ସଂଭାବନା ପକ୍ଷରୁ ପଞ୍ଚଦଶ ‘ପ୍ରଣବ ପ୍ରଣାମ’ ଉତ୍ସବ: ଅନ୍ତରେ କାନ୍ଦେ ବାହାରେ ହସେ ମୁଁ…

ଭୁବନେଶ୍ୱର: ଗୀତରେ ଗୀତରେ ନିଜ ପ୍ରିୟବନ୍ଧୁଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି। ତାଙ୍କ ବେଦନାଭରା କଣ୍ଠରୁ ବାହାରି ଆସୁଥିବା ‘ଅନ୍ତରେ କାନ୍ଦେ ବାହାରେ ହସେ ମୁଁ’ ଗୀତର ପ୍ରତିଟି ପଦ, ସାମ୍ନାରେ ବସିଥିବା ପ୍ରତିଟି ଦର୍ଶକଙ୍କୁ ଭାବବିହ୍ବଳ କରି ପକାଉଥିଲା। ବନ୍ଧୁର ଅକାଳ ବିୟୋଗ ଯେ ତାଙ୍କୁ କେତେ ପରିମାଣରେ ମ୍ରିୟମାଣ କରିଛି, ଦର୍ଶକେ ତାଙ୍କ କଣ୍ଠସ୍ବରରୁ ସ୍ପଷ୍ଟ ବାରିପାରୁଥିଲେ। ୟୁନିଟ୍‌-୨ ପ୍ରାଥମିକ ବିଦ୍ୟାଳୟରେ ‘ସଂଭାବନା’ ପକ୍ଷରୁ ଆଜି ଆୟୋଜିତ ପଞ୍ଚଦଶ ‘ପ୍ରଣବ ପ୍ରଣାମ’ କାର୍ଯ୍ୟକ୍ରମରେ ଦିବଂଗତ ସଂଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଗୀତ ଗାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କିଂବଦନ୍ତି କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ପରେ ପରେ ତାଙ୍କ କଣ୍ଠରୁ ଭାସି ଆସିଥିବା ‘ରେ ଆତ୍ମନ’ ଶୀତୁଆ ସଂଧ୍ୟାରେ ଉଷ୍ମତା ଭରି ଦେଇଥିଲା।
ପ୍ରଣବ ଜୟନ୍ତୀର ପୂର୍ବ ସଂଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଣବ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ସାଂସଦ ସୁବାସ ସିଂହ, ଓଡ଼ିଶା ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଓ ୨୦୧୯ର ଶ୍ରେଷ୍ଠ ଓଡ଼ିଆଣୀ ମୀନା ପାଣିଗ୍ରାହୀ ଉପସ୍ଥିତ ଥିଲେ। ସଂପାଦକ ଦେବ ପ୍ରସାଦ ପରିଜା ଉତ୍ସବର ପୃଷ୍ଠଭୂମି ସଂପର୍କରେ କହିଥିବା ବେଳେ ଟ୍ରଷ୍ଟି ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସିଦ୍ଧାନ୍ତଙ୍କ ସ୍ୱରରେ ‘ଚିଲିକା ତୀରେ’ ଚଳଚ୍ଚିତ୍ରର ‘ଉର୍ମି ଅଧିରା ରୂପସୀ ଚିଲିକା… ସଂଗୀତରୁ। ପରେ କଣ୍ଠଶିଳ୍ପୀ ପୁଣ୍ୟତା ଦାଶ ଗାଇଥିଲେ ‘ସିନ୍ଦୁର ବିନ୍ଦୁ’ ଚଳଚ୍ଚିତ୍ରର ‘କେଉଁ ନାମ ଧରି ଡାକିବୁ ତୁମକୁ…। ସିଦ୍ଧାର୍ଥ ଓ ଲିପ୍‌ସା ମିଶ୍ର ହିନ୍ଦୀ ଗୀତ ‘ପଲ୍‌ପଲ୍ ଅଜବ ଏକ୍ ହଲ୍‌ଚଲ୍’ ଗାଇ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ତରୁଣ କଣ୍ଠଶିଳ୍ପୀ ଅର୍ଣ୍ଣବ ପଣ୍ଡା ଗାଇଥିଲେ ‘ମାଝିରେ ଶେଷ ଶ୍ରାବଣ…, ‘ପାହାଡ଼ର ସେ ପାଖେ ଆମ ଛୋଟ ଗାଁ…। କଣ୍ଠଶିଳ୍ପୀ ଇପ୍‌ସିତା ମହାନ୍ତିଙ୍କ ସ୍ୱରରେ ‘ମା ତୁମେ ଜଗତର ସାହା ଭରସା… ଓ ଅର୍ଣ୍ଣବଙ୍କ ସହ ଝୁମୁଝୁମୁ ନୂପୁର ବାଜେ …ଦର୍ଶକଙ୍କୁ ମନୋରଂଜନର ଭରପୂର୍‌ ଖୋରାକ୍‌ ଯୋଗାଇଥିଲା। ସେହିଭଳି କଣ୍ଠଶିଳ୍ପୀ ୠତିକା ରିମ୍‌ଝିମ୍ ଗାଇଥିଲେ ଏମିତି ରାତି… ଓ ସିଦ୍ଧାନ୍ତଙ୍କ ସହ ମଧୁଭରା ଫୁଲ ବନେ…। ଏହା ପରେ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ଓ ବିପୁନ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ପ୍ରଣବ ସଂଗୀତ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କୁ ‘ପ୍ରଣବାଶିଷ ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଭ୍ୟା ରାଜଶ୍ରୀ ଶତପଥୀ, ସତ୍ୟବ୍ରତ ମହାପାତ୍ର, ପ୍ରେମ ପ୍ରକାଶ ସିଂ, ପ୍ରଫୁଲ୍ଲ ଦେ ଓ ଅଭିରାମ ସାହୁ ପ୍ରମୁଖ।

ସମ୍ବନ୍ଧିତ ଖବର