ସାବରମତୀର ମୂଳ ଚେହେରାରେ ହିଁ ରହିଛି ପବିତ୍ରତା

ଜନତା ଜନାର୍ଦ୍ଦନ

ବାପୁଙ୍କ ସାବରମତୀର ମୂଳ ଚେହେରାରେ ରହିଛି ତାଙ୍କ ଆତ୍ମା। ସେ ଇଛା କରିଥିଲେ, ସେତେବେଳେ ବହୁ ବଡ଼ବଡ଼ ଲୋକ ସାବରମତୀକୁ ସୁଦୃଶ୍ୟ କୋଠାରେ ପରିଣତ କରିପାରିଥାଆନ୍ତେ! ମାତ୍ର ସେ ତାହା କରିନଥିଲେ। କାରଣ ଗ୍ରାମୀଣ ଭାରତର ଆତ୍ମା ସାବରମତୀରେ ପ୍ରତିଫଳିତ ହେଉଥିଲା। ଏବେ ସରକାର ତାହାକୁ ନବୀକରଣ କରିବାକୁ ଯୋଜନା କରୁଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ନବୀକରଣ କରିବେ ଓ ସେଠି ସାତ ତାରକା ସୁଦୃଶ୍ୟ କୋଠା ଠିଆ କରାଇବେ। ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ସାବରମତୀ ବଞ୍ଚାଇବାକୁ ଗାନ୍ଧୀପ୍ରେମୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ନବୀକରଣ ସାବରମତୀର ପବିତ୍ରତା ନଷ୍ଟ କରିବ ବୋଲି ଅଭିଯୋଗ କରିଛନ୍ତି। ତେବେ ଏହାକୁ ମଧ୍ୟ ଅନେକ ସମର୍ଥନ କରୁଛନ୍ତି। ଆଜି ଭୁବନେଶ୍ବରରୁ ମିଳିଥିବା କିଛି ପ୍ରତିକ୍ରିୟାକୁ ନେଇ ଏହି ଉପସ୍ଥାପନା।

ବାପୁଜୀଙ୍କ ଆତ୍ମାକୁ ଶାନ୍ତି ମିଳିବନି

ଗାନ୍ଧୀଙ୍କ ସ୍ମୃତିକୁ ନେଇ ହୀନ ରାଜନୀତି କରାନଯାଉ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ ଦେଶବାସୀଙ୍କ ଭାବାବେଗ ଜଡ଼ିତ। ସାବରମତୀ ଆଶ୍ରମକୁ ନବୀକରଣ କରି ବ୍ୟବସାୟୀକରଣ କରାନଯାଉ। ବରଂ କେନ୍ଦ୍ର ସରକାର ଓ ଗୁଜୁରାଟ ସରକାର ଏଥିରେ ବ୍ୟୟ କରିବାକୁ ଥିବା ଟଙ୍କାକୁ ଗରିବ ଲୋକଙ୍କ ହିତରେ ଖର୍ଚ୍ଚ କଲେ, ବାପୁଜୀଙ୍କ ଆତ୍ମାକୁ ଶାନ୍ତି ମିଳିବ। ଏହାର ନବୀକରଣ ତାଙ୍କ ଆତ୍ମାକୁ ଶାନ୍ତି ଦେବନାହିଁ।
ବିରାଶ ଶତପଥୀ

ପବିତ୍ରତା ଲୋପ ପାଇବ
ସାବରମତୀ ଆଶ୍ରମ ଏକ ଐତିହ୍ୟସ୍ଥଳ। ଏହାର ନବୀକରଣ କରିବା ଅର୍ଥ ଏହାର ମୌଳିକତାକୁ ନଷ୍ଟ କରିବା। ମୌଳିକତା ନଷ୍ଟ ହେ‌ଲେ ପବିତ୍ରତା ବି ଲୋପ ପାଇଯାଏ। ତେଣୁ କେନ୍ଦ୍ର ଓ ଗୁଜୁରାଟ ସରକାର ଏଭଳି ଅପଚେଷ୍ଟାରୁ ବିରତ ରହିବା ଉଚିତ।
ଜୟକୃଷ୍ଣ ମଲିଆ

ମୌଳିକତା ଓ ପବିତ୍ରତା ନଷ୍ଟ ହେବ
ଶାନ୍ତ ଓ ମନୋରମ ପରିବେଶରେ ଥିବା ସାବରମତୀ ଆଶ୍ରମଟି ଶାନ୍ତିର ବାର୍ତ୍ତା ବହନ କରେ। ଏହା ଗାନ୍ଧୀଙ୍କ ବିଚାରର ଅମୂଲ୍ୟ ସ୍ଥଳ। ନବୀକରଣ ହେଲେ ଏହାର ମୌଳିକତା ଓ ପବିତ୍ରତା ନଷ୍ଟ ହେବ। ନବୀକରଣ ଯୋଜନା ସରକାରଙ୍କ ବ୍ୟବସାୟକରଣ ଚରିତ୍ରକୁ ସ୍ପଷ୍ଟ ଇଙ୍ଗିତ କରୁଛି।
ବେଣୁଧର ପ୍ରଧାନ

ନବୀକରଣ ନାଁରେ ହୀନ ରାଜନୀତି
ଆଶ୍ରମର ନବୀକରଣ ନାଁରେ କେନ୍ଦ୍ର ସରକାର ହୀନ ରାଜନୀତି କରୁଛନ୍ତି। ଆଶ୍ରମର ପ୍ରକୃତ ଚେହେରା ହେଉଛି ଗାନ୍ଧୀଙ୍କ ମନ ଓ ଆତ୍ମା। ତେଣୁ ତାହାକୁ ବଦଳାଇବା ବା ନବୀକରଣ କରିବା ଦ୍ବାରା ତାଙ୍କ ଆତ୍ମାକୁ କୁଠାରଘାତ କରିବା ଭଳି ହେବ।
ଚନ୍ଦନ ନାଗ

ଆଶ୍ରମର ଜିନିଷକୁ ସାଇତି ନବୀକରଣ ହେଉ
ନବୀକରଣ ହେଲେ, ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ଗାନ୍ଧୀଜୀଙ୍କ ବିଷୟରେ ଜାଣିବା ପାଇଁ ଭିଡ଼ ହେବ। ତେବେ ନବୀକରଣ ବେଳେ ଆଶ୍ରମର ମୂଲ୍ୟବାନ ଜିନିଷ କ୍ଷତିଗ୍ରସ୍ତ ନହେବା ଦରକାର। ସେଠାରେ ବାସ କରୁଥିବା ଖଦୀ ବୁଣାକାରମାନଙ୍କର ଯେମିତି କିଛି ଅସୁବିଧା ନହୁଏ, ସେପ୍ରତି ସରକାର ଦୃଷ୍ଟି ଦେବା ନିହାତି ଦରକାର।
ନୈନା ସାହୁ

ଇତିହାସ ବିକୃତ ହେବ
ସାବରମତୀ ଆଶ୍ରମକୁ ନୂଆ ରୂପ ଦେଇ ୭ ତାରକା ବିଶିଷ୍ଟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ହେଉଥିବା ଯୋଜନା ଇତିହାସକୁ ବିକୃତ କରିବ। ଏହି ଆଶ୍ରମ ଆମ ଇତିହାସର ଏକ ଅଂଶ। ତେଣୁ ଏହାର ଅସଲ ପରିଚୟକୁ ରକ୍ଷା କରିବା ପାଇଁ ସବୁ ଦିଗରୁ ଉଦ୍ୟମ ହେବା ଆବଶ୍ୟକ।
ଭକ୍ତ ଶେଖର ରାୟ

ଅସଲ ଚେହେରାରେ ଥାଏ ପବିତ୍ରତା
ସାବରମତୀ ଆଶ୍ରମରେ ଐତିହାସିକ ସ୍ମୃତି ଅଛି। ଏହା ଗାନ୍ଧୀ ଏବଂ ଗାନ୍ଧିବାଦର ପ୍ରତୀକ ରୂପେ ଛିଡ଼ା ହୋଇଛି। ଏଠାରୁ ହିଁ ଗାନ୍ଧୀଜୀଙ୍କ ବିଭିନ୍ନ ଆନ୍ଦୋଳନର ଯୋଜନା ପ୍ରସ୍ତୁତ କରାଯାଉଥିଲା। ତେଣୁ ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ଭାବାବେଗ ଏହି ଆଶ୍ରମ ସହ ଜଡ଼ିତ ହୋଇରହିଛି। ଦେଶରେ ଅନ୍ୟାନ୍ୟ ଧର୍ମସ୍ଥଳୀଗୁଡ଼ିକ ଅବହେଳିତ ଅବସ୍ଥାରେ ଅଛି। ସରକାର ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ସାବରମତରୀ ଆଶ୍ରମର ଅସଲ ଚେହେରା ହିଁ ତା’ର ପବିତ୍ରତା।
ଗଣେଶ କୁମାର ନାଏକ

ସଂଗ୍ରହାଳୟର ସବୁ ଜିନିଷ ସୁରକ୍ଷିତ ରହୁ
ସାବରମତୀ ଆଶ୍ରମର ପୁନଃ ନିର୍ମାଣ ହେବା ଆବଶ୍ୟକ। କିନ୍ତୁ ସେଠାରେ ଥିବା ଗାନ୍ଧୀଜୀଙ୍କର ସବୁ ସ୍ମୃତି ସୁରକ୍ଷିତ ରହିବା ଦରକାର। ସେଠାକୁ ଆସୁଥିବା ଲୋକମାନେ ଗାନ୍ଧୀ ସ୍ମୃତି ସହିତ କେମିତି ଯୋଡ଼ି ହେବେ, ସେ ଦିଗରେ ସରକାର କାର୍ଯ୍ୟ କରିବା ନିତାନ୍ତ ଜରୁରୀ।
ଯୁଧିଷ୍ଠିର ବେହେରା

ପର୍ଯ୍ୟଟକ ଦେଖନ୍ତୁ ଗାନ୍ଧୀଙ୍କ ଅସଲ ଆଶ୍ରମ
ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ଏହା ଦ୍ବାରା ପଟେଲ୍‌ଙ୍କ ଦେଶପ୍ରେମର ବାର୍ତ୍ତା କ’ଣ ବେଶି ସୁଦୂରପ୍ରସାରୀ ହୋଇପାରିଛି! ତେଣୁ ଗାନ୍ଧୀଙ୍କ ସାବରମତୀକୁ ନବୀକରଣ ନାଁରେ ଭାଙ୍ଗି ମୂଳ ଚେହେରାକୁ ବଦଳାଇବା ଅନାବଶ୍ୟକ। ପର୍ଯ୍ୟଟକ ଜାଣନ୍ତୁ ଗାନ୍ଧୀ ଏହି ଆଶ୍ରମରେ ରହି ବ୍ରିଟିଶ ବିରୋଧରେ ଲଢ଼ୁଥିଲେ।
ନାଗେଶ୍ୱର ପ୍ରଧାନ

ପବିତ୍ରତା ଆଦୌ ନଷ୍ଟ ହେବନାହିଁ
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ସାବରମତୀ ଆଶ୍ରମଟି ଐତିହାସିକ। ଆଶ୍ରମରେ ଥିବା ‘ହୃଦୟ କୁଞ୍ଜ’କୁ ଅକ୍ଷତ ରଖି ଆଶ୍ରମର ୫୪ ଏକର ଜମିରେ ୧୨୦୦ କୋଟି ଟଙ୍କା ବ୍ୟୟ କରି ଗାନ୍ଧୀ ସ୍ମୃତିକୁ ବିଶ୍ବସ୍ତରୀୟ ଐତିହ୍ୟରେ ପରିଣତ କରିବା ସ୍ବାଗତଯୋଗ୍ୟ। ଏହା ଦ୍ବାରା ଆଶ୍ରମର ପବିତ୍ରତା ଆଦୌ ନଷ୍ଟ ହେବ ନାହିଁ।
ଭରତ କୁମାର ବେହେରା

ସମ୍ବନ୍ଧିତ ଖବର