ସାଲିଆସାହିରେ ପଶିଲା ଦନ୍ତା, ହାତୀଆସୁଣିରେ ଘଣ୍ଟାଏ ଘାଣ୍ଟିଲା

ଚନ୍ଦ୍ରଶେଖରପୁର: ସୋମବାର ରାତି ପ୍ରାୟ ଗୋଟାଏ ହେବ। ଭରତପୁର ଜଙ୍ଗଲ ପାଚେରି ଡେଇଁ ରାଜଧାନୀରେ ପଶିଥିଲା ଦନ୍ତା। ଇଚ୍ଛା ଅନୁଯାୟୀ ମାଡ଼ି ଚାଲିଥିଲା। ମୈତ୍ରୀ ବିହାର ନିକଟ ୨୦୦ ଫୁଟିଆ ରାସ୍ତାରେ ଚାଲିଥିଲା। ସାଲିଆସାହି ଭିତରକୁ ପ୍ରବେଶ କରିବା ସହ ପଣସ, କଦଳୀ, ଆମ୍ବ ଖାଇଥିଲା। କାହାର କୌଣସି କ୍ଷତି କରି ନ ଥିଲେ ମଧ୍ୟ ଲୋକଙ୍କ ଘର ଆଗରେ ଚଳପ୍ରଚଳ କରୁଥିବାରୁ ରାତି ଅଧରେ ସାଲିଆସାହି ବସ୍ତିରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କାଳେ ଦନ୍ତା ଘର ଭାଙ୍ଗି ଦେବ, ସେହି ଭୟରେ ଯିଏ ଯୁଆଡ଼େ ପାରିଲେ ଧାଉଁଥିଲେ। କିଏ ରାସ୍ତା ଉପରେ ଦୌଡ଼ୁଥିଲେ ତ ଆଉ କିଏ ପାଟି କରି ହାତୀ ଘଉଡ଼ାଉଥିଲେ। କେହି କେହି ହାତୀ ମୁହଁକୁ ଲାଇଟ୍‌, ଟର୍ଚ ଆଦି ପକାଇଥିଲେ। ୧୦ କି ୨୦ ମିନିଟ୍‌ ନୁହେଁ। ପାଖାପାଖି ଦେଢ଼ ଘଣ୍ଟାଧରି ସାଲିଆସାହିରେ ଆତଙ୍କ ‌ଖେଳାଇଥିଲା ଦନ୍ତା। ତେବେ ସିସିଟିଭିରେ କଏଦ ହୋଇଥିବା ଚିତ୍ର ଅନୁଯାୟୀ ହାତୀଙ୍କ ସଂଖ୍ୟା ଅଧିକ ରହିଥିବା କୁହାଯାଉଛି। ୪ଟି ହାତୀ ପ୍ରବେଶ କରିଥିବା ବେଳେ ଦନ୍ତାଟି ଫେରି ନ ପାରି ରହିଯାଇଥିଲା।

ଭୟରେ ଦୌଡ଼ିଲେ ବସ୍ତିବାସିନ୍ଦା

ପୋତି ହେଉଛି ଟ୍ରେଞ୍ଚ, ପଶୁଛି ହାତୀ

ଭତରପୁର ଜଙ୍ଗଲ ପାଚେରି ନିକଟରେ ଦନ୍ତାଟିକୁ ପ୍ରଥମେ ଦେଖିବାକୁ ମିଳିଥିଲା। ଏହାପରେ ହାତୀଟି ଜଣେ ବ୍ୟକ୍ତିଙ୍କ ଘର ଝରକା ଭିତରେ ଶୁଣ୍ଢ ପୁରାଇ କିଛି ଖାଦ୍ୟ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଲୋକେ ଭୟଭିତ ହୋଇ ହୋ ହାଲ୍ଲା କରିଥିଲେ। କୁହାଯାଉଛି ଯେ ହାତୀ‌ଟି ହାଣ୍ଡିଆ ବାସ୍ନାରେ ବସ୍ତି ଭିତରେ ପ୍ରାୟ ଏକ ଘଣ୍ଟା ରହିଥିଲା। ଏଣେତେଣେ ବୁଲା ବୁଲି କରିବା ଦ୍ବାରା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଭୟଭିତ ହୋଇଥିବା ଅଞ୍ଚଳବାସୀ ହାତୀ ବୁଲୁଥିବା ନେଇ ପ୍ରଥମେ ମୈତ୍ରୀବିହାର ଥାନା ଓ ପରେ ବନ ବିଭାଗ ଅଧିକାରୀମାନଙ୍କୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଦୁଇଟି ପିସିଆର ଭ୍ୟାନ୍‌ ପହଞ୍ଚି ହାତୀ ଘଉଡ଼ାଇବା କାର୍ଯ୍ୟରେ ଲାଗିପଡ଼ିଥିଲେ। ସାଇରନ୍‌ ମାରିବା ସହ ବାଣ ଫୁଟାଇଥିଲେ ମଧ୍ୟ ହାତୀ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ପହଞ୍ଚିବା ପରେ ଘଉଡ଼ାଇବା ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଥିଲା। ୩୫ ମିନିଟ୍‌ ଧରି ଉଭୟ ବନ କର୍ମଚାରୀ ଓ ପିସିଆର ଭ୍ୟାନ୍‌ କର୍ମଚାରୀଙ୍କ ଉଦ୍ୟମ ଫଳରେ ହାତୀଟି ଭରତପୁର ଜଙ୍ଗଲକୁ ଫେରିଯାଇଥିଲା।

ବନ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଜଙ୍ଗଲ ପାଖରେ ଥିବା ଟ୍ରେଞ୍ଜକୁ ବାରମ୍ବାର ଖୋଳାଯାଉଥିଲେ ମଧ୍ୟ ବସ୍ତିବାସିନ୍ଦାମାନେ ତାହାକୁ ଅଳିଆ ପକାଇ ପୋତି ଦେଉଛନ୍ତି। ଯେଉଁଥିପାଇଁ ହାତୀ ପାଚେରି ଭାଙ୍ଗିବା ସହ ସେହି ବାଟରେ ସାଲିଆସାହି ଭିତରକୁ ପ୍ରବେଶ କରୁଛି। ଜଙ୍ଗଲକୁ ଲାଗି ରହିଥିବା ବସ୍ତିଗୁଡ଼ିକରେ ହାଣ୍ଡିଆ ତିଆରି କରାଯିବା ହାତୀଙ୍କୁ ସହର ମଧ୍ୟକୁ ଟାଣିବାର ଆଉ ଏକ କାରଣ। ହାଣ୍ଡିଆ ବାସ୍ନାକୁ ହାତୀ ଗୋଟେ ‌କିଲୋମିଟର ଦୂରରୁ ବାରି ପାରୁଥିବାରୁ ବସ୍ତିକୁ ଚାଲିଆସିବା ସ୍ବଭାବିକ ଘଟଣା ପାଲଟିଛି। ଗତକାଲି ଆସିଥିବା ଦନ୍ତା ହାତୀଟି ପୂର୍ବରୁ ମଧ୍ୟ ଦୁଇ ଥର ହାତୀଆଶୁଣି ବସ୍ତିକୁ ଆସିଥିବା ଅଧିକାରୀ ଜଣକ କହିଛନ୍ତି।
ପିସିଆର କର୍ମଚାରୀଙ୍କ କହିବା କଥା ହେଲା ଖବର ପାଇବା ପରେ ଆମେ ସଙ୍ଗେ ସଙ୍ଗେ ପହଞ୍ଚିଥିଲୁ। ଦୁଇଟି ପିସିଆରର ସାଇରନ୍‌ ବଜାଯାଇଥିଲା। ଟର୍ଚ ବ୍ୟବହାର କରି ତା ଉପରେ ଲାଇଟ୍‌ ପକାଯିବାରୁ ସେ ଦୌଡ଼ିଥିଲା। କୌଣସି ଲୋକଙ୍କ କ୍ଷତି କରି ନାହିଁ। ଦନ୍ତାକୁ ଦେଖି କେବଳ ଲୋକେ ଭୟଭିତ ହୋଇଯାଇଥିଲେ। ପାଚେରି ଉଚ୍ଚତା କମ୍‌ରୁ ହାତୀ ପଳେଇ ଆସୁଛନ୍ତି।

କୁହାଯାଏ ଯେ ଭତରପୁର ଜଙ୍ଗଲକୁ ଲାଗିରହିଥିବା ସାଲିଆସାହି ନିକଟ ଏକ ବସ୍ତିକୁ ହାଣ୍ଡିଆ ପିଇବାକୁ ପୂର୍ବରୁ ହାତୀମାନେ ଚାଲିଆସୁଥିଲେ। ଯେଉଁଥିପାଇଁ ଉକ୍ତ ବସ୍ତିର ନାମ ହାତୀଆଶୁଣି ରଖାଯାଇଥିଲା। ବର୍ତମାନ ସମୟ ବଦଳିଯାଇଛି। ବସ୍ତିବାସିନ୍ଦା ଧୀରେ ଧୀରେ ଜଙ୍ଗଲ ଆଡ଼କୁ ମାଡ଼ିଯାଇଛନ୍ତି। ଯେଉଁଥିପାଇଁ ସଙ୍କୁଚିତ ହୋଇଛି ହାତୀ ଟ୍ରେଞ୍ଜ। ଦୂର୍ବଳ ହୋଇଯାଇଛି ଅଭୟାରଣ୍ୟ ପଥର ପାଚେରି।

ସମ୍ବନ୍ଧିତ ଖବର