ମହିଳା ଉଦ୍ୟୋଗୀଙ୍କୁ ପରିଚୟ ଦେବ ବିଜନେସ୍ ମେଳା

ଭୁବନେଶ୍ବର: ବିଜନେସ୍ ମେଳା ରାଜ୍ୟର ମହିଳା ଉଦ୍ୟୋଗୀଙ୍କୁ ପରିଚୟ ପ୍ରଦାନ କରିବ। ସେମାନେ ଯେଉଁ ପରିଚୟ ଖୋଜୁଛନ୍ତି ତାହା ଏଠାରେ ପାଇପାରିବେ। ବି‌ଶେଷ କରି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଓ ଏସ୍‌ସି, ଏସ୍‌ଟି ବର୍ଗର ମହିଳାମାନେ ଏହି ମେଳା ଦ୍ବାରା ବିଶେଷ ଉପକୃତ ହେବେ ବୋଲି ରାଜ୍ୟ ଏସ୍‌ସି, ଏସ୍‌ଟି ବିଭାଗର ସଚିବ ରଞ୍ଜନା ଚୋପ୍ରା କହିଛନ୍ତି। ଆଜି ମହିଳା ବିଜନେସ୍ ମେଳାର ଉଦ୍‌ଘାଟନୀ ସମାରୋହ ପରେ ଆୟୋଜିତ ପ୍ରଥମ ଅଧିବେଶନରେ ‘ବ୍ୟବସାୟରେ ମହିଳା: ନୂଆ ସୁଯୋଗ ଓ ଆହ୍ବାନ’ ବିଷୟ ଉପରେ ଆଲୋଚନା କରି ସେ କହିଛନ୍ତି ଯେ ନିକଟରେ ଶେଷ ହୋଇଥିବା ୧୦ ଦିନିଆ ଆଦିବାସୀ ମେଳାରେ ଭାଗ ନେଇଥିବା ଉଦ୍ୟୋଗୀମାନେ ୨ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ କରିଛନ୍ତି। ସେଠାରୁ କିଛି ମହିଳା ଏହି ବିଜନେସ୍ ମେଳାରେ ଅଂଶଗ୍ରହଣ କରିଛନ୍ତି। ଏହି ମେଳା ସେମାନଙ୍କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଆଇସିସି ମହିଳା ଉଦ୍ୟୋଗୀ ପରିଷଦ (ଆଇଡବ୍ଲୁଇସି)ର ସହ ସଂଯୋଜିକା ତନୟା ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ବେଦିକା ସ୍କଲାର୍ସ ପ୍ରୋଗ୍ରାମ ଫର ଓମେନ୍‌ର ପ୍ରତିଷ୍ଠାତା ଡିନ୍ ଅନୁରାଧା ଦାସ ମାଥୁର କହିଛନ୍ତି ଯେ ମହିଳାମାନଙ୍କୁ ଚାକିରି ପାଇବା ଲାଗି ପାଠ ପଢ଼ାଯାଉଛି। ସେମାନେ କିଭଳି ନିଯୁକ୍ତି ସୃଷ୍ଟି କରିବେ ତାହା ସେମାନଙ୍କୁ ଶିଖାଇବାର ସମୟ ଆସିଛି ବୋଲି ସେ କହିଛନ୍ତି।

ମହିଳାମାନଙ୍କୁ ନେଇ ଯେଉଁ ଚିରାଚରିତ ଭାବନା ରହିଛି ତାହାକୁ ଦୂର କରିବାକୁ ‌ପଡ଼ିବ ବୋଲି ଉଭୟ ଶ୍ରୀମତୀ ଚୋପ୍ରା ଓ ଅନୁରାଧା କହିଛନ୍ତି। ଅନୁରାଧା କହିଛନ୍ତି ଯେ ମହିଳାମାନେ ସଂଖ୍ୟା ଲଘୁ ନୁହନ୍ତି। ଆମେ ହେଉଛୁ ଜନସଂଖ୍ୟାର ଅଧା। ଦୁନିଆର ଅଧା, ଦେଶର ଅଧା। ଆମକୁ ସେହି ଅନୁସାରେ ବ୍ୟବହାର ପ୍ରଦର୍ଶନ କରାଯିବା ଉଚିତ। କର୍ମ ଓ ଜୀବନ ଭିତରେ ସନ୍ତୁଳନ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ଚୋପ୍ରା କହିଥିଲେ ମୁଁ ପ୍ରଥମେ ନିଜକୁ ଓ ସ୍ବାସ୍ଥ୍ୟକୁ ବାଛିବି। ପରିବାରକୁ ପ୍ରାଥମିକତା ଦେବା ଜରୁରୀ ବୋଲି ସେ କହିଛନ୍ତି। ଯଦି ମୁଁ ନିଜର ଯତ୍ନ ନେଇପାରିବିନି ତେବେ ମୁଁ ଯେଉଁ ଭୂମିକା ନିର୍ବାହ କରୁଛି ସେଥିପ୍ରତି ନ୍ୟାୟ କରିପାରିବି ନାହିଁ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ଅନୁରାଧା କହିଛନ୍ତି ଯେ ସମୟ ନିର୍ଧାରଣ କରିବ ମହିଳା କେଉଁ ସମୟରେ କେଉଁ ଭୂମିକା ନିର୍ବାହ କରିବ। ‌ଯେଉଁ ସମୟରେ ଯାହା ଜରୁରୀ ସେହି କାର୍ଯ୍ୟ କରିବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର