ମନୋରଞ୍ଜନ ଶିଳ୍ପକୁ ଦୁର୍ଦ୍ଦିନରୁ ମୁକୁଳାଇବାକୁ ହେବ: ସୌମ୍ୟ

ବିଜୟ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି; ମଞ୍ଚସ୍ଥ ହେଲା ନାଟକ ‘ଅରୂପା ରୂପା’

ଭୁବନେଶ୍ବର: ଓଡ଼ିଶାର କଳା, ସଂସ୍କୃତି ପ୍ରତି ରୁଚି ରଖୁଥିବା ବ୍ୟକ୍ତି ବିଜୟ ମିଶ୍ର ନାମ ସହ ବେଶ୍‌ ପରିଚିତ। ତାଙ୍କ ନାଟକର ତୁଳନା କରାଯାଇନପାରେ। ଓଡ଼ିଶାର କଳା ଜଗତ ଓ ମନୋରଞ୍ଜନ ଶିଳ୍ପ ଅତ୍ୟନ୍ତ ଦୁର୍ଦ୍ଦିନରେ ଅଛି ବୋଲି କୁହାଯାଉଛି। ତେବେ ଏହି ଦୁର୍ଦ୍ଦିନରୁ ମୁକୁଳିବା ପାଇଁ କି ପ୍ରକାର ବାଟ ଅଛି, ସେ ବିଷୟରେ ଅଧିକ ସତର୍କ ହୋଇପାରିଲେ ତାହା ବିଜୟ ମିଶ୍ରଙ୍କୁ ଉପଯୁକ୍ତ ସମ୍ମାନ ହେବ ବୋଲି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ‌ଆଜି ରବୀନ୍ଦ୍ର ମଣ୍ଡପରେ ‘ବିଜୟ’ ଏକ ଉଚ୍ଛ୍ବାସର ଦଶମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏବେ ନାଟକ ପୁଣି ଦର୍ଶକଙ୍କ ପାଖକୁ ଫେରିଛି ବୋଲି ଗୋଟେ ଅନୁଭବ ଆରମ୍ଭ ହେଲାଣି ବୋଲି କହିଥିଲେ। ‘ବିଜୟ’ ଏକ ଉଚ୍ଛ୍ବାସ ପକ୍ଷରୁ ଏଭଳି ଗୁଣାତ୍ମକ ନାଟକ ପରିବେଷଣ କରାଗଲେ ଏହି ଧାରା ଆଗକୁ ମଧ୍ୟ ବଜାୟ ରହିବ ବୋଲି ସେ କହିଥିଲେ।

ଏହି ଅବସରରେ ସ୍ମରଣିକା ‘ବିଜୟବାସ’କୁ ଶ୍ରୀ ପଟ୍ଟନାୟକ ଲୋକାର୍ପଣ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଡ. ବିଜୟ ଚୌଧୁରୀଙ୍କୁ ‘ବିଜୟ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ ପୁଲିନ୍‌ ସାହୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଅଜୟ ମିଶ୍ର ଧନ୍ୟବାଦ ଦେଇଥିଲେ। ସ୍ବର୍ଗତ ବିଜୟ ମିଶ୍ରଙ୍କ ପରିକଳ୍ପନାର ନାଟକ ‘ଅରୂପା ରୂପା’-ଏକ ରୂପାନ୍ତରିତ ସମ୍ପର୍କ ମଞ୍ଚସ୍ଥ ହୋଇଥିଲା। ନାଟକକୁ ଅରବିନ୍ଦ ମିଶ୍ର ରଚନା ଓ ନିର୍ଦ୍ଦେଶନା ଦେଇଥିବା ବେଳେ ଅନ୍ତର୍ଯ୍ୟାମୀ ପଣ୍ଡା ମଞ୍ଚ ପରିକଳ୍ପନା କରିଥିଲେ।

ନାଟକର କାହାଣୀ ଅନୁସାରେ ଅଭିନନ୍ଦନ ଓ ଅନୁରୂପା ନୂଆ ପିଢ଼ିର ପ୍ରତିନିଧି। ଦୁହେଁ ଦୁହିଁଙ୍କୁ ପସନ୍ଦ କରନ୍ତି ଓ ବାହା ହେବା ପାଇଁ ସ୍ଥିର କରିଛନ୍ତି। ସେଥିପାଇଁ ଏକାଠି ରହୁଛନ୍ତି। କିନ୍ତୁ ବୃତ୍ତିଗତ ଜୀବନ ସମ୍ପୂର୍ଣ୍ଣ ଅଲଗା। କେହି କାହାର ବୃତ୍ତିଗତ ଜୀବନକୁ ପ୍ରବେଶ କରିବାକୁ ବରଦାସ୍ତ କରିପାରନ୍ତି ନାହିଁ। ସମୟକ୍ରମେ ଦୁହିଁଙ୍କ ପ୍ରେମ ଓ ସମ୍ପର୍କର ପରିଭାଷା ବଦଳିଯାଏ। ଏବେ ଖାଲି ଉଭୟ ପରସ୍ପର ପାଇଁ ଏକ ଅସମାହିତ ପ୍ରଶ୍ନବାଚୀ। ନାଟକରେ ସମ୍ପର୍କ କିଭଳି ରୂପାନ୍ତରିତ ହେଉଛି ତାକୁ କଳାକାର ମାନେ ଅଭିନୟ ମାଧ୍ୟମରେ ଦର୍ଶାଇଥିଲେ। ନାଟକରେ ଶୁଭ୍ରାଂଶୁ ବେହେରା, ଧରମାଶିଷ ବେହେରା, ସନ୍ତୋଷ ସାହୁ, ବ୍ୟୋମକେଶ ରାଜଗୁରୁ, ରାକେଶ ପରିଡ଼ା, ସତ୍ୟବ୍ରତ ଦାସ, ରାଜୀବ ମହାପାତ୍ର, ନୂତନ ଓ ସୃଷ୍ଟି ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର