ବଡ଼ ଠକେଇର ପର୍ଦ୍ଦାଫାସ କଲା ଇଓଡବ୍ଲ୍ୟୁ: ର’ ଏଜେଣ୍ଟ୍‌, ଆଇଏଏସ୍ ସାଜି ଠକୁଥିଲେ

ଓଡ଼ିଶାରୁ ଦିଲ୍ଲୀଯାଏ ଲମ୍ବିଛି ଠକେଇର ଚେର, ଷ୍ଟିଲ୍ କମ୍ପାନିକୁ ୧.୧୭କୋଟିର ଚୂନ ଲଗାଇଥିଲେ

ଭୁବନେଶ୍ବର: ନକଲି ଅଫିସର ସାଜି ବଡ଼ବଡ଼ ସଂସ୍ଥାମାନଙ୍କୁ ସରକାରୀ କାମ ଯୋଗାଇ ଦେବା ନାଁରେ କୋଟି କୋଟି ଟଙ୍କାର ଚୂନ ଲଗାଉଥିବା ଏକ ବଡ଼ଧରଣର ଠକେଇ ରୢାକେଟ୍‌ର ପର୍ଦ୍ଦାଫାସ୍ କରିଛି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ନକଲି ଆଇଏଏସ୍‌ ସାଜି ଏକ ଷ୍ଟିଲ୍ କମ୍ପାନିକୁ ପ୍ରଧାନମନ୍ତ୍ରୀ ଯୋଜନାରେ କାମ ଦେବା ନାଁରେ କୋଟିଏ ୧୭ ଲକ୍ଷ ଟଙ୍କାର ଚୂନ ଲଗାଇବା ଅଭିଯୋଗରେ ଏହି ଠକ ରୢାକେଟ୍‌ର ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରୢାକେଟ୍‌ର ମାଷ୍ଟରମାଇଣ୍ଡ ଦିଲ୍ଲୀର ରାଜେଶ ଗେହଲଟ ଓ ଅନ୍ୟ ଜଣେ ଯୁବତୀ ଫେରାର୍ ହୋଇଯାଇଛନ୍ତି। ଗିରଫ ଦୁଇ ଠକ ‌ହେଲେ କଟକ ଡିରୋକ୍ଟୋରେଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ୍ ଟ୍ରେନିଂ(ଡିଟିଇଟି)ର କିରାଣି ସୂର୍ଯ୍ୟମଣି ତ୍ରିପାଠୀ ଏବଂ ତାଙ୍କ ସହଯୋଗୀ ଭୁବନେଶ୍ବରର ଅମିତ କୁମାର।

ରିକବ ଚନ୍ଦ ମୁନଟ ଓରଫ୍ ମୁକେଶ ଜୈନଙ୍କ ନୂଆଦିଲ୍ଲୀ ଆସଫ୍‌ ଅଲ୍ଲୀ ରୋଡ୍‌ରେ ରାଷ୍ଟ୍ରୀୟ ଷ୍ଟେନ୍‌ଲେସ୍ ଷ୍ଟିଲ୍ ନାମରେ ଏକ ସଂସ୍ଥା ରହିଛି। ୨୦୧୭ରେ ରିକବଙ୍କର ଜଣେ ସାଙ୍ଗ ତାଙ୍କୁ ଷ୍ଟିଲ୍ କମ୍ପାନିର ମୁନାଫା କରେଇବା ପାଇଁ ଦିଲ୍ଲୀର ରାଜେଶ ଗେହଲଟଙ୍କ ସହ ପରିଚିତ କରାଇଥିଲେ। ରାଜେଶ ନିଜକୁ ଜଣେ ର’ ଏଜେଣ୍ଟ୍ ବୋଲି କହିବା ସହିତ ତାଙ୍କର ବିଭିନ୍ନ ରାଜ୍ୟରେ ଅନେକ ବ୍ୟୁରୋକ୍ରାଟ୍‌ଙ୍କ ସହ ପରିଚୟ ଥିବା କହିଥିଲେ। ଏମାନେ ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଓ ଅତିରିକ୍ତ ସଚିବ ଭଳି ଉଚ୍ଚ ପଦପଦବିରେ ଥିବାରୁ ସେମାନଙ୍କ ଦ୍ବାରା ସରକାରୀ ପ୍ରକଳ୍ପରେ କାମ ଦେଇପାରିବେ ବୋଲି ତା‌ଙ୍କ ମନରେ ବିଶ୍ବାସ ଜନ୍ମାଇଥିଲେ। ଏନେଇ ରିକବ ଓ ରାଜେଶଙ୍କ ମଧ୍ୟରେ ନୂଆଦିଲ୍ଲୀ ଚାଣକ୍ୟପୁରୀରେ ଥିବା ଓଡ଼ିଶା ନିବାସ ଓ ଅନ୍ୟାନ୍ୟ ହୋଟେଲ୍‌ରେ ଏକାଧିକ ଥର ବୈଠକ ହୋଇଥିଲା। ବୈଠକରେ ରାଜେଶ ଡିଟିଇଟିର କିରାଣି ସୂର୍ଯ୍ୟମଣିଙ୍କୁ ଆଣି ତାଙ୍କ ସହ ଦେଖା କରାଇଥିଲେ। ସୂର୍ଯ୍ୟମଣିଙ୍କୁ ସେ ଓଡ଼ିଶା ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଏବଂ ଅମିତଙ୍କ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ବୋଲି ପରିଚୟ କରାଇଥିଲେ। ଏହା ପରେ ସୂର୍ଯ୍ୟମଣି ତାଙ୍କୁ ପ୍ରଧାନମନ୍ତ୍ରୀ ଯୋଜନା ମାଧ୍ୟମରେ ରାଜ୍ୟର ୩୦ଟି ଜିଲ୍ଲା ଓ ୩୧୪ ବ୍ଲକ୍‌ରେ ଶହ ଶହ କୋଟି ଟଙ୍କାର ସରକାରୀ ପ୍ରକଳ୍ପର କାମ ଯୋଗାଇଦେବେ ବୋଲି କହିଥିଲେ। ତେଣୁ ପ୍ରକଳ୍ପ ପାଇଁ ତାଙ୍କୁ ଓଡ଼ିଶା ଆସି ବାକି ଡିଲ୍ ଆଗକୁ ବଢ଼ାଇବାକୁ ପଡ଼ିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ଏ ଠକ ରୢାକେଟ୍‌ର ଚାଲ୍ ବୁଝି ନ ପାରି ରିକବ୍‌ ଓଡ଼ିଶାସ୍ଥିତ ତାଙ୍କ ଷ୍ଟିଲ୍ କମ୍ପାନିର ଶାଖାକୁ ଆସିଥିଲେ। ଭୁବନେଶ୍ବରର ଘାଟିକିଆରେ ଥିବା ରାଷ୍ଟ୍ରୀୟ ଷ୍ଟିଲ୍ କମ୍ପାନି ଶାଖାକୁ ରିକବ୍‌ଙ୍କ ପୁଅ ଅକ୍ଷୟ ମୁନଟ ଓରଫ୍ ଜୈନ ବୁଝାବୁଝି କରୁଥିଲେ। ତେଣୁ ପୁଅ ସେଠାରେ ଶାଖା ଖୋଲି ବସିଥିବାରୁ ଧୂର୍ତ୍ତଙ୍କ ଯୋଜନାରେ ରାଜି ହୋଇ ଭୁବନେଶ୍ବରକୁ ଆସିଥିଲେ ରିକବ। ପୂର୍ତ୍ତ ବିଭାଗ ନାଁ’ରେ ଜାଲ୍ ଵାର୍କ୍ ଅର୍ଡର ଦେବା ପୂର୍ବରୁ ରାଜେଶ ଓ ସୂର୍ଯ୍ୟମଣି କୋର୍ଟରେ ଏକ ଚୁକ୍ତିନାମା କରିବାକୁ କହିଥିଲେ। କୋର୍ଟ ଚୁକ୍ତିପତ୍ର କଥା ଶୁଣି ରିକବଙ୍କ ମନରେ ସରକାରୀ ପ୍ରକଳ୍ପରେ କାମ ପାଇବାକୁ ନେଇ ଆହୁରି ବିଶ୍ବାସ ବଢ଼ିଯାଇଥିଲା। ଠକମାନେ ଭୁବନେଶ୍ବର କୋର୍ଟକୁ ବାପ-ପୁଅଙ୍କୁ ନେଇଥିଲେ। ଏହା ପରେ ପୂର୍ବ ଯୋଜନା ଅନୁଯାୟୀ ସୂର୍ଯ୍ୟମଣି ଏକ ଜାଲ୍‌ କାଗଜରେ ନିର୍ମାଣସୌଧର ସହକାରୀ ଯନ୍ତ୍ରୀଙ୍କ ଏକ ଜାଲ୍‌ ଦସ୍ତଖତ ଚୁକ୍ତିପତ୍ରରେ କରାଇଥିଲେ। କେବଳ ରିକବ୍‌ଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ସେମାନଙ୍କୁ କୋର୍ଟ ସମ୍ମୁଖରେ ଛିଡ଼ା କରି ଭିତରକୁ ଯାଇଥିଲେ। ଏହାର କିଛି ସମୟ ପରେ କାଗଜପତ୍ର ନେଇ ଆସିଥିଲେ। ଏହି ଚୁକ୍ତିପତ୍ରରେ ରିକବଙ୍କ ପୁଅ କମ୍ପାନିର ମୁଖ୍ୟ ଭାବେ ପୂର୍ତ୍ତ ବିଭାଗ ସହ ସ୍ବାକ୍ଷର କରିଥିଲେ। ଏହି ପର୍ବ ସରିଯିବା ପରେ କାର୍ଯାଦେଶ ପାଇବା ପାଇଁ ଟ୍ରେଜେରି ଅଫିସ୍‌ରେ ୨୫ଲକ୍ଷ ଟଙ୍କା ଦାଖଲ କରିବାକୁ ଠକମାନେ ରକିବ୍‌ଙ୍କୁ କହିଥିଲେ। ଏଥିପାଇଁ ସୂର୍ଯ୍ୟମଣି ଜଣେ ମହିଳାଙ୍କୁ ଟ୍ରେଜେରି ଅଫିସର ଭାବେ ପରିଚୟ ଦେଇ ରିକବଙ୍କ ପାଖରୁ ୨୫ଲକ୍ଷ ଟଙ୍କା ଚଳୁ କରି ନେଇଥିଲା। ଏହିଭଳି ଅନେକ ସମୟରେ ଆଳ କରି ଧୂର୍ତ୍ତମାନେ ବାପ-ପୁଅଙ୍କ ଠାରୁ କୋଟିଏ ୧୭ଲକ୍ଷ ଟଙ୍କା ନେଇ ଯାଇଥିଲେ।

ଏହା ପରେ ରାଜେଶର ଏହି ଠକ ଗୋଷ୍ଠୀ ରିକବଙ୍କୁ ୪ଟି ପର୍ଯ୍ୟାୟରେ ପ୍ରାୟ ୮୭କୋଟି ଟଙ୍କାର ଜାଲ୍ କାର୍ଯ୍ୟାଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ୧୫ମାର୍ଚ୍ଚ ୨୦୧୮ରେ ବିଭିନ୍ନ ବ୍ରିଜ୍‌ର ରଙ୍ଗକାମ ଓ ମରାମତି ପାଇଁ ୩ କୋଟି ଓ ୪କୋଟି ଏବଂ ୨୧ ଅଗଷ୍ଟରେ ୨୦୧୮ରେ ସମସ୍ତ ଜିଲ୍ଲା ଓ ବ୍ଲକ୍‌ରେ ପାଇପ୍ ଲାଇନ୍ ଓ ପମ୍ପ୍ ହାଉସ୍ କାମ କରିବା ପାଇଁ ପ୍ରଥମେ ୩୨କୋଟି ୫୨ଲକ୍ଷ ଏବଂ ପରେ ୪୭କୋଟି ୫୨ଲକ୍ଷ ଟଙ୍କାର ଜାଲ୍ କାର୍ଯ୍ୟାଦେଶ ଦେଇଥିଲେ। ତେବେ ଏତେ ବଡ଼ ସରକାରୀ ପ୍ରକଳ୍ପ କାମ କରାଇବା ପାଇଁ ୮୭କୋଟିର ଅଗ୍ରୀମ ୨୦ପ୍ରତିଶତ ଟଙ୍କା କାମ କରିବା ପାଇଁ ଦରକାର ବୋଲି ଅମିତ ରକିବଙ୍କୁ ବୁଝାଇଥିଲେ। ଏହା ପରେ ଭୁବନେଶ୍ବର ୟୁନିଟ୍-୪ସ୍ଥିତ ଆକ୍ସିସ ବ୍ୟାଙ୍କ୍‌ରୁ ୨ଟି ପର୍ଯ୍ୟାୟରେ ଯଥାକ୍ରମେ କୋଟିଏ ୫୨ଲକ୍ଷ ଓ ୩କୋଟି ୧୬ଲକ୍ଷ ଟଙ୍କା ଏହିଭଳି ମୋଟ ୪କୋଟି ୬୮ଲକ୍ଷ ଟଙ୍କାର ସ୍ଥାନାନ୍ତରଣ କରାଯିବ ବୋଲି ଏକ ଚିଠି ଦେଇଥିଲେ। ଚିଠି ଦେବାର କିଛିଦିନ ପରେ ବ୍ୟାଙ୍କ୍‌ରୁ ଟଙ୍କା ନ ଆସିବାରୁ ରିକବ୍ ଏନେଇ ଯୋଗାଯୋଗ କରିଥିଲେ ବି ଠକମାନେ ଏତେ ପରିମାଣର ଟଙ୍କା ସଙ୍ଗେ ସଙ୍ଗେ ଆକାଉଣ୍ଟକୁ ଆସିପାରିବନି କହି ଭୁଆଁ ବୁଲାଇଥିଲେ। ତେବେ ଏନେଇ ରିକବଙ୍କର ସନ୍ଦେହ ହେବାରୁ ସୂର୍ଯ୍ୟମଣି ସତରେ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି କି ନାହିଁ ଜାଣିବା ଲାଗି ସେ ଆର୍‌ଟିଆଇରେ ତଥ୍ୟ ମଗାଇଥିଲେ। ଏହା ସହିତ ଅନ୍ୟ ସମସ୍ତଙ୍କ ବିଷୟରେ ମଧ୍ୟ ସେ ତଥ୍ୟ ମଗାଇଥିଲେ। ଆର୍‌ଟିଆଇ ତଥ୍ୟରୁ ଏକଥା ଜଣାପଡ଼ିଥିଲା ଯେ ସୂର୍ଯ୍ୟମଣି ଅତିରିକ୍ତ ସଚିବ ନୁହେଁ; ବରଂ କଟକ ଡିଏମଇଟିର କିରାଣି ଅଛନ୍ତି ଏବଂ ର’ ବିଭାଗରେ ରାଜେଶ ଗେହଲଟ ନାମରେ କୌଣସି ଲୋକ ନାହାନ୍ତି। ସେହିଭଳି ଅମିତ ଜଣେ ବେକାର, ସେ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେଣୁ ରକିବ୍ ଜାଣିବାକୁ ପାଇଥିଲେ ଯେ ସେ ବଡ଼ ଠକେଇର ଶିକାର ହୋଇଛନ୍ତି। ତେଣୁ ସେ ଏ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ର ଦ୍ବାରସ୍ଥ ହୋଇଥିଲେ।

ଇଓଡବ୍ଲୁ ଏହି ମାମଲାର ଖୋଳତାଡ଼ କରି ସୂର୍ଯ୍ୟମଣି ଓ ଅମିତଙ୍କୁ ଗିରଫ କରିବା ପରେ ସେମାନଙ୍କ ଘରେ ଚଢ଼ାଉ କରି ଅନେକ ସରକାରୀ ବିଭାଗର ଜାଲ୍ ଵାର୍କ ଅର୍ଡର, ଷ୍ଟାମ୍ପ ପେପର, ବିଭିନ୍ନ କର୍ମଚାରୀଙ୍କ ନକଲି ଦସ୍ତଖତ ଆଦି ପାଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ସୂର୍ଯ୍ୟମଣିଙ୍କ ମୋବାଇଲ୍‌ରେ ରାଜ୍ୟର ଅନେକ ଆଇଏଏସ୍, ଆଇପିଏସ୍, ଜୁଡିସିଆଲ ମାଜିଷ୍ଟ୍ରେଟ୍, ଉଚ୍ଚପଦସ୍ଥ ଅଧିକାରୀ ଓ କର୍ମଚାରୀଙ୍କ ନମ୍ବର ପାଇଥିଲେ। ଏହି ଯୋଗାଯୋଗ ନମ୍ବର ଦେଖାଇ ଏହି ଠକ ଗୋଷ୍ଠୀ ଏହିଭଳି ଅନେକ ଲୋକଙ୍କୁ ଠକିଥିବା ଇଓଡବ୍ଲୁ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର