୧୨ ବର୍ଷର ଅନ୍ତ ଘଟିଲା, ନିଜସ୍ବ ଜମି ଅଧିକାର କଲା ନୂଆପଲ୍ଲୀ ଥାନା

ଭୁବନେଶ୍ବର: ଦୀର୍ଘ ୧୨ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା। ବହୁ ବାଦବିବାଦ ଅତିକ୍ରମ କରି ଶେଷରେ ନୂଆପଲ୍ଲୀ ଥାନା ନିଜସ୍ବ ଜମି ଅଧିକାର କଲା। ଆଜି ନୂଆପଲ୍ଲୀ ଦୁର୍ଗାମଣ୍ଡପ ଓ ଆହର କେନ୍ଦ୍ର ପାଖ କାଠଗୋଲା ଜମିକୁ ଏଥିପାଇଁ ଅକ୍ତିଆର କରାଯାଇଛି। ଏଥିରେ ଥିବା ଏକ ଭାଗବତ ଟୁଙ୍ଗୀ ଓ ୫/୬ଟି ଦୋକାନକୁ ବିନା ପ୍ରତିବାଦରେ ଉଚ୍ଛେଦ କରାଯାଇଛି। ପୂର୍ବରୁ ଏହି ପ୍ଲଟରେ ଥାନା କୋଠା ନିର୍ମାଣ ପାଇଁ ବିରୋଧ କରାଯାଇଥି‌ଲେ ମଧ୍ୟ ଆଜି ଲୋକଙ୍କ ସମର୍ଥନ ମିଳିଥିଲା। ତେଣୁ ସୁରୁଖୁରୁରେ ଜମି ଅଧିଗ୍ରହଣ ହୋଇଯାଇଛି। ଖୁବ୍‌ ଶୀଘ୍ର ଏହି ଜମିରେ ନୂଆ କୋଠା ନିର୍ମାଣ କାମ ଆରମ୍ଭ କରାଯିବ।

କମିସନରେଟ ପୁଲିସ ଅଧୀନସ୍ଥ ନୂଆପଲ୍ଲୀ ଥାନା ଏକ ସମ୍ବେଦନଶୀଳ ଥାନା ଭାବେ ପରିଗଣିତ। ସହିଦନଗର ଓ ଖଣ୍ଡଗିରି ପରେ ନୂଆପଲ୍ଲୀ ଥାନାରେ ହିଁ ସର୍ବାଧିକ ମାମଲା ରୁଜୁ ହୁଏ। ଏହି ଥାନା ଅଧୀନରେ ମେ ଫେୟାର୍ ହୋଟେଲ, କଳିଙ୍ଗ ଷ୍ଟାଡିଅମ୍, ଏକାମ୍ର କାନନ ପାର୍କ, ନାଲ୍‌କୋ, ଇସ୍କନ୍, ପାସପୋର୍ଟ ଅଫିସ୍ ଓ ସିବିଆଇ ଭଳି ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ରହିଛି। ରାଜଧାନୀର ସବୁଠୁ ବଡ଼ ବସ୍ତି ସାଲିଆ ସାହି ଏହି ଥାନାର ଅନ୍ତର୍ଭୁକ୍ତ। ଏହା ସତ୍ତ୍ବେ ଏଭଳି ଏକ ସମ୍ବେଦନଶୀଳ ଥାନା ପାଇଁ ନିଜସ୍ବ ଜମିଟିଏ ମିଳିନଥିଲା। ୨୦୦୮ ମସିହାରେ ପୁଲିସ କମିସନର ବିଜୟ କୁମାର ଶର୍ମା ଥାନାର ନିଜସ୍ବ ଜମି ପାଇଁ ନୂଆପଲ୍ଲୀ ୩୯ ଵାର୍ଡସ୍ଥିତ ଭୋଇସାହିରେ ଏକ ଜମି ଚିହ୍ନଟ କରିଥିଲେ। କିନ୍ତୁ ଭୋଇସାହି ବାସିନ୍ଦାଙ୍କ ତୀବ୍ର ବିରୋଧ ଯୋଗୁଁ ଉକ୍ତ ଜମି ଅଧିଗ୍ରହଣ କରିବା ସମ୍ଭବ ହୋଇନଥିଲା। ଏଥିପାଇଁ ପୁଲିସକୁ ବେଶ୍ ସଂଘର୍ଷ କରିବାକୁ ପଡ଼ିଥିଲା। ଭୋଇସାହିବାସିନ୍ଦାମାନେ କମିସନରେଟ ପୁଲିସର ମୁଖ୍ୟାଳୟ ଘେରାଉ କରିବା ସହ ପୁଲିସ ସହ ମୁହାଁମୁହିଁ ହେବାକୁ ପଛାଇ ନଥିଲେ। ଫଳରେ ପୁଲିସ ଓ ସେମାନଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିଥିଲା। ଭୋଇସାହିର କିଛି ଲୋକ ଗିରଫ ହୋଇଥିଲେ ମଧ୍ୟ ଜମି ଛାଡ଼ିବା ପାଇଁ ଲଢ଼େଇରୁ ପଛକୁ ହଟିନଥିଲେ। ଫଳରେ ଉକ୍ତ ପ୍ଲଟ ଜବରଦଖଲମୁକ୍ତ ହୋଇପାରିନଥିଲା। ତେଣୁ ବାଧ୍ୟ ହୋଇ ଉକ୍ତ ବିବାଦୀୟ ପ୍ଲଟକୁ ଛାଡ଼ି ଅନ୍ୟ ଏକ ପ୍ଲଟ ଚିହ୍ନଟ କରିବା ପାଇଁ ପ୍ରଶାସନିକସ୍ତରରେ ସ୍ଥିର କରାଯାଇଥିଲା। ତେଣୁ ୨୦୧୫ ମସିହାରେ ଆହାର ପଛ ପାଖରେ ଥିବା କାଠଗୋଲା ଜମିଟିକୁ ଚୟନ କରାଯାଇଥିଲା। କିନ୍ତୁ ଏହି ପ୍ଲଟକୁ ମଧ୍ୟ ସ୍ଥାନୀୟ ‌ଲୋ‌କେ ବିରୋଧ କରିଥିଲେ। ଫଳରେ ପୁଣି ଲୋକଙ୍କୁ ବୁଝାଶୁଝା କରିବାରେ ୫ ବର୍ଷ ବିତିଗଲା। ଏବେ ସ୍ଥାନୀୟ ଲୋକେ ବୁଝି ଯିବା ପରେ ଆଉ ବିରୋଧ କରିନଥିଲେ। ଆଜି ଦିନ ପ୍ରାୟ ୧୧ଟା ବେଳେ ଜବରଦଖଲ ଉଚ୍ଛେଦ କାମ ଆରମ୍ଭ କରାଯାଇଥିଲା। ଜୋନ୍‌-୫ ଏସିପି ଅନିଲ କୁମାର ମିଶ୍ର ଓ ନୂଆପଲ୍ଲୀ ଥାନା ଆଇଆଇସି ଅରୁଣ କୁମାର ସ୍ବାଇଁଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସମର୍ଥନ ଯୋଗୁଁ ଉଚ୍ଛେଦ କାର୍ଯ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନଥିଲା।

ସମ୍ବନ୍ଧିତ ଖବର