ଚନ୍ଦକା ଜଙ୍ଗଲରେ ପ୍ରଥମ: ଅସହ୍ୟ ଯନ୍ତ୍ରଣାର ସେ ୧୬ ଦିନ

ଭୁବନେଶ୍ବର: ବିସ୍ଫୋରକ ସାମଗ୍ରୀ ଦ୍ବାରା ହାତୀର ମୃତ୍ୟୁ ହେବା ଓଡ଼ିଶାରେ ନୂଆ ଘଟଣା। ଯଦିଓ ପୂର୍ବରୁ ଏଭଳି ଘଟଣା କେରଳରେ ଦେଖିବାକୁ ମିଳିଥିଲା, ତେବେ ଭୁବନେଶ୍ୱର ଉପକଣ୍ଠରେ ଶିକାରୀଙ୍କ ଏଭଳି ବର୍ବର ଶିକାର ଶୈଳୀକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ପ୍ରଶ୍ନ ଉଠୁଛି, ବାର୍‌ହା ଶିକାରୀ ପକାଇଥିବା ବିସ୍ଫୋରକ ଦ୍ବାରା ଦନ୍ତାର ଜୀବନ ଗଲା, ନା ହାତୀ ଶିକାର ପାଇଁ ଶିକାରୀ ଆପଣେଇଥିଲେ ଏ ଫର୍ମୁଲା? କିଭଳି ହେବ ଏ ଘଟଣାର ପର୍ଦ୍ଦାଫାସ୍‌? ଏହା ପଛରେ ସ୍ଥାନୀୟ ଶିକାରୀ ନା କାମ କରୁଛି ବଡ଼ ରୢାକେଟ୍? ତାହା ଉପରେ ଅଧିକ ତଦନ୍ତ କରିବାର ଆବଶ୍ୟକତା ରହିଥିବା ମତପ୍ରକାଶ ପାଇଛି।

ସରକାରୀ ତଥ୍ୟ କହୁଛି, ଗତ ୫ ବର୍ଷରେ ରାଜ୍ୟରେ ୪୩୦ ହାତୀଙ୍କ ଜୀବନ ଯାଇଛି। ସେଥିମଧ୍ୟରୁ ଶିକାର ଯୋଗୁ ୨୨ଟି ହାତୀର ଜୀବନ ଯାଇଥିବା ବେଳେ ଯୋଜନାବଦ୍ଧ ହତ୍ୟାରେ ୨ ଓ ବିଷକ୍ରିୟାରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି। ୧୦ ବର୍ଷରେ ୨୬୧ଟି ହାତୀ ଦାନ୍ତ ଓଡ଼ିଶାରୁ ଜବତ କରାଯାଇଛି। ପ୍ରାଣୀ ଚିକିତ୍ସକ ଇନ୍ଦ୍ରମଣି ନାଥଙ୍କ କହିବାନୁଯାୟୀ ହାତୀଙ୍କୁ ବାଣ ଦେଇ ମାରିବା ଭଳି ଘଟଣା ଆଗରୁ କେବେ ଓଡ଼ିଶାରେ ଦେଖି ନାହିଁ। ୨/୩ ବର୍ଷ ତଳେ ଅନୁଗୁଳ ଡିଜିଜନ୍‌ରେ ଏକ ଛୋଟ ହାତୀ ବାଣ ଖାଇ ଦେଇଥିଲା। କପିଳାସ ରେସକ୍ୟୁ ସେଣ୍ଟରରେ ମାସାଧିକ କାଳ ଚିକିତ୍ସା କରାଯିବା ପରେ ମୃତ୍ୟୁବରଣ କରିଥିଲା। ତେବେ ହାତୀଟି ଛୋଟ ଥିବାରୁ ଚିକିତ୍ସା କରିବା ସହଜ ହୋଇଥିଲା, ଯାହାକି ଏହି ହାତୀ କ୍ଷେତ୍ରରେ ସମ୍ଭବପର ହୋଇ ନ ଥିଲା। କାରଣ ହାତୀ ପାଟିରେ ପୋକ ହୋଇଯାଇଥିଲା। ଖାଦ୍ୟ ଗ୍ରହଣ କରିପାରୁ ନ ଥିବାରୁ ବଞ୍ଚାଇବା କଷ୍ଟକର ଥିଲା। କେବଳ ତରଳ ଖାଦ୍ୟ ଦେବାକୁ ପଡ଼ୁଥିଲା। ଦାନ୍ତ ଲମ୍ବ ୩/୪ ଫୁଟ୍‌
ମୃତ ଦନ୍ତା ହାତୀଟିର ବୟସ ୧୫ରୁ ୧୬ ବର୍ଷ ମଧ୍ୟରେ ହେବ। ତା’ର ଶବ ବ୍ୟବଚ୍ଛେଦ କରାଯିବା ପରେ ଭରତପୁରର ମାଳିମ ଟ୍ରାୟାରଠାରେ ମୃତଦେହକୁ ପୋତି ଦିଆଯାଇଛି। ଦୁଇଟି ଯାକ ଦାନ୍ତ ବାହାର କରାଯାଇ ତାହାକୁ ସାଇତି ରଖାଯାଇଛି। ଗୋଟିଏ ଦାନ୍ତ ୩/୪ ଫୁଟ ହେବ। ସେଗୁଡ଼ିକୁ ଜିଲ୍ଲା କୋଷାଗାରରେ ସଂରକ୍ଷିତ ରଖାଯିବାକୁ ନିଷ୍ପତ୍ତି ହୋଇଥିବା ଡିଏଫ୍‌ଓ ଶରତ ଚନ୍ଦ୍ର ବେହେରା କହିଛନ୍ତି।

କାଜୁ ଜଙ୍ଗଲରେ ହୋଇଥିଲା ବିସ୍ଫୋରଣ

ଗତ କିଛି ଦିନ ତଳେ ଖୋର୍ଦ୍ଧା ରତ୍ନପୁର କାଜୁ ଜଙ୍ଗଲରେ ଏକ ବିରାଟ ବାଣ ବିସ୍ଫୋରଣ ହୋଇଥିଲା। କ’ଣ ଓ କେଉଁଠି ଫୁଟିଥିଲା ଲୋକେ ଜାଣି ପାରି ନଥିଲେ। ଖୋଜା ଖୋଜି କରିଥିଲେ ମଧ୍ୟ କିଛି ପାଇ ନ ଥିଲେ। ସେହି ଅଞ୍ଚଳରେ ବାର୍‌ହା ଆତଙ୍କ ଦେଖାଦେଉ ଥିବାରୁ ଶିକାରୀମାନେ ଖାଦ୍ୟ ପଦାର୍ଥରେ ବିସ୍ଫୋରକ ସାମଗ୍ରୀ ମିଶାଇ ଜମିରେ ରଖୁଥିଲେ। ତାହାକୁ ଖାଇବା ପରେ ହାତୀ ପାଟିରେ ବିସ୍ଫୋରଣ ହୋଇଥିଲା। ଭୟରେ ହାତୀ ପଲ ଖୋର୍ଦ୍ଧା ଜଙ୍ଗଲ ଛାଡ଼ି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ମୁହାଁ ହୋଇଥିଲେ। ଡିଏଫ୍‌ଓ ଶ୍ରୀ ବେହେରା ମଧ୍ୟ କହିଛନ୍ତି ଯେ ମୃତ୍ୟୁ ହାତୀ ଏହି ଅଭୟାରଣ୍ୟର ନୁହେଁ। ଏହା ଖୋର୍ଦ୍ଧା ଜଙ୍ଗଲ ଆଡ଼ୁ ଭରତପୁରକୁ ଆସିଥିଲା।

ଘେରି ରହିଥିଲେ ହାତୀ ପଲ
ହାତୀଟି ଅସୁସ୍ଥ ଥିବା ନେଇ ୩ ଦିନ ତଳେ ଚନ୍ଦକା ଅଭୟାରଣ୍ୟର ଅଧିକାରୀମାନେ ଜାଣିବାକୁ ପାଇଥିଲେ। ତେବେ ତା’ଠାରେ କେଉଁ ପ୍ରକାର କ୍ଷତ ହୋଇଛି ତାହା ଜାଣିପାରି ନ ଥିଲେ। ହାତୀଟି ଭରତପୁର ଜଙ୍ଗଲରେ ବୁଲୁଥିବାରୁ କର୍ମଚାରୀମାନେ ପଛରେ ଗୋଡ଼ାଇଥିଲେ। ଡ୍ରୋନ୍‌ ସହାୟତା ମଧ୍ୟ ନେଇଥି‌ଲେ। ଗତକାଲି ଅପରାହ୍ଣରେ ହାତୀଟି ଭରତପୁର ଜଙ୍ଗଲ ରାସ୍ତାରେ ଟଳି ପଡ଼ିବା ପରେ ଡିଏଫଓ ଶ୍ରୀ ବେହେରା ଓୟୁଏଟି ଓ ନନ୍ଦନକାନନର ପ୍ରାଣୀ ଚିକିତ୍ସକଙ୍କୁ ଡକାଇ ହାତୀର ଚିକିତ୍ସା କରାଇଥିଲେ। ହେଲେ, ଗୁରୁତର ହାତୀକୁ ବଞ୍ଚାଇବା ସମ୍ଭବ ହୋଇପର ହୋଇ ନ ଥିଲା। ରାତି ପ୍ରାୟ ୧୧ଟା ୪୫ରେ ମୃତ୍ୟୁବରଣ କରିଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି। ତେବେ ହାତୀକୁ ଚିକିତ୍ସା କରିବା ସମୟରେ ତା’ ଆଖପାଖରେ ଅନ୍ୟ ହାତୀମାନେ ଘୂରି ବୁଲିଥିଲେ। ପାଖରୁ ଛାଡ଼ି ଯାଇ ନ ଥିଲେ। କେବେକେବେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଆଡ଼କୁ ମାଡ଼ି ଆସୁଥିଲେ। ହାତୀକୁ ଉଠାଇବାକୁ ଗତକାଲି ୩ ଥର ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ମାତ୍ର ଥରୁଟିଏ ଉଠିଥିଲା।

ସମ୍ବନ୍ଧିତ ଖବର