ମରିନି ମାନବିକତା: ଅଟୋଚାଳକ ପିଣ୍ଟୁଙ୍କ ପାଇଁ ଯନ୍ତ୍ରୀ ଫେରିପାଇଲେ ଟଙ୍କା

ଭୁବନେଶ୍ବର: ‘ଆମେ ସାଧାରଣ ଗରିବ ଲୋକ। ଖଟି ଖାଇ ପେଟ ପୋଷିବା କଥା। ପର ଧନ ଉପରେ ଆଖି ପକାଇଲେ କ’ଣ ବା ଲାଭ ମିଳିବ?’ ଆଜି ବି ଏଭଳି ଚିନ୍ତାଧାରା ନେଇ କିଛି ଲୋକ ବଞ୍ଚିବାକୁ ଚାହୁଁଛନ୍ତି। କାହାର ବି ହଜିଥିବା ଜିନିଷ ବା ଟଙ୍କା ପାଇଲେ ତା’କୁ ଜଣେ ସାଧାରଣ ମଣିଷର କର୍ତ୍ତବ୍ୟ ଭାବି ଉକ୍ତ ଲୋକକୁ ଖୋଜି ଫେରାଇ ଦେଉଛନ୍ତି।

ଏଭଳି ନିଃସ୍ବାର୍ଥପର ମନୋଭାବ ନେଇ ବଞ୍ଚୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ମଞ୍ଚେଶ୍ବରସ୍ଥିତ ପୁରୁଷୋତ୍ତମ ବସ୍ତିର ବାଳକୃଷ୍ଣ ପାଢ଼ୀ ଓରଫ୍ ପିଣ୍ଟୁ। ଗତ ୮ ତାରିଖ ଦିନ ସେ ତାଙ୍କ ଅଟୋ ନେଇ ତମାଣ୍ଡୋ ଅଞ୍ଚଳକୁ ଯାଉଥିବା ବେ​ଳେ ସୌମ୍ୟରଂଜନ ମହାପାତ୍ର ନାମକ ଜଣେ ଯନ୍ତ୍ରୀ ତାଙ୍କ ଅଟୋରେ ବସିଥିଲେ। ତେବେ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ସୌମ୍ୟ ତାଙ୍କ ଲାପଟପ୍ ବ୍ୟାଗ୍ ଧରି ଅଟୋରୁ ଓହ୍ଲାଇ ଯାଇଥିଲେ ଏବଂ ପିଣ୍ଟୁଙ୍କ ଅଟୋ ପଛ ପଟେ ରଖିଥିବା ବ୍ୟାଗ୍‌ ନେବାକୁ ଭୁଲିଯାଇଥିଲେ। ସେଠାରୁ କିଛି ବାଟ ଗଲା ପରେ ପିଣ୍ଟୁ ସୌମ୍ୟଙ୍କ ବ୍ୟାଗ୍ ଦେଖିଥିଲେ ଏବଂ ତାଙ୍କୁ ଫେରାଇବା ପାଇଁ ସେଠାକୁ ଯାଇଥିଲେ। ତେବେ ସେ ସୌମ୍ୟଙ୍କୁ ନ ପାଇବାରୁ ବାଧ୍ୟ ହୋଇ ନିକଟସ୍ଥ ତମାଣ୍ଡୋ ଥାନାରେ ବ୍ୟାଗ୍ ଦେଇ ନିଜର ଫୋନ୍ ନମ୍ବର ଓ ଘର ଠିକଣା ଦେଇ ଘରକୁ ଫେରି ଆସିଥିଲେ।

ଏଣେ ବ୍ୟାଗ୍‌ରେ ଥିବା ଏଟିଏମ୍‌ କାର୍ଡ, ଟଙ୍କା, ଆଧାର, ପାନ୍‌କାର୍ଡ଼ ଭ​ଳି ଗୁରୁତ୍ବପୂର୍ଣ୍ଣ ଜିନିଷକୁ ହଜାଇ ସୌମ୍ୟ ଫେରିପାଇବା ଆଶା ଛାଡ଼ିଦେଇଥିଲେ ଏବଂ ସେ କାର୍ଯ୍ୟ କରୁଥିବା ଝାଡ଼ଖଣ୍ଡସ୍ଥିତ କମ୍ପାନିକୁ ପଳାଇଥିଲେ। ତେବେ ପୁଲିସ୍ ସୌମ୍ୟଙ୍କ ସହ ଯୋଗାଯୋଗ କରି ତାଙ୍କ ବ୍ୟାଗ୍ ନେବା ପାଇଁ କହିବା ପରେ ସେ ତାଙ୍କ ବନ୍ଧୁଙ୍କ ସହାୟତାରେ ବ୍ୟାଗ୍ ଆଣିଥିଲେ। ପିଣ୍ଟୁ ଏଭଳି ପ୍ରଥମ ଥର ପାଇଁ ନୁହେଁ; ପୂର୍ବରୁ ମଧ୍ୟ ଜଣେ ବ୍ୟକ୍ତିଙ୍କ ସ୍ମାର୍ଟଫୋନ୍ ମଧ୍ୟ ଫେରାଇଥିବା କହିଛନ୍ତି। ନିଜ କର୍ମ ଉପରେ ବିଶ୍ବାସ ରଖୁଥିବା ପିଣ୍ଟୁ ଗରିବ ହେଲେ ମଧ୍ୟ ଆଜି ମାନବିକତା ବଞ୍ଚିଛି ବୋଲି ଜଣାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର