ଚନ୍ଦ୍ରଶେଖରପୁର: ସଞ୍ଜ ନଇଁଲେ ହାଉସିଂ ବୋର୍ଡ ଗଜଲକ୍ଷ୍ମୀ ପୂଜା ପଡ଼ିଆକୁ ଛୁଟୁଛି ଗ୍ରାହକଙ୍କ ପାଦ। ଗୋଟେ ପଟେ ରାମଦୋଳି ସାଙ୍ଗକୁ ବିଭିନ୍ନ ପ୍ରକାର କ୍ରୀଡ଼ାର ମଜା, ଆଉ ଅନ୍ୟପଟେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ହେବାର ଅବସର। ତା’ ସାଙ୍ଗକୁ ଭଳିକି ଭଳି ଚଟପଟି ଖାଦ୍ୟର ପସରା ଜମିଛି। ଘରକରଣା ସାମଗ୍ରୀ ଦେଖି ବି ମନ ଲୋଭେଇ ଯାଉଛି। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ଗଜଲକ୍ଷ୍ମୀ ପୂଜା କମିଟି ଓ ବ୍ୟବସାୟୀ ସଂଘ ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜାରେ ଏଭଳି କିଛି ଦେଖିବାକୁ ମିଳୁଛି। ମେଳାର ଦେଖଣାହାରୀଙ୍କ ପ୍ରମୁଖ ଆକର୍ଷଣ ସାଜିଛି ଭଳିକି ଭଳି ଘରସଜ୍ଜା ଫୁଲ ଓ ଛୁଆଙ୍କ ଖେଳନା। ଚକ୍ରିଦୋଳି ସାଙ୍ଗକୁ କାର୍‌ରେ ବସି ବୁଲିବା, ମିକି ମାଉସ୍‌, ଟ୍ରେନ୍‌ରେ ବସି ବୁଲିବାର ମଜା ସାଉଁଟୁଛନ୍ତି କୁନିପିଲା। କେବଳ ଯେ ପିଲା ମଜା ନେଉଛନ୍ତି ତାହା ନୁହେଁ, ଗୃହିଣୀ ବି କମ୍‌ରେ ନାହାନ୍ତି। ମେଳାରେ ବହୁ ସଂଖ୍ୟକ ଷ୍ଟଲରେ ଚୁଡ଼ି, ବିଭିନ୍ନ ପ୍ରକାର ମସଲା, ମୁରୂଜ, ଆଚାର, କାଠ ସାମଗ୍ରୀ, ଘରସଜ୍ଜା ସାମଗ୍ରୀ ବିକ୍ରି ହେଉଥିବାରୁ ସେଠାରେ ଗୃହିଣୀଙ୍କ ଭିଡ଼ ଜମୁଛି। ବିଭିନ୍ନ ରଙ୍ଗ ଓ ଡିଜାଇନ୍‌ର ଫୁଲ ଦେଖିଲେ ସେଠାରେ ଅଟକି ଯାଉଛନ୍ତି। ଘରର ଶୋଭା ବଢ଼ାଇବାକୁ ଅସଲି ଭଳି ଦେଖାଯାଉଥିବା ନକଲି ଫୁଲକୁ ସଙ୍ଗରେ ନେଇଯାଉଛନ୍ତି। ସମସ୍ତେ କିଣାକିଣିରେ ମଜ୍ଜି ଯାଉଥିଲା ବେଳେ ଖେଳନା ଦୋକାନ ନିକଟରେ କିନ୍ତୁ ପିଲାଙ୍କ ଭିଡ଼ ଜମୁଛି। ଛୋଟ ଛୋଟ ପିଲାଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ମିକି ମାଉସ୍‌। ମେଳାରେ ଏପରି ସୁବିଧା ମିଳୁଥିବାରୁ ଅଭିଭାବକ ବି ବେଶ୍‌ ଖୁସ୍‌। ମୀନାବଜାର ସାଙ୍ଗକୁ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣ ପାଲଟିଛି। ୭ ତାରିଖ ସନ୍ଧ୍ୟାରେ ଭଜନରୁ ଆରମ୍ଭ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଛି। ମଙ୍ଗଳବାର ମେଲୋଡି କାର୍ଯ୍ୟକ୍ରମ ଏବଂ ୧୫ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ସଭାପତି ବନଜାଲକ୍ଷ୍ମୀ ଜେନା ଓ ସମ୍ପାଦକ ଶିବ ପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି।

Advertisment