ପୁଣି ହେଲା ଶୁକଶାରି ମନ୍ଦିର ଖନନ: ବାହାରିଲା ମନ୍ଦିର ଚଟାଣ ଓ ଶିଳପୁଆ

ପୁରୁଣା ଭୁବନେଶ୍ୱର: ଗତ ମାର୍ଚ୍ଚରୁ ବନ୍ଦ ହୋଇ ରହିଥିବା ଶୁକଶାରି ମନ୍ଦିର ନିକଟ ଖନନ କାର୍ଯ୍ୟ ପୁଣି ଆରମ୍ଭ କରାଯାଇଛି। ଆଜି ଖନନ ବେଳେ ମାଟି ତଳୁ ଉତ୍ତର-ପୂର୍ବ ପାର୍ଶ୍ବରେ ଏକ ମନ୍ଦିରର ବେସ୍ ବା ଚଟାଣ ବାହାରିଛି। ଏଥିସହ ଏକ ବଡ଼ ଶିଳର ପୁଆ ମଧ୍ୟ ମିଳିଛି। ଏହି ଖନନ କାର୍ଯ୍ୟ ବିନ୍ଦୁସାଗର ପର୍ଯ୍ୟନ୍ତ କରାଯିବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ) ପକ୍ଷରୁ କୁହାଯାଇଛି।

ଏବେ ଶୁକଶାରି ମନ୍ଦିରର ଚାରି କଡ଼କୁ ୪ ଫୁଟ୍ ଲେଖାଏ ଖୋଳାଯାଇଛି। ଉତ୍ତର-ପୂର୍ବ ପାର୍ଶ୍ବରେ ଏକ ମନ୍ଦିରର ବେସ୍‌ ମିଳିଛି। ଏହି ସ୍ଥାନରୁ ମାଟି ବାହାର କରାଯିବା ପରେ ଏକ ମନ୍ଦିରର ଭଗ୍ନାବଶେଷ ବାହାରିଥିବା ଜଣାପଡ଼ିଛି। ଏନେଇ ପ୍ରତ୍ନତତ୍ତ୍ବବିତ୍‌ ଡ. ମାନସ କୁମାର ସାହୁ କୁହନ୍ତି ଯେ ଏହି ଚଟାଣରେ ଅନେକ ମୂର୍ତି ରହିଥିବା ଅନୁମାନ କରାଯାଉଛି। ପ୍ରତ୍ନତତ୍ତ୍ବବିତ ରାହୁଲ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ଏଏସ୍ଆଇ ପକ୍ଷରୁ ସାଇଣ୍ଟିଫିକ୍ କ୍ଲିନ୍‌ନେସ୍ ବେଳେ ମନ୍ଦିରର ସମ୍ମୁଖ ଚଟାଣ ଖନନ କରାଯାଇଥିଲା। ଏବେ ଖନନରେ ମନ୍ଦିର ଚଟାଣ ବାହାରିବା ସହ ଏକ ଶିଳପୁଆ ବାହାରିଛି। ଏ ନେଇ ଅଧିକ ଅନୁଧ୍ୟାନ ଚାଲିଛି। ଅଧୀକ୍ଷକ ଅରୁଣ କୁମାର ମଲିକ କୁହନ୍ତି ଯେ ଶୁକଶାରି ମନ୍ଦିରରୁ ୩ଶହ ମିଟର ପର୍ଯ୍ୟନ୍ତ ବିନ୍ଦୁସାଗର ଆଡ଼କୁ ‌ଖନନ କରାଯିବ। ମାଟି ଭିତରେ ଅଧିକ ମନ୍ଦିର ଥିବା ଆଶା କରାଯାଉଛି। ତେବେ ଏ ନେଇ ସଂଗ୍ରହାଧୀକ୍ଷକ ମାନସ ସାହୁ କିଛି କହିବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର