ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ

ବାଲିପାଟଣା: ବନ୍ୟଜନ୍ତୁଙ୍କ ମୁହଁରୁ ଫସଲ ବଞ୍ଚାଇବାକୁ କିଆରି ବାଡ଼ରେ ଲାଗିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶ‌ରେ ଆସି ଆଜି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କଟକ ଜିଲ୍ଲା ଓଲଟପୁର ଥାନା ମଉଜପୁର ଗ୍ରାମର କୈଳାସ ବେହେରା (୩୬)। କୈଳାସଙ୍କ ମୃତ୍ୟୁ ପାଇଁ ଉକ୍ତ ଗ୍ରାମର ଚାଷୀ ବୁଟୁ ସେନାପତି ଦାୟୀ ବୋଲି କୈଳାସଙ୍କ ସାନ ଭାଇ ଜଗବନ୍ଧୁ ଅଭିଯୋଗ କରିଛନ୍ତି। ଏମିତିକି ଘଟଣାକୁ ଭିନ୍ନ ରୂପ ଦେବା ପାଇଁ ବୁଟୁ କୈଳାସଙ୍କ ଶବକୁ ଅନ୍ୟତ୍ର ଫୋପାଡ଼ି ଦେଇଥିଲେ ବୋଲି ଜଗବନ୍ଧୁ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଓଲଟପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ ବୁଲା ଗୋରୁଗାଈ ଓ ବନ୍ୟପ୍ରାଣୀମାନେ ପରିବା ଫସଲ ନଷ୍ଟ କରୁଥିବାରୁ ବୁଟୁ ପ୍ରାଚୀ ନଦୀ ପଠାସ୍ଥିତ ତାଙ୍କ କିଆରି ବାଡ଼ରେ ବିଦ୍ୟୁତ୍ ସଂଯୋଗ କରିଥିଲେ। ସେହି ପଠାରେ କୈଳାସଙ୍କ ଜମି ରହିଛି ଓ ସେ ସେଥିରେ କଖାରୁ ଚାଷ କରିଥିଲେ। ଆଜି ସକାଳ ପ୍ରାୟ ୬ଟା ବେଳେ କୈଳାସ ନିଜ ବିଲକୁ ଯାଉଥିବା ବେଳେ ବୁଟୁଙ୍କ କ୍ଷେତର ବାଡ଼ରେ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ବିଦ୍ୟୁତ୍ ଆଘାତ ପାଇ ସେହିଠାରେ ହିଁ କୈଳାସଙ୍କ ମୃତ୍ୟୁ ହୋଇ ଯାଇଥିଲା। ତେବେ ଖବର ପାଇ ବୁଟୁ ତୁରନ୍ତ ସେଠାରେ ପହଞ୍ଚି କୈଳାସଙ୍କ ମୃତଦେହକୁ ଅନ୍ୟତ୍ର ଫିଙ୍ଗି ଦେଇଥିଲେ। ମ‌ାତ୍ର କୈଳାସଙ୍କ ଏକ ଚପଲ ବୁଟୁଙ୍କ ଜମିରେ ରହି ଯାଇଥିଲା। ତେଣୁ କୈଳାସଙ୍କ ପରିବାର ଲୋକେ ସନ୍ଦେହ କରିଥିଲେ। ସେହିଭଳି କୈଳାସଙ୍କ ଦୁଇ ପାଦ ବିଦ୍ୟୁତ୍ ଆଘାତରେ ପୋଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ୩ଟି ଛୋଟ ଝିଅ ଓ ସ୍ତ୍ରୀଙ୍କୁ ନେଇ କୈଳାସଙ୍କ ପରିବାର ଏବେ ଅସହାୟ ହୋଇପଡ଼ିଛି। ତେଣୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର