ବାଲିପାଟଣା: ବନମାଳୀପୁର ଅଞ୍ଚଳରେ ଦାଦାବଟି ମାଗି ବ୍ୟବସାୟୀଙ୍କ ଭିତରେ ଆତଙ୍କ ଖେଳାଇ ଆସୁଥିବା ଦୁର୍ଦ୍ଦାନ୍ତ ରିଣ୍ଟୁଆକୁ ପୁଣି ଜେଲ୍‌ ଯିବାକୁ ପଡ଼ିଛି। ସୁମୁଦୀ ଗାଁର ରାଜୀବ ଲୋଚନ ସ୍ବାଇଁ ଓରଫ ରିଣ୍ଟୁଆ ୩୦ରୁ ଅଧିକ ମାମଲାରେ ସମ୍ପୃକ୍ତ। ଏହି ଅଭ୍ୟାସଗତ ଅପରାଧୀ ମାର୍ଚ୍ଚ ମାସରେ ଏକ ପ୍ରାଣାନ୍ତକ ଆକ୍ରମଣରେ ମରୁମରୁ ବଞ୍ଚିଯାଇଥିଲା। ମେଡିକାଲ୍‌ରୁ ସୁସ୍ଥ ହୋଇ ଫେରିବା ପରେ ସେ ପୁଲିସକୁ ଚକ୍‌ମା ଦେଇ ଲୁଚି ରହୁଥିଲା ଏବଂ ପୁଣି ଅପରାଧ ଘଟାଉଥିଲା। ଗତକାଲି ରାତିରେ ତାକୁ ହଂସପାଳ ନିମାପଡ଼ା କେନାଲ ବନ୍ଧ ରାସ୍ତାରୁ ଗିରଫ କରାଯାଇଥିଲା। ଆଜି କୋର୍ଟରେ ତା’ର ଜାମିନ ଖାରଜ ହୋଇଯିବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। 
ମାର୍ଚ୍ଚ ୨୨ ରାତିରେ ବନମାଳୀପୁର ବଟବଜାରସ୍ଥିତ ମୁଣ୍ଡହଣାପାଟଣା ଗାଁର ରାକେଶ ପୃଷ୍ଟିଙ୍କ ଭେରାଇଟି ଷ୍ଟୋର୍‌ରେ ପଶି ରିଣ୍ଟୁଆ ଦାଦାବଟି ମାଗିଥିଲା ଏବଂ ଭଙ୍ଗାରୁଜା କରିଥିଲା। ଜୋର୍‌ ଜବରଦସ୍ତ କ୍ୟାସ୍‌ ବକ୍ସରୁ ୧୫ହଜାର ଟଙ୍କା ନେଇଯାଇଥିଲା। ବନମାଳୀପୁର ଫାଣ୍ଡି ଅଧିକାରୀ ତାକୁ କାବୁ କରିବାକୁ ଚେଷ୍ଟା କଲା ବେଳେ ସେ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା। ପୁଲିସ ତାକୁ ବାନ୍ଧିବା ପାଇଁ ଖୋଜୁଥିବା ବେଳେ ବିଳମ୍ବିତ ରାତିରେ ବାଲିପାଟଣା ଥାନା ପୁଲିସ ତାକୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା। କେହି ତାକୁ ପ୍ରାଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଫୋପାଡ଼ି ଦେଇଥିଲେ। ତାକୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଗତ ସପ୍ତାହରେ ସେ ଡାକ୍ତରଖାନାରୁ ଫେରିଥିଲା।