୬ ଲକ୍ଷ ବଟି ନ ଦେବାରୁ ଫ୍ୟାକ୍ଟ୍ରି ଜବରଦଖଲ, ପୁଲିସ୍‌ କମିସନର୍‌ଙ୍କୁ ଚିଠି ଲେଖିଲେ ଶିଳ୍ପପତି

‘ନ୍ୟାୟ ନ ମିଳଲେ ଆତ୍ମହତ୍ୟା କରିବି’

ଭୁବନେଶ୍ବର: ୨୦ଟି ମାମଲାରେ ଜଡ଼ିତ ଥିବା ଜଣେ କୁଖ୍ୟାତ ଅପରାଧୀ ୨ବର୍ଷ ହେଲା ଜଣେ ଫ୍ୟାକ୍ଟ୍ରି ମାଲିକଙ୍କୁ ଧମକଚମକ ଦେଇ ଆସୁଥିଲେ ହେଁ ପୁଲିସ୍‌ ତାକୁ ଗିରଫ କରୁନାହିଁ। ୬ ଲକ୍ଷ ଟଙ୍କା ବଟି ଦେବାକୁ ରାଜି ନ ହେବାରୁ ତଥାକଥିତ ‘ଦାଦା’ ସମ୍ପୃକ୍ତ ଫ୍ୟାକ୍ଟ୍ରିକୁ ୨ବର୍ଷ ହେବ ମାଡ଼ି ବସିଛି। ସରଞ୍ଜାମ ଖୋଲି ନେବା ସହ ସହଯୋଗୀଙ୍କ ସହ ସେଠାରେ ପ୍ରତିଦିନ ଖଟି କରୁଛି। ଅପରପକ୍ଷେ କାରଖାନା ଖୋଲି ନ ପାରିବାରୁ ପ୍ରତି ମାସ ମାଲିକଙ୍କୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ତେଣୁ ସଂପୃକ୍ତ ଅଭିଯୁକ୍ତ ବିରୋଧରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ, ଶିଳ୍ପପତିଜଣଙ୍କ ଆତ୍ମହତ୍ୟା କରିବେ ବୋଲି କମିସନରେଟ୍‌ ପୁଲିସ୍‌କୁ ଲିଖିତ ଭାବେ ଜଣାଇଛନ୍ତି। ବଡ଼ କଥା ହେଲା, ଗିରଫଦାରୀରୁ ବର୍ତ୍ତିବା ପାଇଁ ଅଭିଯୁକ୍ତଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା। କୋର୍ଟ ଏହାକୁ ନାମଂଜୁର କରି ୧୫ ଦିନ ମଧ୍ୟରେ ଥାନାରେ ଆତ୍ମସମର୍ପଣ କରିବାକୁ ଅଭିଯୁକ୍ତକୁ ଆଦେଶ ଦେଇଥିଲେ। ଅବଧି ସରିଯାଇଥିଲେ ହେଁ ଅଭିଯୁକ୍ତଜଣଙ୍କ ଆତ୍ମସମର୍ପଣ କରିନଥିଲା। କିନ୍ତୁ ଏହା ପରେ ବି ପୁଲିସ୍‌ ତାକୁ ଗିରଫ କରିପାରିନାହିଁ। ଫେରାର୍‌ ହୋଇଯାଇଥିବା ଦର୍ଶାଇ ପୁଲିସ୍‌ ହାତବାନ୍ଧି ବସିଛି ବୋଲି ଫ୍ୟାକ୍ଟ୍ରି ମାଲିକ ତଥା ଇଣ୍ଟରନ୍ୟାସନାଲ କନଫେସନେରିର ସ୍ବତ୍ବାଧିକାରୀ ତପନ ନାୟକ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨ ବର୍ଷ ତଳେ ତପନ ପାତ୍ରପଡ଼ାରେ ଇଣ୍ଟରନ୍ୟାସନାଲ କନ୍‌ଫେସନେରି ନାମରେ ଏକ ବେକେରି କାରଖାନା ତିଆରି କରିଥିଲେ। କିନ୍ତୁ ଏଠାରେ କାରଖାନା ଚଲାଇବାକୁ ହେଲେ ୬ ଲକ୍ଷ ଟଙ୍କା ବଟି ଦେବାକୁ ପଡ଼ିବ ବୋଲି ଶମ୍ଭୁ ପାଟ୍ଟଶାଣୀ ନାମକ ଜଣେ ଦୁର୍ବୃତ୍ତ ତାଙ୍କୁ ଧମକ ଦେଇଥିଲା। ବଟି ବିନା ଫ୍ୟାକ୍ଟ୍ରି ଚଳାଇଲେ, ମୁଣ୍ଡ ଗଡ଼ିବ ବୋଲି ସେ ଚେତାବନୀ ଦେଇଥିଲା। ତେବେ ତପନ ଏ ସଂପର୍କ‌‌ରେ ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ୍‌ ଖାଲି ମାମଲା ରୁଜୁ କରି ବସି ଯାଇଥିଲା। ପୁଲିସ୍‌ର ଏହି ନିଷ୍କ୍ରିୟତା ଯୋଗୁଁ ଶମ୍ଭୁର ଉତ୍ପାତ ବଢ଼ି ଯାଇଥିଲା। ସେ ସମ୍ପୃକ୍ତ ଫ୍ୟାକ୍ଟ୍ରିକୁ ନିଜ ଦଖଲକୁ ନେବା ସହ ସରଞ୍ଜାମ ଖୋଲି ନେଇଥିଲା। ଏନେଇ ତପନ ପୁଲିସ୍‌ କମିସନର୍‌ ଓ ଡିସିପିଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ଫ୍ୟାକ୍ଟ୍ରି ନ ଖୋଲିବାରୁ ତାଙ୍କର ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେଉଛି। ତେଣୁ ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି।

ଏ ସଂପର୍କରେ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ଉଭୟ କମିସନର୍‌ ଓ ଡିସପି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି। ସଂପୃକ୍ତ ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଡିସିପି ଜୋନ୍‌ ଏସିପି ପ୍ରାଣକୃଷ୍ଣ ରାଉତ ଓ ଆଇଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଅଭିଯୁକ୍ତ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସଂପର୍କରେ ଜଣାଇବାକୁ ଏସିପି ଶ୍ରୀ ରାଉତଙ୍କୁ ୨ଥର ରିପୋର୍ଟ ତଲବ କରିଛନ୍ତି ଡିସିପି। କିନ୍ତୁ ଏ ପର୍ଯ୍ୟନ୍ତ ଏସିପିଙ୍କଠାରୁ କୌଣସି ଉତ୍ତର ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ, ଶମ୍ଭୁ ନାମରେ ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ଖଣ୍ଡଗିରି ଥାନାରେ ୧୮ଟି ମାମଲା ରହିଥିବା ‌ବେଳେ ତମାଣ୍ଡୋ ଥାନାରେ ଦୁଇଟି ମାମଲା ରହିଛି। ଦୁଇଥର ଗିରଫ ହୋଇ ସେ ଜେଲ୍‌ ମଧ୍ୟ ଯାଇଛି।

ସମ୍ବନ୍ଧିତ ଖବର