ଚନ୍ଦ୍ରଶେଖରପୁର: ଜୟଦେବ ବିହାର-କିଟ୍‌ ଛକ ରାସ୍ତାପାର୍ଶ୍ବରେ ଆଉ ବସିପାରିବେନି ଉଠାଦୋକାନୀ। ସେମାନଙ୍କ ଠେଲା ଗାଡ଼ି ପକାଇବା ଉପରେ ଲାଗିବ କଟକଣା। ଯଦି କୌଣସି ବେପାରୀ ବସିବେ ତାଙ୍କୁ ଉଠାଇ ଦିଆଯିବ। ବିଡିଏ ସ୍କ୍ବାଡ୍‌ ସହ ଆବଶ୍ୟକ ପଡ଼ିଲେ ପୁଲିସ ସହାୟତାରେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। କେବଳ ସେତିକି ନୁହେଁ, ଉଠାଦୋକାନୀ ଯେପରି ରାସ୍ତାପାର୍ଶ୍ବ କିମ୍ବା ଫୁଟ୍‌ପାଥରେ ସେମାନଙ୍କ ପସରା ନ ମେଲାନ୍ତି ସେଥିପାଇଁ ତାରବାଡ଼ ଲଗାଚାଲିଛି। ପାଖାପାଖି ୭ କିମି ଏହି ରାସ୍ତାର ବାମପାର୍ଶ୍ବରେ କାମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ରଶେଖରପୁରରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତାର ବାମପାର୍ଶ୍ବରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। କିଛି ସ୍ଥାନରେ ଗାତ ଖୋଳାଯାଇ ଇଟା କାନ୍ଥ ଉଠାଚାଲିଛି। ଏହାଦ୍ବାରା ରାସ୍ତାରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ଭିଡ଼କୁ କିଛି ମାତ୍ରାରେ ଟାଳି ଦିଆଯାଇପାରିବ ବୋଲି ବିଡିଏର ଜଣେ ଅଧିକାରୀ କହିଛନ୍ତି।

Advertisment

ହକି ବିଶ୍ବକପ୍‌କୁ ନଜରରେ ରଖି ବର୍ଷ ଆରମ୍ଭରୁ ଏହି ରାସ୍ତାରୁ ଜବରଦଖଲ ଉଚ୍ଛେଦ ହୋଇଥିଲା। ରାସ୍ତାରେ ଯେଭଳି ଆଉ ଜବରଦଖଲ ନ ହେବ ସେଥିପାଇଁ ସବୁ ଜାଗାକୁ ତାର ବାଡ଼ ବୁଲାଇ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଚୂଡ଼ାନ୍ତ ହୋଇପାରି ନ ଥିଲା। କାରଣ ତାରବାଡ଼ ବୁଲାଯିବା ସମୟରେ କିଛି ଜାଗାରେ ଉଠାଦୋକାନୀ ବିରୋଧ କରିଥିଲେ। ଯେଉଁଥିପାଇଁ ବିଡିଏ ପକ୍ଷରୁ ଏହି କାମକୁ ସ୍ଥଗିତ ରଖାଯାଇଥିଲା। ଉଠାଦୋକାନୀ ପୁଣିଥରେ ଜବରଦଖଲ କରିଥିବା ବେଳେ ଏବେ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି। କୌଣସି ବି ପରିସ୍ଥିତିରେ ଉଠାଦୋକାନୀଙ୍କୁ ଏଠାରେ ବସିବାକୁ ସୁଯୋଗ ନ ଦେବାକୁ ନିଷ୍ପତ୍ତି ନେବା ସହ ୬ ଫୁଟ୍‌ର ତାରବାଡ଼ ନିର୍ମାଣ କରାଯାଉଛି। ତଳେ ଗୋଟିଏ ଫୁଟ୍‌ର ଇଟା କାନ୍ଥ ଉଠାଯାଇଥିବା ବେଳେ ଉପରକୁ ସୁଦୃଢ଼ ତାର ବାଡ଼ ଲାଗିଛି। ମୁଖ୍ୟ ରାସ୍ତରୁ ସର୍ଭିସ୍‌ ରୋଡ୍‌କୁ ସଂଯୋଗ କରୁଥିବା ରାସ୍ତା ବ୍ୟତୀତ ଅନ୍ୟ ସବୁଠି ତାରବାଡ଼ ଲଗାଯାଉଛି। ଏହାଦ୍ବାରା ଉଠାଦୋକାନୀମାନେ ଆଉ ଫୁଟ୍‌ପାଥକୁ ଆସିପାରିବେ ନାହିଁ।

ସେପଟେ ରାସ୍ତାପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ ବେଳେ ପ୍ରଭାବିତ ହୋଇଥିବା ଶତାଧିକ ଉଠାଦୋକାନୀ ଏବେ ମୁଖ୍ୟ ରାସ୍ତା ଛାଡ଼ି ଗଳିରେ ପଶି ବେପାର କରୁଛନ୍ତି। ଯେଉଁଥିପାଇଁ ଚନ୍ଦ୍ରଶେଖରପୁରରୁ ନୀଳାଦ୍ରିବିହାର, କେୟାର ହସ୍ପିଟାଲ ଛକରୁ ଶୈଳଶ୍ରୀବିହାରକୁ ସଂଯୋଗ କରୁଥିବା ରାସ୍ତା, ଡମଣା-ଶୈଳଶ୍ରୀବିହାର ରାସ୍ତା, ବିଡିଏ ଛକ ନିକଟରୁ କେୟାର ହସ୍ପିଟାଲ ଦେଇ ୨୦୦ ଫୁଟିଆ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା, ବୁଦ୍ଧ ପାର୍କ ନିକଟ ରାସ୍ତା, ଶୈଳଶ୍ରୀବିହାରରୁ ନୀଳାଦ୍ରିବିହାର ଦେଇ ୨୦୦ ଫୁଟିଆ ରାସ୍ତାରେ ଏବେ ଉଠାଦୋକାନୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ସନ୍ଧ୍ୟା ସମୟରେ ଏହି ରାସ୍ତାରେ ଏବେ ଜାମ୍‌ ହେଉଥିବାରୁ ପଥଚାରୀମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି।