ହାଟ ଓ ମାର୍କେଟ୍‌ରେ ସଚେତନ କଲା ଅଗ୍ନିଶମ ବିଭାଗ

ଭୁବନେଶ୍ବର: ଦିଲ୍ଲୀରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ପରେ ଭୁବନେଶ୍ବରରେ ଅଗ୍ନିଶମ ବିଭାଗ ଆଜି ବିଭିନ୍ନ ହାଟ ଓ ମାର୍କେଟ୍‌ରେ ଅଗ୍ନିକାଣ୍ଡର ମୁକାବିଲା ପାଇଁ ବ୍ୟବସାୟୀ ଓ ଲୋକଙ୍କୁ ପ୍ରଶିକ୍ଷଣ ଦେଇଛି। ଅଗ୍ନିଶମ ବିଭାଗର ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏନେଇ ସ୍ବତନ୍ତ୍ର ଡ୍ରାଇଭ୍ କରିଥିଲେ।

ୟୁନିଟ୍-୧, ୟୁନିଟ୍-୨ ଓ ୟୁନିଟ୍-୪ର ମାର୍କେଟ୍ ଓ ହାଟରେ ଲୋକଙ୍କୁ ଅଗ୍ନିଶମଜନିତ ନିରାପତ୍ତାକୁ ନେଇ ସଚେତନ କରାଯାଇଥିଲା। ପ୍ରଥମେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଲେ କିଭଳି ଓଦା କପଡ଼ା ନଚେତ୍ ଟାଇଟ୍ ପ୍ଲାଷ୍ଟିକ୍ ବାଲ୍‌ଟି ସହାୟତାରେ ନିଆଁକୁ ଆୟତ କରାଯାଇପାରିବ ସେ ନେଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ କୌଶଳ ଶିଖାଇଥିଲେ। ପରେ ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନେ ମଧ୍ୟ ଏହା ଉପରେ ଅଭ୍ୟାସ କରିଥିଲେ। ସେହିଭଳି କିରୋସିନ୍ ବା ପେଟ୍ରୋଲରେ ନିଆଁ ଲାଗିଲେ ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ବାରା ନିଆଁ ଲିଭାଇବା କୌଶଳ ଶିଖାଇଥିଲେ।

ଭୟଭୀତ ହେବା ପରିବର୍ତ୍ତେ ଅଗ୍ନିକାଣ୍ଡକୁ କିଭଳି ଆୟତ୍ତ କରାଯାଇପାରିବ ସେନେଇ ସ୍ଥାନୀୟ ଲୋକେ ଓ ବ୍ୟବସାୟୀମାନେ ପ୍ରଶିକ୍ଷଣ ନେଇଥିଲେ। ୩ଟି ହାଟ ଓ ମାର୍କେଟ୍‌ରେ ପ୍ରାୟ ଶତାଧିକ ଲୋକ ଓ ବ୍ୟବସାୟୀ ମିଳିତ ଭାବେ ନିଆଁ ଲିଭାଇବା ପ୍ରଶିକ୍ଷଣ ନେଇଥିଲେ।

ସମ୍ବନ୍ଧିତ ଖବର