କାମ କରୁନି ଫିଲ୍‌ଟର ମେସିନ୍‌: ପାଇପ୍‌ ପ୍ରକଳ୍ପରୁ ବାହାରୁଛି, ଲୁହାମିଶା ପାଣି

କିଡ୍‌ନୀ ରୋଗରେ ଗଲାଣି ୨ମୁଣ୍ଡ

ବାଲିଅନ୍ତା: କାମ କରୁନି ଲୌହ ଦୂରୀକରଣ ଯନ୍ତ୍ର। ତେଣୁ ପାନୀୟ ଜଳ ପ୍ରକଳ୍ପରୁ ବାହାରୁଛି ଲୌହମିଶ୍ରିତ ଜଳ। ‌ବିକଳ୍ପ ଅଭାବରୁ ଲୋକେ ଲୁହାମିଶା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଫଳରେ ଲୋକେ ନାନା ପ୍ରକାର ପେଟ ରୋଗରେ ପୀଡ଼ିତ ହେଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ କେବଳ ଏହି କାରଣରୁ ହିଁ ଦୁଇଜଣଙ୍କ କିଡ୍‌ନୀ ରୋଗରେ ମୃତ୍ୟୁ ଘଟିଛି। ଏ ହେଉଛି ବାଲିଅନ୍ତା ବ୍ଲକ ଅଧୀନ ସୁଭାଲୋ ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପର ଅବସ୍ଥା। ଏହି ପ୍ରକଳ୍ପ ପରିସରରେ ଥିବା ଲୌହ ଦୂରୀକରଣ ମେସିନରେ ଗୁରୁତର ତ୍ରୁଟି ରହିଛି। କହିବାକୁ ଗଲେ, ଏହି ମେସିନ୍ ଏକପ୍ରକା‌ର ଅଚଳ ହୋଇ ପଡ଼ିଛି। ବୋର୍‌ୱେଲ୍‌ରୁ ବାହାରୁଥିବା ଜଳର ଲୌହ ଉପାଦାନ ଅଲଗା ହୋଇପାରୁନି। ଫଳରେ ଲୌହମିଶ୍ରିତ ଜଳ ସିଧାସଳଖ ଲୋକଙ୍କ ପାଖକୁ ଯାଉଛି। ସୁଭାଲୋ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପ୍ରକଳ୍ପରୁ ଯୋଗାଣ ହେଉଥିବା ପାଣି ସଂପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ‌ଲୁହାଗୁଣ୍ଡକୁ ଅଲଗା କରିବା ପାଇଁ ଲୋକେ ଷ୍ଟାଣ୍ଡପୋଷ୍ଟ ଟ୍ୟାପ୍‌ ମୁହଁରେ କପଡ଼ା ବାନ୍ଧି ଅଥବା ଛଣାରେ ଛାଣି ପାଣି ବ୍ୟବହାର କରୁଥିଲେ ବି କିଛି ଲାଭ ହେଉନାହିଁ। ଏହି ଜଳ କୌଣସି ପାତ୍ରରେ କିଛି ସମୟ ରଖିବା ପରେ ହଳଦିଆ ରଙ୍ଗ ହୋଇଯାଉଛି। ଏଥିରେ ପୋଷାକପତ୍ର ମଧ୍ୟ ଭଲରେ ସଫା କରି ହେଉନାହିଁ, ବରଂ ଏହି ପାଣିରେ ପୋଷାକ ସଫା କଲେ, ତାହା ଶୀଘ୍ର ନଷ୍ଟ ହୋଇଯାଉଛି। ଖାଲି ସେତିକି ନୁହେଁ, ଏହି ଜଳ ବ୍ୟବହାର କରିବା ଦ୍ବାରା ଦାନ୍ତ ନଷ୍ଟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବୁଢ଼ାଳ ଗ୍ରାମର ପ୍ରଶାନ୍ତ ଦାସଙ୍କ ଅଭିଯୋଗ ଅନୁସାରେ, ଗତ କିଛି ବର୍ଷ ମଧ୍ୟରେ କିଡ୍‌ନୀ ରୋଗରେ ଏ ଅଞ୍ଚଳର ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏବେ ବି କିଛି ଲୋକ କିଡ୍‌ନୀ‌ ରୋଗରେ ପୀଡ଼ିତ ଅଛନ୍ତି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୪/୦୫ ମସିହାରେ ତତ୍କାଳୀନ ଜୟଦେବ ବିଧାୟକ ଶଶିଭୂଷଣ ବେହେରାଙ୍କ ଦ୍ବାରା ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟକାରୀ ହେବାର ମାତ୍ର କେଇଟା ମାସ ପରେ ଲୌହ ଦୂରୀକାରଣ ମେସିନ୍‌ରେ ତ୍ରୁଟି ଦେଖାଗଲା। ମାତ୍ର ସେହିଦିନଠାରୁ ଉକ୍ତ ମେସିନ୍‌ର ତ୍ରୁଟି ଦୂର ହୋଇପାରିଲା ନାହିଁ। ଫଳରେ ସୁଭାଲୋ, ଅରିଙ୍ଗୋଳ ଓ ଚିଙ୍ଗୁଡ଼ିଆ ଗ୍ରାମବାସୀମାନେ ଦୀର୍ଘ ଦିନ ହେଲା ଏଥିରୁ ଲୌହମିଶ୍ରିତ ଜଳ ପାଇ ଆସୁଛନ୍ତି । ଅନ୍ୟପକ୍ଷରେ ଏହି ପ୍ରକଳ୍ପର ପାଇପ୍‌ ଲାଇନ୍‌ ଫାଟିଯିବା ପରେ ଚିଙ୍ଗୁଡ଼ିଆ ଗାଁକୁ ୨ବର୍ଷ ହେଲା ଜଳଯୋଗାଣ ବନ୍ଦ ରହିଛି। ପାଇପ୍‌ ଲାଇନ ମରାମତି କରାଯାଉନାହିଁ। ଫଳରେ ଚିଙ୍ଗୁଡ଼ିଆ ପାଇପ୍‌ ଜଳ ଯୋଗାଣରୁ ବଞ୍ଚିତ ହୋଇ ରହିଛି ଓ ଗାଁରେ ଘୋର୍‌ ଜଳସଂକଟ ଦେଖାଦେଇଛି। ସେହିପରି ପଟୁପଡ଼ା କ୍ଷୁଦ୍ର ପାଇପ୍‌ ଜଳ ପ୍ରକଳ୍ପରୁ ମଧ୍ୟ ଲୌହମିଶ୍ରିତ ଜଳ ବାହାରୁଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରକଳ୍ପ ପରିସରରେ ଲୌହଦୂରୀକରଣ ଫିଲ୍‌ଟରିଂ ମେସିନ ପ୍ରତିଷ୍ଠା କରାଯାଉନାହିଁ। ଏହି ପ୍ରକଳ୍ପ ଉପରେ ପଟୁପଡ଼ା , ସାନ ବଇଁଚୁଆ ଓ ଖୋରାଘର ଗ୍ରାମବାସୀ ନିର୍ଭର କରିଥାନ୍ତି। ତେଣୁ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଲୋକେ ରୋଗାକ୍ରାନ୍ତ ହୋଇ ପଡ଼ିବେ ବୋଲି ଆଶଙ୍କା କରାଯାଉଛି। ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ତୁରନ୍ତ ଫିଲ୍‌ଟର ମେସିନ୍ ଲଗାଇବାକୁ ଦାବି କରାଯାଉଛି।

ସମ୍ବନ୍ଧିତ ଖବର