ଭାଗ୍ୟ ଖୋଲିବ ଇଭିଏମ୍‌, ଜଗିବେ ୧୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଶନିବାର ହେବ ଭୋଟ୍‌ ଗଣତି। ମତଦାନ ପରେ ଇଭିଏମ୍‌ରେ କଏଦ୍‌ ଥିବା ଜନାଦେଶ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। କଡ଼ା ସୁରକ୍ଷା ବଳୟରେ ବିଜେବି କଲେଜ୍‌ର ଷ୍ଟ୍ରଙ୍ଗ୍‌ ରୁମ୍‌ରେ ମହଜୁଦ ଥିବା ଇଭିଏମ୍‌ଗୁଡ଼ିକୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଖୋଲା ଯାଇ ଗଣତି କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ସନ୍ଧ୍ୟାରେ ଷ୍ଟ୍ରଙ୍ଗ୍‌ ରୁମ୍‌ ସାମ୍ନାରେ ଉତ୍ତେଜନା ସୃଷ୍ଟି ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

 ବାହାରେ ପ୍ରଦର୍ଶିତ ହେବ ପ୍ରତି ପର୍ଯ୍ୟାୟ ଫଳାଫଳ
 କମିସନରେଟ୍‌ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା
ଦାୟିତ୍ବରେ ୫୦ ଅଧିକାରୀ

ସକାଳ ୮ଟା ବେଳେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ୬୭ଟି ୱାର୍ଡରେ ହୋଇଥିବା ୭୦୫ ବୁଥ୍‌ରେ ବ୍ୟବହୃତ ଇଭିଏମ୍‌ଗୁଡ଼ିକ କ୍ରମାନ୍ବୟରେ ଖୋଲାଯାଇ ଗଣତି ହେବ। ଏଥି ପାଇଁ ୨୪ଟି ଟେବୁଲ୍‌ କରାଯାଇଛି। ୫ଟି ମେୟର ପ୍ରାର୍ଥୀଙ୍କର ଥିବା ବେଳେ ୧୯ଟି କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏକ ସମୟରେ ୨୪ଟି ଟେବୁଲ୍‌ରେ ବୁଥ୍‌ୱାରି ଗଣତି ଚାଲିବ। ଏକ ସମୟରେ ଗୋଟିଏ ୱାର୍ଡର ଭିନ୍ନ ଭିନ୍ନ ବୁଥ୍‌ର ଭୋଟ୍‌ ଗଣତି ହେବ। ଗୋଟିଏ ୱାର୍ଡର ଗଣତି ସରିବା ପରେ ଅନ୍ୟ ୱାର୍ଡର ଆରମ୍ଭ ହେବ। ସେହିଭଳି ୱାର୍ଡ ୱାରୀ ମେୟରଙ୍କ ଭୋଟ୍‌ ଯୋଗ ହୋଇ ଚାଲୁଥିବ। ଏଭଳି ୧୪୧୦ଟି ଇଭିଏମ୍‌ର ଭୋଟ ସଂଖ୍ୟା ଗଣତି କରାଯିବ। ଏଥିପାଇଁ ୧୫୦ ଜଣ ଅଧିକାରୀ ଦାୟିତ୍ବରେ ଅଛନ୍ତି। ଏମାନଙ୍କର ସହାୟତା ପାଇଁ ଶହେରୁ ଊର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ଅଛନ୍ତି।

ପ୍ରାର୍ଥୀମାନଙ୍କର ପ୍ରତିନିଧି ଉପସ୍ଥିତ ରହିବା ପାଇଁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଯେଉଁ ପ୍ରାର୍ଥୀଙ୍କର ଗଣନା କରାଯିବ ସେହି ପ୍ରାର୍ଥୀଙ୍କର ପ୍ରତିନିଧିଙ୍କୁ ବସିବା ପାଇଁ ସୁଯୋଗ ଦିଆଯିବ। ଗଣତି ପ୍ରକ୍ରିୟାର ପ୍ରତି ପର୍ଯ୍ୟାୟର ଫଳାଫଳ ଅପ୍‌ଡେଟ୍‌ ପାଇଁ ଏକ କଣ୍ଟ୍ରୋଲ୍‌ ରୁମ୍‌ ବ୍ୟବସ୍ଥା କରାଯାଇଛି। ଏଠାରେ ଡାଟା ଏଣ୍ଟ୍ରି ଅପରେଟର ରହିବେ। କେଉଁ ପ୍ରାର୍ଥୀ କେଉଁ ବୁଥ୍‌ରୁ କେତେ ଭୋଟ୍‌ ପାଇଲେ ତାହା କମ୍ପ୍ୟୁଟର ଜରିଆରେ ତୁରନ୍ତ ଅପ୍‌ଡେଟ୍‌ କରିବେ। ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ପାଇଁ ଏହା ଏଲ୍‌ଇଡି ବୋର୍ଡରେ ଡିସ୍‌ପ୍ଲେ ହେବ।

ଏଥିପାଇଁ ଏକ କଣ୍ଟ୍ରୋଲ ରୁମ୍‌ କରାଯାଇଛି। ଏଥିରେ ୩୦ରୁ ଊର୍ଦ୍ଧ୍ବ ଡାଟା ଏଣ୍ଟ୍ରି ଅପରେଟରଙ୍କ ସହ ଆଇଟି ଟେକ୍ନିସିଆନ୍‌ ନିଯୁକ୍ତ ହୋଇଛନ୍ତି। ଏହାକୁ ନିୟନ୍ତ୍ରଣ ତଥା ପରିଚାଳନା କରିବା ପାଇଁ ସ୍ବତନ୍ତ୍ର ଅଫିସର ଦାୟିତ୍ବରେ ରହିଛନ୍ତି। ଏହା ଛଡ଼ା ଲାଉଡ୍‌ ସ୍ପିକର ଜରିଆରେ ପ୍ରତ୍ୟେକ ବୁଥ୍‌ର ଫଳାଫଳ ତତ୍‌କ୍ଷଣାତ୍‌ ଘୋଷଣାର ବ୍ୟବସ୍ଥା କରାଯାଇଛି।

ଭୋଟ ଗଣତି ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମତଦାନ ସମୟରେ କିଛି କେନ୍ଦ୍ରରେ ବିଶୃଙ୍ଖଳା ଦେଖାଦେଇଥିଲା। ବିଭିନ୍ନ ଦଳର ସମର୍ଥକ, ନେତା ମୁହାଁମୁହିଁ ହୋଇଥିଲେ। ଏମିତିକି ଗଣତି ପୂର୍ବରୁ ମଧ୍ୟ ଷ୍ଟ୍ରଙ୍ଗରୁମ୍‌ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି। ଗଣତି ସମୟରେ ଆଇନ୍‌ଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ପୁଲିସ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୫୦ରୁ ଅଧିକ ପୁଲିସ ଅଧିକାରୀ ଦାୟିତ୍ବରେ ଥିଲା ବେ‌ଳେ ୧୫ଟି ମୋବାଇଲ୍‌ ଟିମ୍‌, ୧୦ ପ୍ଲାଟୁନ୍‌ରୁ ଊର୍ଧ୍ବ ପୁଲିସ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସଙ୍କୁ ମୁତୟନ କରାଯାଇଛି। ଡିସିପି ଉମାଶଙ୍କର ଦାଶ ସମସ୍ତ ଟିମ୍‌ର ମୁଖ୍ୟ ଏବଂ ଅଧିକାରୀଙ୍କୁ ନେଇ ଆଜି ଏକ ବୈଠକରେ ସମସ୍ତ ଦିଗ ଉପରେ ଆଲୋଚନା କରିଥିଲେ।

ତେବ‌େ ଭୁବନେଶ୍ବର ପାଇଁ ୬ ପ୍ଲାଟୁନ୍‌ ଫୋର୍ସ ଓ ୧୦ଟି ମୋବାଇଲ୍‌ ପାଟ୍ରୋଲିଂ ଟିମ୍‌ ଦିଆଯାଇଥିବା ବେଳେ ଜଟଣୀ ପାଇଁ ୪ପ୍ଲାଟୁନ୍‌ ଫୋର୍ସ ଓ ୫ଟି ମୋବାଇଲ୍‌ ପାଟ୍ରୋଲିଂ ଟିମ୍‌ ଦିଆଯାଇଛି। ଏଥିପାଇଁ ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ତାଙ୍କ ଟିମ୍‌ରେ ୩ଜଣ ଏସିପି, ୧୦ଜଣ ଆଇଆଇସି ଏବଂ ଅନ୍ୟ ଅଫିସରଙ୍କୁ ସାମିଲ୍‌ କରାଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପୁଲିସ ସଜାଗ ଅଛି ବୋଲି ଡିସିପି ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର