ବଦଳିଲା ୧୮ ସ୍କୁଲର ଚେହେରା, ପାଠପଢ଼ାରେ ସହାୟ ହେବ ଇ-ଲାଇବ୍ରେରି

ଶିକ୍ଷାର ମାନ ବଢ଼ିବ, ପିଲାଙ୍କ ଆଗ୍ରହ ବଢ଼ିବ, ସରକାରୀ ସ୍କୁଲର ସଂଜ୍ଞା ବଦଳିବ

ଭୁବନେଶ୍ବର: ୫-ଟି ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣର ଚତୁର୍ଥ ଦିବସରେ ଆଜି ଖୋର୍ଦ୍ଧା ଜିଲ୍ଲାର ୩୮ଟି ସ୍କୁଲକୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ୟୁନିଟ୍-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ କହିଲେ, ମୁଖ୍ୟମନ୍ତ୍ରୀ ଦେଇଥିବା ୩ଟି ମନ୍ତ୍ର ଯଥା ସ୍କୁଲ ଯିବା, ଭଲ ପାଠ ପଢ଼ିବା, ବାପା ମା’ଙ୍କ ସୁନାମ ଆଣିବା ସମସ୍ତେ ପାଳନ କରିବା ଆବଶ୍ୟକ। ଏହି ମନ୍ତ୍ରକୁ ନେଇ ସ୍ମାର୍ଟ ସ୍କୁଲରେ ପାଠପଢ଼ି ଛାତ୍ରଛାତ୍ରୀ ଆଗକୁ ବଢ଼ିବେ ଏବଂ ରାଜ୍ୟର ନାଁ ରଖିବେ।

କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସ୍ବାଗତ ଭାଷଣ ଦେଇ କହିଥିଲେ, ଶିକ୍ଷା କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ପାଇଁ ଆଜି ଏକ ଐତିହାସିକ ଦିନ। ଏହି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ। କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି, ବିଧାୟକ ରାଜେନ୍ଦ୍ର ସାହୁ, ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ଭୁବନେଶ୍ବର ମହାନଗର ନିଗମ କମିସନର ସଞ୍ଜୟ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଦଶମ ଶ୍ରେଣୀ ଛାତ୍ର ଉଦ୍ଧବ ପ୍ରକାଶ ବେହେରା କହିଲେ, ବିଦ୍ୟାଳୟ ରୂପାନ୍ତରଣ ହେବା ଦ୍ବାରା ସ୍ମାର୍ଟ କ୍ଲାସ୍‌ରୁମରେ ପାଠ ପଢ଼ି ପାରିବୁ। ପୂର୍ବରୁ କଳାପଟା ଓ ଚକ୍ ଖଡ଼ିରେ ପଢ଼ିବା ସମୟରେ ଅଧିକ ଜାଣିବାକୁ ଇଚ୍ଛା ଥିଲେ ମଧ୍ୟ ସାଧନ ଉପଲବ୍ଧ ନଥିଲା। ସ୍ମାର୍ଟ ସ୍କୁଲ ହେବା ପରେ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରି, ଉନ୍ନତମାନର ବିଜ୍ଞାନଗାର ଦ୍ବାରା ଆମେ ସମସ୍ତ ଜ୍ଞାନକୁ ଅତି ସହଜରେ ପାଇ ପାରିବୁ।

ପାଠପଢ଼ାରେ ସହାୟ ହେବ ଇ-ଲାଇବ୍ରେରି
ବିଦ୍ୟାଳୟ ରୂପାନ୍ତରଣ ପାଇଁ ବହୁତ ଖୁସି ଲାଗୁଛି। ଏହାଦ୍ବାରା ସ୍କୁଲ୍‌ରେ ବୈଷୟିକ ଜ୍ଞାନ ପ୍ରଦ୍ଧତିରେ କରାଯାଇଥିବା ଲାବରେଟୋରି, ଇ-ଲାଇବ୍ରେରି ପିଲାଙ୍କ ଶିକ୍ଷାକୁ ବୃଦ୍ଧି କରିବ। ବେସରକାରୀ ସ୍କୁଲ୍‌କୁ ଯାଉଥିବା ପିଲା ଏବେ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହୋଇ ଆସିବେ। ବହିରେ ପଢ଼ା ଯାଉଥିବା ପାଠକୁ ଏବେ ସେମାନେ ପ୍ରାକ୍ଟିକାଲ ମାଧ୍ୟମରେ ଜାଣି ପାରିବେ।
-ସୁଶ୍ରୀ ସଙ୍ଗୀତା ପଣ୍ଡା, ପ୍ରଧାନ ଶିକ୍ଷୟିତ୍ରୀ,
ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟ

ଶିକ୍ଷାର ମାନ ବଢ଼ିବ
ସ୍ମାର୍ଟ କ୍ଲାସରୁମ୍‌ରୁ ଆରମ୍ଭ କରି ଇ-ଗ୍ରନ୍ଥାଗାର କରିବା ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହାଦ୍ବାରା ଛାତ୍ରଛାତ୍ରୀମାନେ ଉତ୍ସାହିତ ହେବେ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନରେ ଉନ୍ନତି ଘଟିବ। ଯେଉଁଟାକୁ ସେମାନେ ଶୁଣୁଥିଲେ, ଏବେ ତାହାକୁ ନିଜ ହାତରେ ବ୍ୟବହାର କରିପାରିବେ।
-ମନୋଜା ମଞ୍ଜରୀ ସାହୁ, ଶିକ୍ଷୟିତ୍ରୀ,
ବଡ଼ଗଡ଼ ସରକାରୀ ଉଚ୍ଚବିଦ୍ୟାଳୟ

ପିଲାଙ୍କ ଆଗ୍ରହ ବଢ଼ିବ
ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ, ଶିକ୍ଷା ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନ। ଏହାଦ୍ବାରା ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହେବ। ଗ୍ରାମାଞ୍ଚଳରେ ପିଲାଙ୍କର ସ୍କୁଲ ପ୍ରତି ଯେଉଁ ଆଗ୍ରହ କମି ଯାଉଥିଲା, ଏବେ ଏ ସମସ୍ତ ପ୍ରକାର ବ୍ୟବସ୍ଥା ଦେଖି ସେମାନଙ୍କ ଆଗ୍ରହ ବଢ଼ିବ।
-କୈଳାଶ ଚନ୍ଦ୍ର ମଣ୍ଡେଇ, ପ୍ରଧାନ ଶିକ୍ଷକ,
ଚନ୍ଦ୍ରଶେଖରଦେବ ସରକାରୀ ହାଇସ୍କୁଲ

ସରକାରୀ ସ୍କୁଲର ସଂଜ୍ଞା ବଦଳିବ
ସ୍କୁଲ୍‌ରେ ଇ-ପାଠାଗାର, ସ୍ମାର୍ଟକ୍ଲାସ୍‌ ରୁମ୍‌ ସାଙ୍ଗକୁ ବିଜ୍ଞାନଗାର ଆମକୁ ପାଠପଢ଼ାରେ ସହାୟତା କରିବ। ବିଜ୍ଞାନରେ ଯାହା ପଢ଼ୁଥିଲୁ, ତାହାକୁ ପ୍ରାକ୍ଟିକାଲ କରିପାରିବୁ ଏବଂ ଜାଣିପାରିବୁ। ସ୍ବଚ୍ଛ ପାନୀୟ ଜଳ, ଭଲ ପରିସ୍ରାଗାରର ବ୍ୟବସ୍ଥା କରାଯାଇଛି। ଭିତ୍ତିଭୂମିରେ ଆମ ସ୍କୁଲ କୌଣସି ବେସରକାରୀ ସ୍କୁଲଠାରୁ କମ୍ ନୁହେଁ। ସରକାରଙ୍କ ଏହି ଯୋଜନା ସରକାରୀ ସ୍କୁଲର ସଂଜ୍ଞା ବଦଳାଇ ଦେବ ବୋଲି ମୁଁ ଭାବୁଛି।
-ତନ୍ମୟ କୁମାର ସ୍ବାଇଁ, ଛାତ୍ର,
ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ

ସମ୍ବନ୍ଧିତ ଖବର