ପିତାଙ୍କ ସ୍ମୃତିସଭା ଅର୍ଥ ଗାଁ ସଫେଇରେ ଖର୍ଚ୍ଚ କଲେ ପୁଅ

ବାଲିପାଟଣା: କରୋନା କଟକଣା ଯୋଗୁଁ ପିତାଙ୍କ ସ୍ମୃତିସଭା ପାଳନ କରାଯାଇ ପାରିଲା ନାହିଁ। ଏଥିପାଇଁ ଥିବା ଅର୍ଥକୁ ଗାଁରେ ଖର୍ଚ୍ଚ କରି ଉଦାହରଣ ସୃଷ୍ଟି କରିଛନ୍ତି ପୁଅ। କରୋନା ପାଇଁ ଦେଶଠାରୁ ରାଜ୍ୟ ସବୁଠି ତାଲାବନ୍ଦ। ପୂଜା, ପାର୍ବଣ, ବିବାହ ବ୍ରତ, ସଭା ସମିତି ସବୁ କିଛି ବନ୍ଦ ରହିଛି। ଏହି ସମୟ ଭିତରେ ନରେନ୍ଦ୍ର ନାଥ ଦାଶ ସ୍ମୃତି କମିଟି ତରଫରୁ ପାଳନ ହେବାକୁ ଥିବା ୩ୟ ସ୍ମୃତି ଉତ୍ସବ ବନ୍ଦ ହୋଇଯାଇଛି। ସ୍ବର୍ଗତ ନରେନ୍ଦ୍ର ନାଥ ଦାଶଙ୍କ ପୁଅ ଶୁଭେନ୍ଦୁ ଦାଶ ଓ ଶୈ‌ଳେନ୍ଦ୍ର ଦାଶ ସ୍ମୃତି ସଭା ନିମନ୍ତେ ଖର୍ଚ୍ଚ ହେବାକୁ ଥିବା ଅର୍ଥକୁ ଗାଁ ରାସ୍ତା ସଫେଇ ଓ ସାନିଟାଇଜର୍‌ ବଣ୍ଟନ ଓ ବିଶୋଧକ ସିଞ୍ଚନରେ ଖର୍ଚ୍ଚ କରିଛନ୍ତି।

ବାଲିପାଟଣା ବ୍ଲକ ସୋମାଣା ଶାସନ ଗ୍ରାମର କଂଗ୍ରେସ ନେତା ସ୍ବର୍ଗତ ଦାଶଙ୍କର ୨୦୧୭ ମସିହା ଏପ୍ରିଲ ୬ତାରିଖରେ ଦେହାନ୍ତ ହୋଇଥିଲା। ୨୦୧୮ ମସିହାରୁ ଉକ୍ତ ଶ୍ରାଦ୍ଧ ଦିବସରେ ଗ୍ରାମରେ ସ୍ମୃତି ସଭା ପାଳନ କରାଯାଏ। ବିଶିଷ୍ଟ ବ୍ୟକ୍ତି ବିଶେଷ, କଳାକାର ମାଟ୍ରିକ ପରୀକ୍ଷାରେ ବ୍ଲକ ଟପର୍‌ଙ୍କ ପରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ କରାଯାଏ। ଚଳିତବର୍ଷ କଟକଣାକୁ ଦୃଷ୍ଟିରେ ରଖି ସ୍ମୃତିସଭା ବନ୍ଦ ହେବା ପରେ ଦୁଇଭାଇ ଉକ୍ତ ଅର୍ଥକୁ ଗାଁ ସଫେଇରେ ଖର୍ଚ୍ଚ କରିବା ପାଇଁ ମନସ୍ଥ କରିଥିଲେ। ସେଥିପାଇଁ ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ଲିଚିଂ ପାଉଡର୍‌, ସାନିଟାଇଜର୍‌, ମାସ୍କ ପ୍ରଭୃତି କିଣିଥିଲେ। ବିଭିନ୍ନ ଗ୍ରାମର ଯୁବକଙ୍କ ସହାୟତାରେ ଚିତଳପୁର, ବସ୍ତି, ସେମାଣା ଶାସନ, ମୁକୁନ୍ଦ ଦାସପୁର ଆଦି ୨୦/୨୫ ଗାଁ, ସାହି ରାସ୍ତା ସଫେଇ କରି ଦୁଇକଡ଼ରେ ବ୍ଲିଚିଂ ପାଉଡର୍‌ ପକାଇବା ସହିତ ସ୍ପ୍ରେ’ କରିଥିଲେ ଓ ମାସ୍କ ବାଣ୍ଟିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମନୋଜ ସାହୁ, ରାଜେନ୍ଦ୍ର ସାହାଣୀ, ଶିବପ୍ରସାଦ ଦାଶ, ସତ୍ୟବାଦୀ ସାହାଣୀଙ୍କ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ମୁକୁନ୍ଦଦାସପୁର ପଞ୍ଚାୟତ ବାବା ବାଲୁଙ୍କେଶ୍ବର ଯୁବକ ସଂଗଠନ ତରଫରୁ ଗତ ୭ତାରିଖ ଦିନ ଗ୍ରାମ ସଫେଇ କରାଯାଇଥିଲା। ଗ୍ରାମବାସୀଙ୍କୁ ନିଜ ଘରେ ରଖିବା ସହିତ ପରିବାରକୁ ସୁରକ୍ଷିତ ରଖିବାକୁ ସଚେତନ କରାଯାଇଥିଲା।

ସମ୍ବନ୍ଧିତ ଖବର