ବଦଳିବ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଚେହେରା, ୫ ବର୍ଷରେ ଖର୍ଚ୍ଚ ହେବ ୨୦କୋଟିରୁ ଅଧିକ

ଯେତେ ବାବୁ ସେତେ ପ୍ରକଳ୍ପ

ଭୁବନେଶ୍ବର: ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ରୂପରେଖ ପରିବର୍ତ୍ତନ ପାଇଁ ନୂଆ ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷ କରି ସ୍କୁଲ୍ ପିଲାଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ଏହି ବିଜ୍ଞାନ କେନ୍ଦ୍ର ଏଥର ସମାଜର ସବୁ ବର୍ଗଙ୍କୁ ଆପ୍ୟାୟିତ କରିବାକୁ ଅଣ୍ଟା ଭିଡ଼ିଛି। ଓଡ଼ିଶାର ଐତିହାସିକ କଳିଙ୍ଗ ଯୁଦ୍ଧର ଡିଜିଟାଲ୍ ପାନାରୋମା, ରାଜ୍ୟରେ ଥିବା ଖଣିଜ ସଂପଦ, ଔଷଧୀୟ ବୃକ୍ଷ ବଗିଚା, ବରିଷ୍ଠ ନାଗରିକଙ୍କୁ ସ୍ବତନ୍ତ୍ର ସୁବିଧା, କୃତ୍ରିମ ଜୀବାଶ୍ମ ପାର୍କ ଆଦି ନୂତନ ଭାବେ ଯୋଡ଼ିବା ପାଇଁ ମଡେଲ୍‌ ପ୍ରସ୍ତୁତ ହୋଇଛି। ଏହା ସହିତ ଫନିରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରିହିଷ୍ଟୋରିକ୍ ଲାଇଫ୍ ପାର୍କର ପୁନରୁଦ୍ଧାର କରାଯିବା ସହିତ ମୋସନ୍ ଗ୍ୟାଲେରି, ପପୁଲାର୍ ସାଇନ୍ସ ଗ୍ୟାଲେରି, ମ୍ୟାଥ୍ ଗ୍ୟାଲେରି ଓ ମିରର୍ ଗ୍ୟାଲେରିର ବିଭିନ୍ନ ପ୍ରକଳ୍ପ ସଚଳ କରିବା ପାଇଁ ବଜେଟ୍‌ରେ ରହିଛି।

ପ୍ରାୟ ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାକୁ ନେଇ ତିଆରି ହୋଇଥିବା ଏହି ମଡେଲ୍ ୫ ବର୍ଷ ଧରି କାର୍ଯ୍ୟକାରୀ ହେବ। କୋଲ୍‌କାତାର ନ୍ୟାସ୍‌ନାଲ୍ କାଉନସିଲ୍ ଅଫ୍ ସାଇନ୍ସ ମ୍ୟୁଜିୟମ୍‌ ମୁଖ୍ୟାଳୟକୁ ଦିଆଯାଇଥିବା ଏହି ପ୍ରକଳ୍ପ ଭାରତୀୟ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଲାଭ କରିବା ପ୍ରକଳ୍ପ ପାଇଁ ତିଆରି ହୋଇଥିବା ବ୍ଲୁ ପ୍ରିଣ୍ଟ୍ ବାସ୍ତବ ରୂପ ନେବ ବୋଲି ବିଜ୍ଞାନ କେନ୍ଦ୍ରର କ୍ୟୁରେଟର୍ ତଥା ପ୍ରକଳ୍ପ ସଂଯୋଜକ ସୌମେନ୍ ଘୋଷ ସୂଚନା ଦେଇଛନ୍ତି। ୨୦୨୧ ବର୍ଷ ଶେଷ ସୁଦ୍ଧା ବିଜ୍ଞାନ କେନ୍ଦ୍ରରେ ଥିବା ସମସ୍ତ ୪ଟି ଯାକ ଗ୍ୟାଲେରି ମରାମତି ସହିତ ସମସ୍ତ ପ୍ରକଳ୍ପର ସଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଘୋଷ କହିଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ଗ୍ୟାଲେରିର ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ
୪୦ରୁ ଊର୍ଦ୍ଧ୍ବ ପ୍ରକଳ୍ପକୁ ନେଇ ତିଆରି ହୋଇଥିବା ମୋସନ୍ ଗ୍ୟାଲେରିରେ ମହାଜାଗତିକ ବସ୍ତୁଗୁଡ଼ିକର ଉତ୍ପତ୍ତିଠୁ ଆରମ୍ଭ କରି ମହାକାଶରେ ଗତି, ବାୟୁମଣ୍ଡଳୀୟ ଗତି, ପୃଥିବୀ ଭିତରେ ଥିବା ବିଭିନ୍ନ ବସ୍ତୁର ଗତି ଓ ଆମ ଶରୀର ମଧ୍ୟରେ ହେଉଥିବା ଗତି ବା ପ୍ରବାହର ବିସ୍ତୃତ କରାଯାଇଛି। ତନ୍ମଧ୍ୟରୁ କେପଲର୍‌ଙ୍କ କକ୍ଷପଥ ପ୍ରକଳ୍ପ, କ୍ଲାଡନି ପ୍ଲେଟ୍ ଭଳି ବିଭିନ୍ନ ପ୍ରକଳ୍ପ ଏବେ କାର୍ଯ୍ୟକ୍ଷମ ନାହିଁ। ଅପରପକ୍ଷରେ ଏହି ଗ୍ୟାଲେରିର ସିଲିଂ ପୁରୁଣା ହେବା ଯୋଗୁଁ ବର୍ଷାରେ କାନ୍ଥ ପାଣି ଭେଦି ବିଭିନ୍ନ ପ୍ରକଳ୍ପକୁ ନଷ୍ଟ କରୁଛି। ସେହିଭଳି ମିରର୍ ଗ୍ୟାଲେରିର କାଲିଡୋସ୍କପ୍ ପ୍ରକଳ୍ପ, ପପୁଲାର୍ ସାଇନ୍ସ ପାର୍କର ସ୍ୟାଣ୍ଡ୍ ଆର୍ଟ ପ୍ରକଳ୍ପ ଆଦି ଅଚଳ ରହିଛି। ତେଣୁ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମସ୍ତ ଗ୍ୟାଲେରିର ଆଲୋକୀକରଣ ସମେତ ବାୟୁ ପ୍ରବାହ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏହି ସମସ୍ତ ଜିନିଷକୁ ପ୍ରାଥମିକ ପର୍ଯ୍ୟାୟରେ ମରାମତି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ପୁନରୁଦ୍ଧାର ହେବ ପ୍ରିହିଷ୍ଟୋରିକ୍ ଲାଇଫ୍ ପାର୍କ
ପୃଥିବୀରେ ଜୀବନର ବିବର୍ତନ କାହାଣୀ ଏହି ପାର୍କରେ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ ମାଧ୍ୟମରେ ପିଲାଙ୍କୁ ପରିବେଷଣ କରାଯାଉଥିଲା। ଏହା ସହିତ ଲୁପ୍ତପ୍ରାୟ ଡାଇନୋସରମାନଙ୍କର ବିରାଟ ଚେହେରା, ସେମାନଙ୍କ ଶବ୍ଦ, ଅଙ୍ଗଭଙ୍ଗୀ ସମେତ ମଣିଷର ଆଦିମ ଯୁଗ ବିଷୟରେ ଚିତ୍ରଣ ହୋଇଥିଲା। ମାତ୍ର ଗତ ୨୦୧୯ ମେ’ରେ ବାତ୍ୟା ଫନି ଯୋଗୁଁ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ସେବେଠାରୁ ଏହା ପୁନରୁଦ୍ଧାର ହୋଇନଥିଲା। ଏପରିକି ବାତ୍ୟା ଫନିକୁ ଦେଢ଼ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହା ଅସଜଡ଼ା ଭାବେ ଏବେ ବି ପଡ଼ିରହିଛି। ଏହାର ପୁନରୁଦ୍ଧାର କରାଯାଇ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’କୁ ପୁଣିଥରେ ଚାଲୁ କରାଯିବ ବୋଲି ବଜେଟ୍‌ରେ ସୂଚନା ଦିଆଯାଇଛି।

ବରିଷ୍ଠଙ୍କୁ ଯୋଡ଼ିବା ପାଇଁ ଉଦ୍ୟମ
ବିଶେଷ କରି ସ୍କୁଲ୍ ପିଲା ଓ ଯୁବ ବର୍ଗର ପିଲାଙ୍କ ପାଇଁ ମହତ୍ବ ରଖୁଥିବା ବିଜ୍ଞାନ କେନ୍ଦ୍ରରେ ଏଥର ବରିଷ୍ଠ ନାଗରିକଙ୍କୁ ଯୋଡ଼ିବା ପାଇଁ କିଛି ନୂଆ ପ୍ରକଳ୍ପ ମଡେଲ୍‌ରେ ସ୍ଥାନ ପାଇଛି। ସେମାନଙ୍କ ଶାରୀରିକ ଓ ମାନସିକ ସନ୍ତୁଳନ ପାଇଁ ନୂଆ ବ୍ୟବସ୍ଥା କରାଯାଇଛି। ଛୋଟ ଛୁଆଙ୍କ ସହିତ ବିଭିନ୍ନ ସମୟରେ ଆସୁଥିବାରୁ ସେମାନଙ୍କ ପାଇଁ ସିନିଅର ପାର୍କ କରାଯାଇ ଛୋଟ ଛୋଟ ପ୍ରକଳ୍ପର ବ୍ୟବସ୍ଥା କରାଯାଇଛି।

କୃତ୍ରିମ ଜୀବାଶ୍ମ ପାର୍କ ଏବଂ ଓଡ଼ିଶାର ଖଣିଜ ସଂପଦ
କୃତ୍ରିମ ଜୀବାଶ୍ମ ପାର୍କର ଏକ ବିକଳ୍ପ ମଡେଲ୍ ତିଆରି କରିବା ପାଇଁ ବ୍ୟବସ୍ଥା କରାଯାଇଛି। କାରଣ ଜୀବାଶ୍ମ ବିଜ୍ଞାନ ଉପରେ ନିୟମିତ ଭାବେ ରାଜ୍ୟରେ କିମ୍ବା ଦେଶରେ କୌଣସି ପ୍ରଦର୍ଶନୀ ନିୟମିତ ପ୍ରଦର୍ଶିତ ହୁଏ ନାହିଁ। ଏହି ବିକଳ୍ପ ମଡେଲ୍ ଦ୍ବାରା ଭୂବିଜ୍ଞାନରେ ସ୍ନାତକ ଅଧ୍ୟୟନ କରୁଥିବା ଛାତ୍ରମାନେ ଏହାର ଉପଯୋଗ କରିପାରିବେ। ଏଫ୍‌ଆର୍‌ପି ଦ୍ବାର ଏହି କୃତ୍ରିମ ଜୀବାଶ୍ମ ମଡେଲ୍ ସମ୍ଭବ ବୋଲି କ୍ୟୁରେଟର୍ ଶ୍ରୀ ଘୋଷ କହିଛନ୍ତି। ସେହିଭଳି ରାଜ୍ୟରେ ଥିବା ବିଭିନ୍ନ ଖଣିଜ ପଦାର୍ଥ ଯେପରି କୋଇଲା, ଡୋଲେମାଇଟ, ଗ୍ରାଫାଇଟ୍, ରତ୍ନପଥର, ଲୁହାପଥର, ଚୂନପଥର, ମାଙ୍ଗାନିଜ ଭଳି ଦ୍ରବ୍ୟର ନମୁନାକୁ ପ୍ରଦର୍ଶିତ କରାଯିବ। ଏହା ସହିତ ଏହି ଧାତୁ ଗୁଡ଼ିକର ଉପଯୋଗ, ବିଜ୍ଞାନ ଓ ଏହା ସହିତ ଜଡ଼ିତ ଟେକ୍ନୋଲୋଜି ଉପରେ ବିବରଣୀ ଦିଆଯିବ ପାଇଁ ମଡେଲ୍‌ରେ ସୂଚିତ କରାଯାଇଛି।

ପିଲାଙ୍କ ବୌଦ୍ଧିକ ବିକାଶ ପାଇଁ ପ୍ରକୃତି ସହ ଖେଳ
ପିଲାଙ୍କ ବୌଦ୍ଧିକ ବିକାଶ ପାଇଁ ପ୍ରକୃତି ସହ ଖେଳିବାକୁ ନେଇ ବିଜ୍ଞାନ କେନ୍ଦ୍ରରେ ଏକ ବ୍ୟବସ୍ଥା କରାଯାଇଛି। ପ୍ରକୃତି ସହିତ ଜଡ଼ିତ ରହିବା, ପେଟ୍ କ୍ଲବ୍, କ୍ୟାକଟସ୍ କର୍ନର, ବୋନସାଇ ଭଳି ଅନେକ ପ୍ରକଳ୍ପ କରାଯାଇଛି। ତେବେ ଦୀର୍ଘ ୧୫ ବର୍ଷ ପୂର୍ବେ ପେଟ୍ କ୍ଲବ୍‌ରେ ଏଠାରେ ବହୁ ପୋଷା ଜନ୍ତୁ ଯେପରି ଠେକୁଆ, ପକ୍ଷୀ, ବିଭିନ୍ନ ପ୍ରଜାତିର ମାଙ୍କଡ଼ ଆଦି ଥିଲା। ଯାହାକୁ ବାୟୋ ପାର୍କର ନାମକରଣ କରାଯାଇଥିଲା। ମାତ୍ର କ୍ରମେ ବନ୍ୟଜନ୍ତୁଙ୍କ ଆଇନରେ ପରିବର୍ତ୍ତନ ଯୋଗୁଁ ସମସ୍ତ ଚଢ଼େଇକୁ ଛାଡ଼ିଦିଆଯାଇଥିଲା। କେବଳ ଠେକୁଆଙ୍କୁ ରଖାଯାଇଥିଲା। ତେବେ ବର୍ତ୍ତମାନ ଏହି ବାୟୋ ପାର୍କରେ ୨୦ରୁ ୩୦ଟି ଠେକୁଆ ରହିଥିବା ବେଳେ ଅନ୍ୟାନ୍ୟ ପକ୍ଷୀ ଓ ମାଙ୍କଡ଼ଙ୍କ ନିମିତ ଥିବା ଡୁମ୍ ବା ଘର ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାର ପଡ଼ିରହିଛି। ଏହାର ଉପଯୋଗ ଅଭାବରୁ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିଭଳି ଫନି ମାଡ଼ରେ କ୍ୟାକଟସ୍ କର୍ନର ମଧ୍ୟ ଉଜୁଡ଼ି ଯାଇଛି। ବାତ୍ୟାକୁ ୧୮ମାସ ବିତିଯାଇଥିଲେ ସୁଦ୍ଧା ଏହା ଏବେ ବି ପରିତ୍ୟକ୍ତ ହୋଇ ପଡ଼ିରହିଛି।

ବିଜ୍ଞାନ କେନ୍ଦ୍ରର ପ୍ରବେଶ ପଥ, ଗେଟ୍, ପାର୍କିଂ ଅଞ୍ଚଳର ରୂପରେଖ ବଦଳିବା ପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇଛି। ଏହା ସହିତ ପର୍ଯ୍ୟଟକଙ୍କ ସୁବିଧାକୁ ନଜରରେ ରଖି ଅଧିକ ଶୌଚାଳୟ କରାଯାଉଛି। ବିଜ୍ଞାନ କେନ୍ଦ୍ର ଅଗ୍ନି ନିର୍ବାପକ, ବର୍ଷା ପାଣିର ସୁବିନିଯୋଗ, ବିଜ୍ଞାନ କେନ୍ଦ୍ରକୁ ଆବଦ୍ଧ କରିଥିବା କାନ୍ଥ, ପିଇବା ପାଣି, ବିଜ୍ଞାନ କେନ୍ଦ୍ରର ସମସ୍ତ ୮ ଏକର ଅଞ୍ଚଳର ଆଲୋକୀକରଣ, ବିଜ୍ଞାନ କେନ୍ଦ୍ରର ଉଭୟ ସାମ୍ନା ଓ ପଛ ପାର୍ଶ୍ବସ୍ଥ ଗେଟ୍ ବଦଳିବା ପାଇଁ ମଡେଲ୍‌ରେ ବ୍ୟବସ୍ଥା କରାଯାଇଛି। ସେହିଭଳି କମ୍ପ୍ଲେକ୍ସ ଗେଟ୍‌ର ଟିକେଟ୍ ଠୁ ଆରମ୍ଭ କରି ସବୁ ପ୍ରକାରର ଦସ୍ତାବିଜ୍‌କୁ ଡିଜିଟାଲ୍‌ରେ ରେକର୍ଡ କରାଯିବାକୁ ବ୍ୟବସ୍ଥା କରାଯାଇଛି।

ତେବେ ଗତ ଜୁଲାଇ ମାସରେ କ୍ୟୁରେଟର୍ ହରପ୍ରସାଦ ମିଶ୍ର ଏହି ବିଜ୍ଞାନ କେନ୍ଦ୍ରରୁ ଅବସର ନେବା ପରେ ତାଙ୍କ ସ୍ଥାନରେ ଲକ୍ଷ୍ନୌରୁ ସୌମେନ୍ ଘୋଷ ଦାୟିତ୍ବ ଗ୍ରହଣ କଲେ। ତେବେ ମିରର୍ ଗ୍ୟାଲେରି ଥିବା ଲକ୍ଷାଧିକ ଟଙ୍କାର ଅନେକ ପ୍ରକଳ୍ପ ସମେତ ସାଇନ୍ସ ପାର୍କ, ଚିଲଡ୍ରେନ ପାର୍କ ଆଦି ବହୁ ସାମଗ୍ରୀ ଅଧା ହୋଇ ପଡ଼ିରହିଥିଲା। ନନ୍‌ଫଲ୍ ବାଇସାଇକେଲ୍ ସେଥିମଧ୍ୟରୁ ଅନ୍ୟତମ। ଏହି ଲକ୍ଷାଧିକ ଟଙ୍କାର ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପରିବର୍ତ୍ତେ ଅନେକକୁ ଉଠାଇ ଦିଆଯାଇଛି। ସେହିଭଳି ପୂର୍ବରୁ ମିରର୍ ଗ୍ୟାଲେରିରେ ତିଆରି ହୋଇଥିବା କିଛି ପ୍ରକଳ୍ପକୁ ମଧ୍ୟ ଉଠାଇଦିଆଯାଇଛି। ତେବେ ସରକାରଙ୍କ ଏତେ ଟଙ୍କାର ପ୍ରକଳ୍ପ ବାରମ୍ବାର ଅପବ୍ୟୟ ହେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଏନେଇ ବିଜ୍ଞାନ କେନ୍ଦ୍ରର ପ୍ରୋଜେକ୍ଟ କୋର୍ଡିନେଟର୍ ସୌମେନ୍ ଘୋଷ କୁହନ୍ତି କୋଲ୍‌କାତାରେ ଥିବା ମୁଖ୍ୟ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅନୁରାଗ କୁମାରଙ୍କ ନିର୍ଦ୍ଦେଶ ପରେ ପ୍ରକଳ୍ପରେ ପରିବର୍ତ୍ତନ ଅଣାଯାଇଛି। ଯାହା ବି ପ୍ରକଳ୍ପରେ ବଦଳିଛି ମୁଖ୍ୟାଳୟରେ ନିଷ୍ପତି ନିଆଯାଇଛି। ତେବେ ବିଜ୍ଞାନ କେନ୍ଦ୍ରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ପୂର୍ବରୁ ବିଜ୍ଞାନ କେନ୍ଦ୍ର ଦାୟିତ୍ବରେ ଥିବା ପ୍ରୋଜେକ୍ଟ କୋର୍ଡିନେଟର୍ ଶ୍ରୀ ମିଶ୍ରଙ୍କ ଦ୍ବାରା ନିର୍ମିତ ପ୍ରକଳ୍ପ ଗୁଡ଼ିକ ଅଧାପନ୍ତରିଆ ଭାବେ ପଡ଼ିଥିଲା। ଗ୍ୟାଲେରିରେ ପର୍ଯ୍ୟାପ୍ତ ଜାଗା ମଧ୍ୟ ନଥିଲା। ତେଣୁ ପର୍ଯ୍ୟଟକ ଗ୍ୟାଲେରି ବୁଲି ଦେଖିବା ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ।

 

ସମ୍ବନ୍ଧିତ ଖବର