ପୁରୁଣା ଭୁବନେଶ୍ବର: ଆସୁଛି ଆଲୋକର ପର୍ବ ଦୀପାବଳି। ଏବେଠାରୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଭରି ହୋଇଗଲାଣି। ମହାମାରୀ କରୋନା କଟକଣା ଏହି ପର୍ବ ପାଳନର ଆଡ଼ମ୍ବରରେ କିଛିଟା ପ୍ରତିବନ୍ଧକ ସାଜିବାକୁ ଥିଲେ ବି ଘରେ ଘରେ ଧୁମ୍ଧାମ୍ରେ ଏହି ପର୍ବ ପାଳନରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଲୋକେ ନିଜ ଘରକୁ ରଙ୍ଗବେରଙ୍ଗର ଆଲୋକରେ ସଜାଇବାକୁ ତତ୍ପର ହୋଇପଡ଼ିଲେଣି। ଏମିତିକି ଲୋକେ ନିଜ ଘରକୁ ନୂଆ ରଙ୍ଗ କରିବା ଆରମ୍ଭ କରିଦେଲେଣି। ମୋଟାମୋଟି ଭାବେ ଦୀପାବଳି ନେଇଆସୁଛି ମହାଆନନ୍ଦ। କିନ୍ତୁ ଏମିତି ଖୁସିର ସମୟରେ ମାଟି ଦୀପ ଗଢ଼ୁଥିବା କୁମ୍ଭକାରମାନଙ୍କ ଆଶା ଅନ୍ଧାର ଭିତରେ ଅଛି। ଗତ କିଛି ବର୍ଷ ହେଲା ଦୀପବିକ୍ରି ଉତ୍ସାହଜନକ ହେଉ ନଥିବାରୁ ସେମାନଙ୍କ ଖୁସି କମିକମି ଯାଉଛି। ଦୀପ ଗଢ଼ିବା ବାବଦ ଖର୍ଚ୍ଚ ବଢ଼ି ଚାଲିଥିବା ବେଳେ ବଜାରରେ ବିକ୍ରି କମୁଥିବାରୁ ସେମାନଙ୍କ ଜୀବିକା ସଂକଟରେ ପଡ଼ୁଛି। ଫଳରେ ବହୁ କୁମ୍ଭକାର ଦୀପ ଗଢ଼ିବା କୌଳିକ ବୃତ୍ତିକୁ ଛାଡ଼ିବାକୁ ବାଧ୍ୟ ହେଲେଣି। ତଥାପି କିଛି କୁମ୍ଭକାର ଆଶା ନେଇ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି।
ଗତ କିଛି ବର୍ଷ ହେଲା ବଜାରରେ ମାଟିଦୀପର ଚାହିଦା କମିବାରେ ଲାଗିଛି। ବଜାରରେ ଉପଲବ୍ଧ ହେଉଥିବା ରଙ୍ଗିନ ଏଲ୍ଇଡି ଓ ବିଦ୍ୟୁତ୍ ମହମବତି ପ୍ରତି ଲୋକଙ୍କ ମୋହ ବଢ଼ିଛି। ସୁନ୍ଦର ଅଟ୍ଟାଳିକାରେ ମାର୍ବଲ ଚଟାଣରେ ମାଟି ଦୀପ ଜାଳିବାକୁ ବହୁ ଲୋକ ପସନ୍ଦ କରୁନାହାନ୍ତି। ମାଟି ଦୀପରେ ତେଲ ପକାଇ ଜାଳିବା ସମୟସାପେକ୍ଷ ଓ କଷ୍ଟକର ହେଉଥିବାରୁ ଲୋକେ ଲାଇଟ୍ ମାଳା ଓ ବିଦ୍ୟୁତ୍ ଦୀପ ପ୍ରତି ଆକୃଷ୍ଟ ହେଉଛନ୍ତି। ଏମିତିକି ମାଟି ଦୀପ ଜାଳିବା ବି ବ୍ୟୟସାପେକ୍ଷ ବୋଲି ଅନେକ ମତ ଦିଅନ୍ତି। ତେବେ ବଡ଼ କଥା ହେଉଛି ଏବେ ବି ସଂସ୍କୃତି ଜୀବିତ ଅଛି, ମରିନାହିଁ। ତେଣୁ ମାଟି ଦୀପର ଆଦର ବଞ୍ଚି ରହିଛି। ଏବେ ବି ଲୋକେ ଚଉରାମୂଳେ, ଘର ଅଗଣାରେ, ପାଚେରି ଉପରେ ଓ ଛାତ ଉପରେ ମାଟି ଦୀପ ସଜାଇବା ଦେଖାଯାଉଛି। ତେଣୁ ଆଶାନୁରୂପ ନହେଲେ ବି ବଜାରରେ ମାଟି ଦୀପର ଚାହିଦା ରହିଛି। ଏଥିପାଇଁ ରାଜଧାନୀ ସମେତ ଉପକଣ୍ଠରେ ରହୁଥିବା କୁମ୍ଭକାରମାନେ ଦୀପ ତିଆରିରେ ଲାଗି ପଡ଼ିଛନ୍ତି। କୁମ୍ଭକାରମାନଙ୍କ ପରିବାର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ପରିବାରର ସମସ୍ତ ସଦସ୍ୟ ଦୀପ ତିଆରିରେ ଲାଗି ପଡ଼ିଛନ୍ତି।
ଅନ୍ୟପକ୍ଷରେ ଚାହିଦା ହ୍ରାସ ସାଙ୍ଗକୁ ଦୀପ ତିଆରି ଖର୍ଚ୍ଚ ବି କୁମ୍ଭକାରଙ୍କ ପାଇଁ ଅନ୍ୟ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି। ମାଟି ଅଭାବ କାରଣରୁ ଅଧିକ ଖର୍ଚ୍ଚ କରି ମାଟି କିଣିବାକୁ ପଡ଼ୁଛି। କାଠ, କୋଇଲା ଓ ଅନ୍ୟାନ୍ୟ ଜାଳେଣି ଅଭାବ ମଧ୍ୟ କୁମ୍ଭକାରମାନଙ୍କ ପାଇଁ ସମସ୍ୟା ହୋଇଛି। ମୋଟାମୋଟି ଭାବେ ଦୀପ ତିଆରିରେ ଏବେ କୁମ୍ଭକାରମାନଙ୍କୁ ଅଧିକ ବ୍ୟୟ କରିବାକୁ ପଡ଼ୁଛି। ସେହି ଅନୁସାରେ ଦୀପର ଦାମ୍ ବଢ଼ାଇବାକୁ ପଡ଼ୁଛି। ଏହାବାଦ୍ ଏବେ ବଜାରକୁ ରାଜ୍ୟ ବାହାରୁ କଲକତି ଦୀପ ଆସୁଛି। ସେଗୁଡ଼ିକର ଗଢ଼ଣ ବେଶ୍ ଆକର୍ଷଣୀୟ। ବିଭିନ୍ନ ରଙ୍ଗ ସାଙ୍ଗକୁ ଶଙ୍ଖାକୃତି, ପାନପତ୍ରାକୃତି, ଚତୁର୍ମୁଖୀ, ପଞ୍ଚମୁଖୀଠାରୁ ଆରମ୍ଭ କରି ସପ୍ତମୁଖୀ ପର୍ଯ୍ୟନ୍ତ ବଡ଼ ସୁନ୍ଦରସୁନ୍ଦର ଗଢ଼ଣର ଦୀପ ବଜାରକୁ ଆସୁଛି। ତେଣୁ ସେସବୁ ସହ ତାଳ ଦେଇ ଦୀପ ଗଢ଼ିବାକୁ ସ୍ଥାନୀୟ କୁମ୍ଭକାରଙ୍କୁ ଅଧିକ ସମୟ ଓ ପରିଶ୍ରମ ଦେବାକୁ ପଡ଼ୁଛି। ତେଣୁ ସ୍ବାଭାବିକ ଭାବେ ଦୀପ ଦାମ୍ ବଢ଼ାଇବାକୁ ପଡ଼ୁଛି। ଏଣେ ଦାମ୍ ବଢ଼ିଲେ, ବଜାରରେ ଚାହିଦା କମୁଛି। ଫଳରେ ସବୁ ଦିଗରୁ ଏବେ କୁମ୍ଭକାରମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ବହୁ ସଂସ୍କୃ୍ତିପ୍ରେମୀଙ୍କ ପାଇଁ ମାଟି ଦୀପ ସହ କୁମ୍ଭକାରମାନଙ୍କ ବୃତ୍ତି ବଞ୍ଚି ରହିଛି।
କୁମ୍ଭକାରଙ୍କ ମୁହଁରୁ
ଦୀପ ତିଆରି ଆମର କୌଳିକ ବୃତ୍ତି। ଦିନକୁ ଦିନ ତିଆରି ବାବଦ ଖର୍ଚ୍ଚ ବଢ଼ୁଛି, ବିକ୍ରି କମୁଛି। ମାଟିରୁ ଆରମ୍ଭ କରି ଜାଳେଣି ଓ ରଙ୍ଗ ପର୍ଯ୍ୟନ୍ତ ସବୁର ଦାମ୍ ବଢ଼ିଗଲାଣି। ପୁଣି ବର୍ଷର ସବୁ ସମୟରେ ଦୀପ ବିକ୍ରି ନାହିଁ। କେବଳ ଦୀପାବଳିରେ ଟିକେ ଅଧିକ ବିକ୍ରି ହେଉଛି। ଏଥିସହ ଲୋକଙ୍କ ମାନସିକତା ବି ବଦଳି ଗଲାଣି। ବାହାର ରାଜ୍ୟରୁ ଆସୁଥିବା ଦୀପକୁ ଲୋକେ ଚଢ଼ା ଦରରେ କିଣୁଛନ୍ତି ପଛେ ସ୍ଥାନୀୟ ପ୍ରସ୍ତୁତ ମାଟି ଦୀପ ନେଉନାହାନ୍ତି। ଫଳରେ ରୋଜଗାର କମୁଛି ଓ ଏଥିରେ ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉନାହିଁ। ତେଣୁ କ୍ରମଶଃ ବେପାର ଆଉ ଲାଭଜନକ ହେଉନଥିବାରୁ ଧୀରେଧୀରେ ବହୁ କୁମ୍ଭକାର ଏହି ବୃତ୍ତିରୁ ମୁହଁ ଫେରାଇନେଲେଣି। କିନ୍ତୁ ଆମ ପରିବାର ଏବେ ବି ଏହି ବୃତ୍ତିକୁ ବଞ୍ଚାଇ ରଖିଛୁ।
କାଳିଆ ମୁଦୁଲି, ପୁରୁଣା ଭୁବନେଶ୍ବର
କରୋନା ଯୋଗୁଁ ସବୁ ଜିନିଷର ଦରଦାମ୍ ବୃଦ୍ଧି ପାଇଛି। ମାଟି ଦାମ୍ ମଧ୍ୟ ଅମୂଲମୂଲ ହେଲାଣି। ସେତିକି ନୁହେଁ, ମାଟି ପାଇଁ ଅନେକ ଅଞ୍ଚଳ ବୁଲିବାକୁ ପଡ଼ୁଛି। ସେହିଭଳି କଞ୍ଚା ଦୀପ ପୋଡ଼ିବା ପାଇଁ ଆବଶ୍ୟକ କାଠ ଦର ମଧ୍ୟ ବହୁ ଅଧିକ ହେଲାଣି ଓ ମିଳିବା ବି କାଠିକର ହେଉଛି। ଏତେ କଷ୍ଟରେ ସବୁ ଯୋଗାଡ଼ କରି ଦୀପ ତିଆରି କରିବା ପରେ ବିକିଲା ବେଳକୁ ପାରିଶ୍ରମିକ ଉଠୁନାହିଁ। ତେଣୁ ଗତ କିଛି ବର୍ଷ ହେଲା ଏହି ବୃତ୍ତି ଛାଡ଼ି ଦେଇଛୁ।
ଝରଣା ମୁଦୁଲି, କୁମ୍ଭାରସାହି
ବର୍ଷ ସାରା ମାଟି ସାମଗ୍ରୀ ବିକୁଛି। ଆଗ ଭଳି ଦୀପ ବେପାର ନାହିଁ। ତଥାପି କିଛି ଲୋକଙ୍କ ଆଗ୍ରହ ଅଛି। ସେଥିପାଇଁ ତ ୫୦ ଟଙ୍କିଆ ଦୀପ ମଧ୍ୟ ବିକ୍ରି ହେଉଛି। ବଡ଼ ଦୁଃଖ ହେଉଛି ଶହେ ଦୀପକୁ ୪୦ ରୁ ୫୦ ଟଙ୍କା ହୋଇଥିଲେ ବି ଲୋକେ ମୂଲଚାଲ କରୁଛନ୍ତି। ତେଣୁ କିଣିବା ବେଳେ କୁମ୍ଭକାରଙ୍କୁ କେତେ ଟଙ୍କା ଦେବୁ କହିଲେ! ତଥାପି ଗ୍ରାହକଙ୍କ ଖୁସି ପାଇଁ କମ୍ ଦାମରେ ଦୀପ ବିକ୍ରି କରିବାକୁ ପଡ଼ୁଛି।
ସଞ୍ଜୟ ସାହୁ, ବଢ଼େଇବାଙ୍କ