ନୋଟିସ୍‌, ଯାଞ୍ଚରେ ଅଟକିଛି ଅଗ୍ନିଶମ ବିଭାଗ

ଅଗ୍ନି ନିରାପତ୍ତା ଦୃଷ୍ଟିରୁ ରାଜଧାନୀ ସୁରକ୍ଷିତ ତ?

ଭୁବନେଶ୍ୱର: ଅଗ୍ନି ନିରାପତ୍ତା ଦୃଷ୍ଟିରୁ ରାଜଧାନୀ ସୁରକ୍ଷିତ ତ? ବର୍ତ୍ତମାନ ପ୍ରସଙ୍ଗଟି ଅତି ସମ୍ବେଦନଶୀଳ ପାଲଟିଛି। କାରଣ ଭୌଗଳିକ ଦୃଷ୍ଟିକୋଣରୁ ଦିନକୁ ଦିନ ରାଜଧାନୀର ‌କ‌ଳେବର ବଢ଼ିବା ସହ ବଡ଼ ବଡ଼ ଆପାର୍ଟମେଣ୍ଟ, ସପିଂ ମଲ୍‌, ହସ୍ପିଟାଲ୍‌, ସୋ’ରୁମ୍‌, ଗହଣା ଦୋକାନ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, କର୍ପୋରେଟ୍‌ ଅଫିସ୍‌ ଆଦି ବଢ଼ିଚାଲିଛି। ତେବେ ସେଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ଅଛି ତ? ଏଭଳି ପ୍ରଶ୍ନ ମନରେ ଉଙ୍କିମାରୁଛି? ପଶ୍ଚିମ ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡରେ୨୯ ଜଣଙ୍କ ମୃତ୍ୟୁ ଘଟିବା ଏବଂ ଅନେକଙ୍କ ନିଖୋଜ ପରେ ଏବେ ରାଜ୍ୟ ଅଗ୍ନିଶମ ବିଭାଗ ତତ୍ପରତା ଦେଖାଇଛି।

ସପିଂମଲ୍‌ ଠାରୁ ଆରମ୍ଭ କରି ହସ୍ପିଟାଲ୍‌, ସୋ’ରୁମ୍‌, ଗହଣା ଦୋକାନ, ଶିକ୍ଷାନୁଷ୍ଠାନ ଆଦିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ଅଛି କି ନାହିଁ ତା’ର ସମୀକ୍ଷା ପାଇଁ ଟିମ୍‌ ବୁଲି ଯାଞ୍ଚ କରୁଛନ୍ତି। ଯେଉଁମାନଙ୍କର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଅଛି ସେମାନଙ୍କୁ ତାଗିଦ କରାଯାଇଛି। ତୁରନ୍ତ ସ୍ଥିତି ସଜାଡ଼ିବାକୁ କୁହାଯାଇଛି। ଏଥିରୁ ସ୍ପଷ୍ଟ ଯେ, ରାଜ୍ୟ ହେଉ କି ରାଜ୍ୟ ବାହାରେ ଯେତେବେଳେ କୌଣସି ଏଭଳି ଅଘଟଣ ଘଟେ ବିଭାଗ ତତ୍ପରତା ଦେଖାଉଛି। ଉଦ୍‌ବେଗର କଥା ଯେ, ଚଢ଼ଉ କରାଯାଇ ତ୍ରୁଟି ଥିବା ସଂସ୍ଥାଗୁଡ଼ିକୁ ନୋଟିସ କରାଯାଉଛି। ଅଥଚ ଏହାପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ପୂର୍ବରୁ ରାଜଧାନୀରେ ବଡ଼ ବଡ଼ ଅଗ୍ନିକାଣ୍ଡ ପରେ ଅନେକ ଥର ବିଭାଗ ପକ୍ଷରୁ ଚଢ଼ଉ, ଯାଞ୍ଚକୁ ଜୋରଦାର କରାଯାଇ ପରେ ଚୁପ ବସିବାର ଅନେକ ଉଦାହରଣ ରହିଛି।

କିଛି ଦିନ ତଳେ ରାଜଧାନୀର କେଶରୀ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲ। ଏହାଛଡ଼ା ପୂର୍ବରୁ ଜୟଦେବବିହାରରେ ଥିବା ଏକ ସ୍ପୋର୍ଟସ ସୋ’ରୁମ୍‌, ଜନପଥ ରୋଡ୍‌ରେ ଥିବା ଏକ ସପିଂ ମଲ, ଘରୋଇ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ରାଜଧାନୀରେ ଏମିତି ଅନେକ ଥର ଅଗ୍ନିକାଣ୍ଡ ଘଟି ଲୋକଙ୍କ ଜୀବନ ଯିବାର ହୃଦୟ ବିଦାରକ ଚିତ୍ର ଏବେ ବି ଲୋକଙ୍କ ମନରୁ ଲିଭିନି। ବଡ଼ ବଡ଼ ଅଘଟଣ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ଉକୁ ଜୋରଦାର କରାଯାଇଥିଲା। ବିଭିନ୍ନ ସଂସ୍ଥାକୁ ନୋଟିସ୍‌ ବି କରାଯାଇଛି। ହେଲେ ପରବର୍ତ୍ତୀ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।

ରାଜଧାନୀର ସପିଂ ମଲ, ତାରକା ହୋଟେଲ, ଗହଣା ଦୋକାନ, ଶିକ୍ଷାନୁଷ୍ଠାନ ଆଦି ଉପରେ ଚଢ଼ଉ ବେଳେ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ପାଇଁ ସେଠାରେ ସେଭଳି ସୁବିଧା ନାହିଁ। ପରିସ୍ଥିତିର ସମ୍ମୁଖୀନ ପାଇଁ କୌଣସି ପ୍ରକାର ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। ଏଭଳି ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ। ଯେଉଁ ଅଗ୍ନି ନିର୍ବାପକ ଯନ୍ତ୍ରଗୁଡ଼ିକ ଅଛି ତାହା ଥାଇ ମଧ୍ୟ ନଥିବା ଭଳି ସ୍ଥିତିରେ। କେଉଁଠି ଆଲାରାମ ନାହିଁ ତ କେଉଁଠି ବାଜୁନି। କେତେକ ସ୍ଥାନରେ ସ୍ପ୍ରିଙ୍କଲର ନାହିଁ ତ କେଉଁଠି ଅଚଳ ହୋଇପଡ଼ିଛି। ଏହି ସବୁ ସ୍ଥାନରେ ଯେଉଁ ସବୁ ଅଗ୍ନି ନିରାପତ୍ତା ଯନ୍ତ୍ରଗୁଡ଼ିକୁ ବ୍ୟବହାର କରାଯାଉଛି ତାହା ପୁଣି ଅତି ନିମ୍ନମାନର। ଖାଲି ଏତିକି ନୁହେଁ, କିଛି ହୋଟେଲ୍‌ ଓ ମଲ୍‌ରେ ଜରୁରୀକାଳୀନ ସିଡ଼ିଗୁଡ଼ିକ ଅଚଳ ହୋଇ ପଡ଼ିଛି। କେଉଁଠି ଜରୁରୀକାଳୀନ ଦ୍ୱାର ନାହିଁ ତ କେଉଁଠି ଜରୁରୀକାଳୀନ ଦ୍ୱାର ସମ୍ମୁଖକୁ ଷ୍ଟୋର ଭାବେ ବ୍ୟବହାର କରାଯାଇଛି। କେତେକ ସ୍ଥାନରେ ଜରୁରୀକାଳୀନ ଦ୍ୱାର ସମ୍ପର୍କରେ ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ।

ଏହାଛଡ଼ା ଉକ୍ତ ସ୍ଥାନଗୁଡ଼ିକରେ ନିରାପତ୍ତା ପାଇଁ ୨୦ ହଜାର ଲିଟର ପାଣି ଟାଙ୍କି ରଖିବା ପାଇଁ ନିୟମ ରିହିଥିଲେ ମଧ୍ୟ ତାହା ରଖାଯାଇ ନାହିଁ। ଯେଉଁଠି ପାଣି ଟାଙ୍କି ରହିଛି, ସେଗୁଡ଼ିକ ଅତି କ୍ଷୁଦ୍ର, ଯାହାକି ଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ପର୍ଯ୍ୟାପ୍ତ ନୁହେଁ। ମଲ୍‌, ହୋଟେଲ, ଗହଣା ଦୋକାନ ଚାରି ପଟେ ରାସ୍ତାକୁ ଅତି କମ୍‌ରେ ୬ ମିଟର ଚଉଡ଼ା ରାସ୍ତା ଛାଡ଼ିବାକୁ ନିୟମ ରହିଛି। ଫଳରେ ଅଗ୍ନିଶମ ଗାଡ଼ିଗୁଡ଼ିକ ସହଜରେ ଚାରିପଟେ ଚକ୍କର କାଟି ପରିସ୍ଥିତିର ମୁକାବିଲା କରିପାରିବ। ହେଲେ ଅନେକ ସ୍ଥାନରେ ଚାରିପଟେ ରାସ୍ତା ନାହିଁ। ଅଧିକାଂଶ ସ୍ଥାନରେ ଏହା ୫ଫୁଟ ଭିତରେ ରହିଛି।

ମୁଖ୍ୟ ଦ୍ୱାରକୁ ୫ ମିଟର ଚଉଡ଼ା ରଖିବା ପାଇଁ ନିୟମ ରହିଛି। ହେଲେ ମୁଖ୍ୟ ଦ୍ୱାରକୁ ବନ୍ଦ କରି ଭାଗ ଭାଗ କରି ଦିଆଯାଇଛି। ସିଡ଼ିଗୁଡ଼ିକୁ ଅତି କମ୍‌ରେ ଦେଢ଼ ମିଟର ଚଉଡ଼ା ରଖିବା ଦରକାର ଥିବା ବେଳେ କେତେକ ସ୍ଥାନରେ ଏହି ନିୟମକୁ ଉଲ୍ଲଂଘନ କରାଯାଇଛି। କୌଣସି ପ୍ରକାରର ଅଗ୍ନିକାଣ୍ଡ ଘଟିଲେ ସେଣ୍ଟ୍ରାଲ୍‌ ଏସିଗୁଡ଼ିକ ସ୍ୱତଃପୂର୍ତ୍ତ ଭାବେ ବନ୍ଦ ହୋଇଯିବା ବ୍ୟବସ୍ଥା ରଖିବାକୁ ନିୟମ ରହିଛି। ନିଆଁ ଲାଗିବା କ୍ଷଣି ଏସି ବନ୍ଦ ହୋଇଯିବ। ଫଳରେ ନିଆଁ ଚାରିଆଡ଼କୁ ସହଜରେ ବ୍ୟାପି ପାରିବନି। ହେଲେ ଅଧିକାଂଶ ଅନୁଷ୍ଠାନ ଏହି ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି। ଏ ବିଷୟରେ ଅଗ୍ନିଶମ ବିଭାଗ ଅବଗତ ଅଛି ତ? ଯଦି ଅଛି ପୂର୍ବରୁ ସେଭଳି କୌଣସି କାର୍ଯ୍ୟା‌ନୁଷ୍ଠାନ ନେଇଛି କି? ନା ଯାଞ୍ଚ ରିପୋର୍ଟକୁ କେବଳ ଫାଇଲ୍‌ ଭିତରେ ଚାପି ଦିଆଯାଇଛି।

ବେସ୍‌ମେଣ୍ଟ ନିୟମକୁ ଫୁ’

ନିୟମ ଅନୁଯାୟୀ ବେସ୍‌ମେଣ୍ଟଗୁଡ଼ିକୁ ବିଶେଷ କରି ପାର୍କିଂ ପାଇଁ ବ୍ୟବହାର କରାଯାଇଥାଏ। ବେସ୍‌ମେଣ୍ଟରେ କୌଣସି ପ୍ରକାର ଉତ୍ସବ ପାଇଁ ଅନୁମତି ମିଳିନଥାଏ। ଯଦି କେହି ବେସ୍‌ମେଣ୍ଟକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ, ତେବେ ସେଥିପାଇଁ ବିଡିଏ ଓ ବିଏମ୍‌ସିଠାରୁ ସ୍ୱତନ୍ତ୍ର ଅନୁମତି ନେବା ଆବଶ୍ୟକ। ହେଲେ କିଛି ହୋଟେଲ୍‌ ପକ୍ଷରୁ ବିଡିଏ କିମ୍ବା ବିଏମ୍‌ସିରୁ କୌଣିସି ଅନୁମତି ନିଆଯାଉ ନାହିଁ ବୋଲି ଜଣାପଡ଼ିଛି।। କେତେକ ସ୍ଥାନରେ ବେଆଇନ୍‌ ଭାବେ ବେସ୍‌ମେଣ୍ଟକୁ ମଣ୍ଡପ ଭାବେ ମଧ୍ୟ ବ୍ୟବହାର କରାଯାଇଛି। ବେସ୍‌ମେଣ୍ଟ ଚାରିପଟେ ବଡ଼ ଦ୍ୱାର ରଖିବା ପାଇଁ ନିୟମ ଥିଲେ ମଧ୍ୟ ତାହା କରାଯାଇ ନାହିଁ। ଯଦି ସେଠାରେ ଅଗ୍ନିକାଣ୍ଡ ଘଟେ, ତେବେ ଲୋକମାନେ ବାହାରକୁ ବାହାରିବାକୁ ବାଟ ମଧ୍ୟ ନାହିଁ। ହେଲେ ଅଗ୍ନିଶମ ବିଭାଗକୁ ଏହା ଦେଖାଯାଉନାହିଁ।

କର୍ମଚାରୀକୁ ଜଣାନାହିଁ ବ୍ୟବହାର

ସପିଂ ମଲ୍‌ ଠାରୁ ଆରମ୍ଭ କରି ହୋଟେଲ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ନିୟମକୁ ତ ଖୋଲାଖୋଲି ଫାଙ୍କି ଚାଲିଛନ୍ତି। ଏହାଠାରୁ ବଡ଼ ଦୁଃଖର ବିଷୟ ଯେ ଜରୁରୀକାଳୀନ ପରିସ୍ଥିତ ପାଇଁ ଯେଉଁ ସବୁ ଅଗ୍ନି ନିରାପତ୍ତା ଯନ୍ତ୍ର ରହିଛି, ତାହାର ବ୍ୟବହାର କର୍ମଚାରୀମାନଙ୍କୁ ଜଣାନାହିଁ କି ସେମାନଙ୍କୁ ତାଲିମ୍‌ ଦିଆଯାଉ ନାହିଁ। ଯଦିଓ କର୍ମଚାରୀମାନଙ୍କୁ ଅଗ୍ନି ନିରାପତ୍ତା ତାଲିମ୍‌ ଦେବା ନେଇ ନିୟମ ରହିଛି। ନିୟମ ଅନୁଯାୟୀ କର୍ମଚାରୀମାନଙ୍କୁ ଅତିକମ୍‌ରେ ବର୍ଷରେ ଦୁଇ ଥର ତାଲିମ୍‌ ଦେବା କଥା। ଏହାଛଡ଼ା ମଝିରେ ମଝିରେ ମକ୍‌ ଡ୍ରିଲ୍‌ ଭଳି କାର୍ଯ୍ୟକ୍ରମ କରିବାକୁ ନିରାପତ୍ତା ଯନ୍ତ୍ରପାତିର ଯାଞ୍ଚ ସହ କର୍ମଚାରୀଙ୍କ ଦକ୍ଷତା ସମୀକ୍ଷା ହେବା କଥା। ହେଲେ ସେଭଳି କୌଣସି ତାଲିମ ଦିଆଯାଉ ନାହିଁ କି ନିରାପତ୍ତାର ଯାଞ୍ଚ କରାଯାଉ ନାହିଁ।

ନିଜ ସ୍ଥିତି ନିଜେ ସମୀକ୍ଷା କରନ୍ତୁ: ଡିଜି(ଅଗ୍ନିଶମ)

ପ୍ରାଥମିକ ଭାବେ ଅମେ ସମସ୍ତ ଅନୁଷ୍ଠାନକୁ ସଚେତନ କରାଉଛୁ। ସେମାନଙ୍କୁ ନିୟମ ନେଇ ନୋଟିସ କରିଛୁ। ଅଗ୍ନି ନିରାପତ୍ତା ନିୟମ ଅନୁଯାୟୀ ସେମାନେ ନିଜ ନିଜର ଅନୁଷ୍ଠାନର ସ୍ଥିତି ସମୀକ୍ଷା କରନ୍ତୁ। କେଉଁଠି ସମସ୍ୟା ରହିଛି ଚିହ୍ନଟ କରନ୍ତୁ। ଯେଉଁମାନଙ୍କର ତ୍ରୁଟି ରହିଛି ସେମାନେ ତୁରନ୍ତ ତ୍ରୁଟି ସୁଧାରନ୍ତୁ। ଆଗକୁ ଚଢ଼ଉକୁ ଜୋର୍‌ଦାର କରାଯିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜି(ଅଗ୍ନିଶମ) ସନ୍ତୋଷ ଉପାଧ୍ୟାୟ କହିଛନ୍ତି।

ସମ୍ବନ୍ଧିତ ଖବର