ମେଣ୍ଢାଶାଳ: ଗତ କିଛି ଦିନ ହେଲା ରତନପୁର ଜଙ୍ଗଲରେ ଡେରା ପକାଇଥିବା ଦନ୍ତା ହାତୀ ରାମୁ ଭରତପୁର ସଂରକ୍ଷିତ ଜଙ୍ଗଲକୁ ଫେରିଛି। ଗତକାଲି ରାତିରେ ଜିଏ ପ୍ଲଟ୍ରେ ପଶି ପ୍ରାୟ ୫ଜଣଙ୍କ ଘରର ପାଚେରି ଭାଙ୍ଗି ପକାଇଛି। ପୁଣି ଭୋର୍ ସମୟରେ ସେ ଜଙ୍ଗଲ ଭିତରକୁ ଫେରିଯାଇଛି। ରାମୁ ଫେରିବା ଯୋଗୁଁ ପୁଣି ରାଜଧାନୀ ଉପକଣ୍ଠରେ ଭୟର ବାତାବରଣ ଖେଳିଯାଇଛି। ଅନ୍ଧାରୁଆ, ଦାସପୁର, ଭରତପୁର, ଶ୍ୟାମପୁର, କଳିଙ୍ଗନଗର, ମଳିପଡ଼ା, ଗୋଠପାଟଣା ଆଦି ଅଞ୍ଚଳର ଲୋକମାନେ ରାତି ହେଲେ ଘରୁ ବାହାରିବାକୁ ଭୟ କରୁଥିବା ଜଣାପଡ଼ିଛି। ବିଶେଷକରି ରାତିରେ ରାମୁ ପାଇଁ ଚନ୍ଦକା-ଖଣ୍ଡଗିରି ରାସ୍ତା ଏକପ୍ରକାର ବନ୍ଦ ହୋଇଯାଇଛି ବୋଲି କୁହାଯାଉଛି। ଲୋକେ ଏକାଠି ହୋଇ ସତର୍କତାର ସହ ଯା’ଆସ କରୁଥିବା ଦେଖିବାକୁ ମିଳିଛି।
ଏନେଇ ବନ ବିଭାଗ ଲୋକଙ୍କୁ ସତର୍କ ସୂଚନା ଦେଇଛି। ରାମୁର ଗତିବିଧିକୁ ଲକ୍ଷ୍ୟ ରଖି ବନ କର୍ମଚାରୀମାନେ ଅନ୍ଧାରୁଆ ମାଳିମଠାରେ ଜଗି ରହୁଛନ୍ତି ବୋଲି ଚନ୍ଦକା ଡିଭିଜନ ଅଧିକାରୀ ମହମ୍ମଦ ଜମିଲ୍ କହିଛନ୍ତି। ରାମୁ ଏବେ ଭରତପୁର ଜଙ୍ଗଲରେ ରହୁଛି ଏବଂ ରାତି ହେଲେ ସ୍ବାଭାବିକ ଭାବେ ସେ ଜଙ୍ଗଲରୁ ବାହାରି ଜନବସତି ମୁହାଁ ହେବ। ଏବେ ଖଣ୍ଡଗିରି ମେଳା ଚାଲିଥିବାରୁ ଲୋକେ ରାତିରେ ଏହି ରାସ୍ତାରେ ଯିବା ଆସିବା କରିବେ। ତେଣୁ ସେମାନେ ବନ କର୍ମଚାରୀମାନଙ୍କ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି। ଅବଶ୍ୟ ଏବେ ରାମୁକୁ ଜଙ୍ଗଲରେ ହିଁ ରହିବାକୁ ସବୁ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରାୟ ୫ ଦିନ ପୂର୍ବେ ରାମୁ ପାଣିଓରା, ଛତାବର, ଅରିଶଲ, ଦେଉଳିଆପାଟଣା ମୁଣ୍ଡିଆ, ମଳିପଡ଼ା ଦେଇ ଭରତପୁର ଜଙ୍ଗଲକୁ ଫେରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/51-14.jpg)