନୁମତି ମିଳିନଥିଲା। ଏମିତିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ବାରଣ କରାଯାଇଥିଲା।

ସମ୍ବନ୍ଧିତ ଖବର