ଉତ୍କଳରେ ପ୍ରଥମ ମହିଳା କୁଳପତି

ଡିଜିଟାଲ କ୍ୟାମ୍ପସ୍‌ ହେବ: ସବିତା, କାମରେ ବିଶ୍ବାସ କରେ: ଅପରାଜିତା

ଗୋଟିଏ ଦିନରେ ରାଜଧାନୀର ପ୍ରମୁଖ ୨ ସରକାରୀ ବିଶ୍ବବିଦ୍ୟାଳୟ କୁଳପତି ଚୟନ ହୋଇଛନ୍ତି। ରାଜ୍ୟର ଏକ ନମ୍ବର ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଭାବେ ପ୍ରଫେସର୍‌ ସବିତା ଆଚାର୍ଯ୍ୟ ନିଯୁକ୍ତ ହୋଇଥିବା ବେଳେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ଭାବେ ପ୍ରଫେସର୍‌ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି। ପ୍ରଥମଥର ଲାଗି ଜଣେ ମହିଳା ଭାବେ ପ୍ରଫେସର୍‌ ଆଚାର୍ଯ୍ୟ ଏହି ନାମକରା ବିଶ୍ବବିଦ୍ୟାଳୟର କୁଳପତି ହେବାର ସୌ‌ଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ପ୍ରଫେସର୍‌ ଚୌଧୁରୀ ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ ମହିଳା ଭାବେ କୁଳପତି ପଦରେ ବସିବାକୁ ଯାଉଛନ୍ତି। ଅଣଛାତ୍ରମୁକ୍ତ କ୍ୟାମ୍ପସ ପ୍ରତିଷ୍ଠା, ଗବେଷଣା ସୁଦୃଢ଼ କରିବା, ଭିତ୍ତିଭୂମିର ବିକାଶ, ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷାଦାନ ପରି ଅନେକ ଆହ୍ବାନ ଏବେ ସମ୍ମୁଖରେ ରହିଛି। ସେଗୁଡ଼ିକର କିଭଳି ମୁକାବିଲା କରିବେ। କ୍ୟାମ୍ପସକୁ କିଭଳି ସଜାଡ଼ିବେ ଆଦି ସମ୍ପର୍କରେ ଜାଣିବାକୁ ‘ସମ୍ବାଦ’ର ପ୍ରୟାସ।
ସାକ୍ଷାତକାର-କେଶବ ପାଣି

ଡିଜିଟାଲ କ୍ୟାମ୍ପସ୍‌ ହେବ: ସବିତା
କ୍ୟାମ୍ପସର ବିକାଶ ଦିଗରେ ଆପଣଙ୍କ ପ୍ରଥମ ପଦକ୍ଷେପ କ’ଣ ହେବ?
ଭିତ୍ତିଭୂମି ବିକାଶ ଓ ଡିଜିଟାଇଜେସନ୍‌କୁ ପ୍ରାଥମକିତା ଦେବି। ବିଶେଷକରି ଟିଚିଂ ଓ ଲର୍ଣ୍ଣିଂକୁ ବ୍ୟାପକ କରାଯିବ। କ୍ୟାମ୍ପସରେ ଅଣ୍ଡରଗ୍ରାଉଣ୍ଡ କେବଲିଂ ବ୍ୟବସ୍ଥା କରାଯାଇ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ କରାଇବା ମୁଖ୍ୟ ଲକ୍ଷ୍ୟ ରହିବ। ଯେଉଁ ଭିତ୍ତିଭୂମି ହୋଇଛି, ତାହାକୁ କିଭଳି ସୁରକ୍ଷିତ ରଖିବା ଓ ଅଧାଗଢ଼ା ହୋଇ ରହିଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବାକୁ ସର୍ବାଧିକ ଗୁରୁତ୍ବ ଦେବି।
ଆପଣଙ୍କ ସମୟରେ କ୍ୟାମ୍ପସକୁ ନାକ୍‌ ଟିମ୍‌ ଆସିବ। ସେଥିପାଇଁ କିଭଳି ରହିବ ପ୍ରସ୍ତୁତି?
ନାକ୍‌ ‘ଏ+’ ଗ୍ରେଡ୍‌ ମାନ୍ୟତା ପାଇ ସାରିଥିବାରୁ ତାହାକୁ ଆଧାର କରି ଆଗକୁ ବଢ଼ିବୁ। ‘ଏ+’ ଗ୍ରେଡ୍‌ ପାଇବା ସମୟରେ ଯେଉଁଭଳି ଉଦ୍ୟମ କରାଯାଇଥିଲା, ଆଗକୁ ଆସିବାକୁ ଥିବା ନାକ୍‌ ଟିମ୍‌ ବେଳେ ବି ସେଭଳି ଉଦ୍ୟମ କରାଯିବ। ସମସ୍ତଙ୍କ ସହଯୋଗରେ ଆଗକୁ ବଢ଼ିବୁ। ସବୁ ବିଭାଗର ପ୍ରଫେସର, କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବି।
ଅନ୍‌ଲାଇନ୍‌ କ୍ଲାସକୁ କିଭଳି ବ୍ୟାପକ କରିବେ?
କରୋନା ଯୋଗୁଁ ୮ମାସ ହେଲା ପାଠପଢ଼ା ପ୍ରଭାବିତ ହୋଇଛି। ଛାତ୍ରଛାତ୍ରୀଙ୍କୁ କ୍ଲାସରୁମ୍‌ ଶିକ୍ଷା ମିଳିପାରିନି। ତେବେ ଅନ୍‌ଲାଇନ୍‌ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ପଢ଼ି ପାରୁଛନ୍ତି। ଫିଜିକାଲ କ୍ଲାସ୍‌ କେବେ ହେବ, କ୍ୟାମ୍ପସ କେବେ ଖୋଲିବ, ତାହା ସରକାରଙ୍କ ନିୟମାବଳୀ ଉପରେ ନିର୍ଭର କରେ। ସେପର୍ଯ୍ୟନ୍ତ ଅନ୍‌ଲାଇନ୍‌ କ୍ଲାସ ଧାରା ଜାରି ରହିବ। ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ।
କ୍ୟାମ୍ପସ ଅଣଛାତ୍ର ମୁକ୍ତ ହୋଇପାରିବ କି?
ଅଣଛାତ୍ରଙ୍କୁ କ୍ୟାମ୍ପସରୁ ବାହାର କରିବା ଦିଗରେ ପୂର୍ବରୁ ପଦକ୍ଷେପ ନିଆଯାଇଥିଲା। ବହୁତ ପ୍ରୟାସ ପରେ କିଛି ମାତ୍ରାରେ ଫଳ ମିଳିଥିଲା। ତଥାପି ସମ୍ପୂର୍ଣ୍ଣ ସଫଳତା ମିଳିପାରି ନାହିଁ। ଏହାକୁ ଅଧିକ ବ୍ୟାପକ କରାଯିବ। ପିଲାଙ୍କ ସ୍ବାର୍ଥକୁ ବ୍ୟାଘାତ ନ କରି କ୍ୟାମ୍ପସକୁ ଅଣଛାତ୍ରମୁକ୍ତ କରାଯିବ। ଶାନ୍ତ କ୍ୟାମ୍ପସ କରିବାକୁ ସବୁ ପ୍ରକାର ଉଦ୍ୟମ ହେବ।
ଗବେଷଣାକୁ କିଭଳି ସୁଦୃଢ଼ କରିବେ?
ଗବେଷଣା ସଜାଡ଼ିବାକୁ କାର୍ଯ୍ୟ ଆରମ୍ଭ ହୋଇଛି। କ୍ୟାମ୍ପସରେ ୮ରୁ ଅଧିକ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା ହୋଇଛି। ସେଗୁଡ଼ିକ କିଭଳି ଅଧିକ ସୁଦୃଢ଼ ହେବ, ସେ ଦିଗରେ ପଦକ୍ଷେପ ନିଆଯିବ। କରୋନା ସମୟରେ ଗବେଷଣା ଯାହା କିଛି ବିଗିଡ଼ିଛି, ତାହାକୁ ପୁଣିଥରେ ଫେରାଇ ଆଣିବାକୁ ପ୍ରୟାସ ହେବ।

କାମରେ ବିଶ୍ବାସ କରେ: ଅପରାଜିତା
ମାତ୍ର ୫ବର୍ଷ ତଳର ବିଶ୍ବବିଦ୍ୟାଳୟ। ତାହାକୁ ଆଗକୁ ନେବା ଦିଗରେ ଆପଣଙ୍କ ପଦକ୍ଷେପ କିଭଳି ରହିବ?
-ନିଶ୍ଚିତ ଭାବେ ଏହା ମୋ ପାଇଁ ବଡ଼ ଆହ୍ବାନ ରହିବ। ଓଡ଼ିଶାର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟର ଦାୟିତ୍ବ ନେବା ମୋ ପାଇଁ ଯେତିକି ସୌଭାଗ୍ୟର ବିଷୟ ସେତିକି ଚାଲେଞ୍ଜ ମଧ୍ୟ। ତେବେ କାର୍ଯ୍ୟରେ ଯୋଗଦେବା ପରେ କ’ଣ ସବୁ ସମସ୍ୟା ରହିଛି, ତାହାକୁ ଅନୁଧ୍ୟାନ କରି କିଭଳି ଆଗକୁ ବଢ଼ି ହେବ, ସେ ଦିଗରେ ପଦକ୍ଷେପ ନେବି।
ଛାତ୍ରୀଙ୍କ ପାଇଁ ନୂଆ ପାଠ୍ୟକ୍ରମ କିଛି ଖୋଲିବେ କି?
-ମୁଁ କାମରେ ବିଶ୍ବାସ କରେ। ତେଣୁ କାମ କରିବା ଉଦ୍ଦେଶ୍ୟ ରଖି କାର୍ଯ୍ୟରେ ଯୋଗଦେବି। ବିଶ୍ବବିଦ୍ୟାଳୟକୁ କିଭଳି ନାକ୍‌ ମାନ୍ୟତା ମିଳିପାରିବ, ସେ ଦିଗରେ କାର୍ଯ୍ୟକ୍ରମ ହାତକୁ ନେବା ସହ ୟୁଜିସିର ୧୨(ବି)ରେ ବିଶ୍ବବିଦ୍ୟାଳୟକୁ ସାମିଲ କରିବା ପ୍ରଥମ କର୍ତବ୍ୟ ରହିବ। ଛାତ୍ରୀଙ୍କୁ ସ୍ବାବଲମ୍ବୀ କରିବା ଲାଗି କେଉଁ ସବୁ ନୂଆ ପାଠ୍ୟକ୍ରମ ଆରମ୍ଭ କରାଯିବାର ଆବଶ୍ୟକତା ରହିଛି, ସେନେଇ ଆଲୋଚନା କରିବି।
ଗୋଟିଏ କ୍ୟାମ୍ପସରେ ୩ଟି ଶିକ୍ଷାନୁଷ୍ଠାନ ଚାଲିଛି। କରୋନା ପରେ କିଭଳି ଭାବେ ପିଲାଙ୍କ ପାଠପଢ଼ା ହେବ?
-ମୁଁ ଯେତିକି ଖବର ପାଇଛି, ଯୁକ୍ତ୨ କଲେଜକୁ ଅଲଗା କରିବା ଦିଗରେ ପଦକ୍ଷେପ ନିଆଯାଇଛି। ତେଣୁ ଏବେ କେବଳ ଯୁକ୍ତ୩ ଓ ପିଜି ପାଠ୍ୟକ୍ରମ ଗୋଟିଏ କ୍ୟାମ୍ପସରେ ଚାଲିଛି। ଦ୍ବିତୀୟ କ୍ୟାମ୍ପସ ଚିହ୍ନଟ ପ୍ରକ୍ରିୟା ଏବେ ଜାରି ରହିଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବା ସହ କ୍ୟାମ୍ପସର ବିକାଶ ହୋଇପାରିବ।
ଛାତ୍ରୀ, ପ୍ରଫେସର, ଅଧ୍ୟାପକଙ୍କ ଉଦ୍ଦେଶ୍ୟରେ କ’ଣ କହିବେ?
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓଡ଼ିଶାର ଗର୍ବ ଓ ଗୌରବ। ଏହି ଶିକ୍ଷାନୁଷ୍ଠାନ ଓଡ଼ିଶାର ଅନେକ ମହିଳାଙ୍କୁ ଗଢ଼ି ତୋଳିଛି। ଆଗକୁ ବି ଏହି ଧାରା ଜାରି ରହିବ। ମହିଳା ଓ ଛାତ୍ରୀଙ୍କ ବିକାଶ ହିଁ ଆମର ପ୍ରଥମ ଲକ୍ଷ୍ୟ। ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଲାଗି ସମସ୍ତେ ମିଶି କାମ କରିବୁ। ରାମାଦେବୀ ବିଶ୍ବବିଦ୍ୟାଳୟ ପରିସ୍ଥିତିକୁ ଦେଖି ଭିଜନ ପ୍ରସ୍ତୁତ କରିବି।

ସମ୍ବନ୍ଧିତ ଖବର