୨ ଛୁଆଙ୍କୁ ବିକିଦେଲା ବାପା, ଥାନା ବାରଣ୍ଡାରେ ମା’

ଚନ୍ଦ୍ରଶେଖରପୁର : ସ୍ବାମୀ-ସ୍ତ୍ରୀଙ୍କ ବିବାଦରେ ବଳି ପଡ଼ିଯାଇଛନ୍ତି ଦୁଇ କୋମଳମତି ଶିଶୁ। ନିଷ୍ଠୁର ବାପା ସେମାନଙ୍କୁ ୧୦ ହଜାର ଟଙ୍କାରେ ବିକି ଦେଇଛି। ନିରୀହ ଛୁଆ ଦୁଇଟିକୁ ଜଣେ ନିଃସନ୍ତାନ ଦମ୍ପତି କିଣି ନେଇ ଲାଳନପାଳନ କରୁଥିଲେ ବି ସେମାନେ ବାପାମା’ଙ୍କୁ ଝୁରି ହେଉଛନ୍ତି। ଏଣେ ମା’ ଦୁଇ ଛୁଆଙ୍କୁ ଖୋଜିଖୋଜି ଥାନା ବାରଣ୍ଡାରେ ବସିଛି। ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ଅଞ୍ଚଳରେ ଘଟିଥିବା ଏହି ମାମଲା ଏବେ ଉଭୟ କମିସନରେଟ୍‌ ପୁଲିସ ଓ ଚାଇଲ୍‌ଡ ଲାଇନ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦୁଇ ଛୁଆଙ୍କୁ ଭଦ୍ରକ ଧାମନଗରରେ ବିକ୍ରି ହୋଇଥିବା ଜଣାପଡ଼ିବା ପରେ ପୁଲିସ ଭଦ୍ରକ ପୁଲିସ ସହ ଯୋଗାଯୋଗ କରୁଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ ପ୍ରାୟ ୫ ବର୍ଷ ତଳେ ରୋଜି ରାଓ (୨୨) ଓ ସେକ୍ ମୁସିବୁଲ୍ (୩୫) ନୀଳାଦ୍ରିବିହାର ଅଞ୍ଚଳରେ ରହି ଶ୍ରମିକ ଭାବେ କାମ କରୁଥିଲାବେଳେ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ। ପରେ ସେମାନଙ୍କଠାରୁ ଦୁଇଟି ପୁଅ ଜନ୍ମ ହୋଇଥିଲେ। କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଲା। ଗତବର୍ଷ ହଠାତ୍ ମୁସିବୁଲ୍‌ ଦୁଇ ପିଲାଙ୍କୁ ନେଇ କୁଆଡ଼େ ପଳାଇଥିଲେ। ବହୁ ଖୋଜାଖୋଜି କରିବା ସହ ରୋଜି ଥାନାରେ ନିଖୋଜ ରିପୋର୍ଟ ଦେଇଥିଲେ। ଏମିତିକି ରୋଜି ମେଦିନିପୁର ଯାଇ ମୁସିବୁଲ୍‌କୁ ଖୋଜି ହତାଶ ହୋଇ ଫେରିଥିଲେ। ତେବେ ଗତ କିଛି ଦିନ ପୂର୍ବେ ତାଙ୍କ ଦୁଇ ପୁଅ ଭଦ୍ରକ ଧାମନଗରରେ ଅଛନ୍ତି ବୋଲି ସେ ସୂଚନା ପାଇଥିଲେ। ସେ ଧାମନଗର ଧାଇଁ ଯାଇଥିଲେ ଓ ସେଠାରେ ଦୁଇ ଛୁଆଙ୍କୁ ପାଇଥିଲେ। ମାତ୍ର ସମ୍ପୃକ୍ତ ବ୍ୟକ୍ତି ଦୁଇ ଛୁଆଙ୍କୁ ୧୦ ହଜାର ଟଙ୍କାରେ ମୁସିବୁଲ୍‌ଠାରୁ କିଣିଛନ୍ତି ବୋଲି କହି ରୋଜିଙ୍କୁ ଘଉଡ଼ାଇ ଦେଇଥିଲେ। ଦୁଇ ଦିନ ତଳେ ରୋଜି ଚାଇଲ୍‌ଡ ଲାଇନ୍ ସଦସ୍ୟ ଓ ସ୍ଥାନୀୟ ପୁଲିସକୁ ନେଇ ଉକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚିବା ବେଳକୁ ପିଲାଙ୍କୁ ଗାଏବ୍ କରି ଦିଆଯାଇଥିଲା। ପିଲାଦ୍ବୟଙ୍କୁ ମୁସିବୁଲ୍‌ ନେଇ ଯାଇଛି ବୋଲି ଉକ୍ତ ବ୍ୟକ୍ତି କହିଥିଲେ।

ସମ୍ବନ୍ଧିତ ଖବର