ଚାଷ ଗଲା, ଏବେ ପିଇବାକୁ ପାଣି ମିଳୁନି

ସରୁନି ଦୟାୱେଷ୍ଟ କେନାଲ ମରାମତି

ଚନ୍ଦ୍ରଶେଖରପୁର: ଚାଷ ଉଜୁଡ଼ି ଯାଇଛି। ରୋଜଗାର ବନ୍ଦ ହୋଇଯାଇଛି। ଏବେ ପିଇବା ପାଣି ମିଳୁନି। ୫ ବର୍ଷ ହେଲା ଏଭଳି ସ୍ଥିତି ଲାଗିରହିଛି ରାଜଧାନୀ ଉପକଣ୍ଠରେ। ଖରା ଦିନ ଆରମ୍ଭ ହେଉହେଉ ଉଭୟ ସହରତଳି ଅଞ୍ଚଳ ଓ ଗ୍ରାମାଞ୍ଚଳରେ ଉତ୍କଟ ଜଳ ସମସ୍ୟା ଦେଖାଦେଉଛି। ଦୟା‌ୱେଷ୍ଟ କେନାଲରେ ପାଣି ଆସୁନଥିବାରୁ ସ୍ଥାନୀୟ ଅଞ୍ଚଳର ଭୂତଳ ଜଳସ୍ତର ହ୍ରାସ ପାଉଛି ଓ କୂଅ, ପୋଖରୀ ଏମିତିକି ବୋର୍‌ୱେଲ୍‌ ବି ଶୁଖିଯାଉଛି। ମରାମତି ନାଁରେ ଏହି କେନାଲରେ ପାଣି ଛଡ଼ାଯାଉନଥିବାରୁ ଏଭଳି ଦୟନୀୟ ସ୍ଥିତି ଉପୁଜୁଛି। ୫ ବର୍ଷ ହେଲା ମରାମତି ସରୁନଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହା ବର୍ଷେ ‌କି ଦୁଇ ବର୍ଷର କଥା ନୁହେଁ, ଦୀର୍ଘ ୫ ବର୍ଷ ହେଲା ଶୁଖିଲା ପଡ଼ିଛି ଏହି କେନାଲ। ଫଳରେ କେନାଲ ପାଣି ଉପରେ ନିର୍ଭର କରୁଥିବା ଚାଷୀମାନେ ଚାଷ ବନ୍ଦ କରି ହାତବାନ୍ଧି ବସିଛନ୍ତି। କେନାଲ କୂଳିଆ ଗାଁ ଗୁଡ଼ିକରେ ପାଞ୍ଚ ବର୍ଷ ହେଲା ଆଉ ଖରାଦିନିଆ ଚାଷ ନାହିଁ। ସ୍ଥାନୀୟ ଅଞ୍ଚଳ‌ରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଥିବାରୁ କୂଅ, ପୋଖରୀ ସବୁ ଶୁଖିଯାଉଛି। ବୋର୍‌ୱେଲ୍‌ରୁ ଗୋଳିଆ ପାଣି ବାହାରୁଛି। ତେଣୁ ପିଇବା ପାଣି ମିଳୁନଥିବା ବେଳେ ଲୋକେ ଚାଷ କ’ଣ କରିବେ ବୋଲି କହିଛନ୍ତି। ପିଇବାକୁ ପାଣି ମିଳୁନଥିବା ବେଳେ ଲୋକେ ବାଡ଼ିବଗିଚାରେ ଶାଗ ପଟାଳିଟିଏ କରିବାକୁ ସାହସ କରିବେ ବା କିଭଳି! ଏବେ କେନାଲ କୂଳରେ ଥିବା କଳାଝରୀ, କଳାରାହାଙ୍ଗ, ଇଞ୍ଜଣା, ପଟିଆ, ଭୋଟପଡ଼ା, ମଞ୍ଚେଶ୍ବର, ଚକେଇସିଆଣି ଓ ପଳାସୁଣି ଆଦି ଅଞ୍ଚଳରେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧାରଣ କଲାଣି।

ଏହି ସବୁ ଅଞ୍ଚଳର ଭୂତଳ ଜଳସ୍ତର ଖରାଦିନ କାରଣରୁ ବହୁ ନିମ୍ନକୁ ଖସି ଯାଇଥିବାରୁ କୂଅ, ପୋଖରୀ ଜଳାଶୟ ଓ ବୋର୍‌ୱେଲ୍‌ ଗୁଡ଼ିକରେ ଭଲ ଜଳ ନାହିଁ। ମଞ୍ଚେଶ୍ବର ଆର୍‌ଇସି କଲୋନିର ଅନେକ ଲୋକଙ୍କ ନଳକୂଅରୁ ଗୋଳିଆ ପାଣି ବାହାରୁଛି। ସେହିଭଳି ଇଞ୍ଜଣା ନୂଆ କଲୋନିରେ ମଧ୍ୟ ଅନୁରୂପ ଭାବେ ପାନୀୟ ଜଳ ସମସ୍ୟା ଦେଖାଗଲାଣି। ତେଣୁ ଏହି ସବୁ ସୋସାଇଟି ବାସିନ୍ଦାମାନେ ଗତ କିଛି ଦିନ ହେବ ଟ୍ୟାଙ୍କର ଯୋଗେ ପାନୀୟ ଜଳ ସଂଗ୍ରହ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ପ୍ରାୟ ୫ ବର୍ଷ ହେଲା ସବୁ ସମୟରେ ବାରଙ୍ଗ କାନପୁର ଫାଟକ ଖୋଲା ହେଉନାହିଁ। ତେଣୁ କେନାଲରେ ପାଣି ସ୍ବପ୍ନ ପାଲଟିଗଲାଣି। ଏନେଇ ବାରଙ୍ଗ ଡେଲ୍‌ଟା ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କେନାଲ ମରାମତି ବାହାନା ଦେଖାଇ ପାଣି ଛଡ଼ାଯାଉନାହିଁ। ବିଭାଗୀୟ ଯନ୍ତ୍ରୀଙ୍କ କହିବା କଥା ‌ଦୟାୱେଷ୍ଟ କେନାଲରେ ବିଭିନ୍ନ ସ୍ଥାନରେ ବନ୍ଧ, ବ୍ରିଜ୍‌ ତିଆରି ହେଉଥିବା ବେଳେ ‌କେତେକ ସ୍ଥାନରେ କେନାଲ ବନ୍ଧବାଡ଼ରେ ପଥର ପ୍ୟାକିଂ କାର୍ଯ୍ୟ ଚାଲିଛି। ତେଣୁ ମରାମତି କାମରେ ବାଧା ସୃଷ୍ଟି ହେବାକୁ ଥିବାରୁ ପାଣି ଛଡ଼ା ଯାଉନାହିଁ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଏଭଳି ମତକୁ ନେଇ ମଞ୍ଚଶ୍ବର ଓ ରଙ୍ଗମାଟିଆ ଗ୍ରାମବାସୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନଙ୍କ କହିବା କଥା କି ମରାମତି ଚାଲିଛି ଯେ ଚାଷବାସ ଗଲା, ଶେଷରେ ପିଇବାକୁ ପାଣି ମିଳୁନି। ତୁରନ୍ତ କେନାଲରେ ପାଣି ନଛାଡ଼ିଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର