ବାରଙ୍ଗ: ଗର୍ଭରେ ସିଂହ ‘ସମ୍ରାଟ୍’ର ଔରସ ଧାରଣ କରିଥିବା ସିଂହୀ ‘ବିଜ୍ଲି’ ଏବେ ଆସନ୍ନ ପ୍ରସବା। ପ୍ରଥମଥର ଗର୍ଭଧାରଣ କରିଥିବା ‘ବିଜ୍ଲି’ ଚାରି ଦିନ ହେଲା ଯନ୍ତ୍ରଣା ଭୋଗୁଛି। ସମୟ ପାଖେଇ ଆସିଥିବାରୁ କେଉଁ ମୁହୂର୍ତ୍ତରେ ସେ ଛୁଆ ଜନ୍ମ କରିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଅପେକ୍ଷା କରି ରହିଛନ୍ତି। ତାକୁ ଏବେ ସଫାରିର ଖାଦ୍ୟ ଗ୍ରହଣ କକ୍ଷରେ ରଖାଯାଇଛି। ଚିକିତ୍ସକ ଓ କର୍ମଚାରୀମାନେ ତାକୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖିଛନ୍ତି।
ସୂଚନାନୁସାରେ ଶୁକ୍ରବାରଠାରୁ ତା’ଠାରେ ପ୍ରସବ ବେଦନାର ବିଭିନ୍ନ ଲକ୍ଷଣ ସବୁ ଦେଖାଦେଇଥିଲା। ସେ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିଲା। ତା’ କକ୍ଷ ଭିତରେ ସେ ବାରମ୍ବାର ଶୋଉଥିଲା ଓ ଉଠିପଡ଼ି ଇତଃସ୍ତତ ହୋଇ ବୁଲୁଥିଲା। ବହୁ ସମୟ ଭିଡ଼ିମୋଡ଼ି ହେଉଥିବାରୁ କର୍ମଚାରୀମାନେ ବୁଝି ଯାଇଥିଲେ। ସାଧାରଣତଃ ସିଂହୀମାନେ ଗର୍ଭ ଧାରଣର ୧୦୪ ଦିନ ଭିତରେ ପ୍ରସବ କରିଥାଆନ୍ତି। ଗଣନା ଅନୁସାରେ ‘ବିଜ୍ଲି’ ଗର୍ଭ ଧାରଣକୁ ୧୦୪ ଦିନ ବିତି ସାରିଲାଣି। ଅଥଚ ୪ ଦିନ ହେଲା ‘ବିଜ୍ଲି’ ପ୍ରସବ ଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ଛୁଆ ଜନ୍ମ ଦେଇନାହିଁ। ତେଣୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ମଙ୍ଗଳବାର ଓୟୁଏଟି ପ୍ରାଣୀ ବିଭାଗର ବିଶେଷଜ୍ଞ ଟିମ୍ ‘ବିଜ୍ଲି’ର ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରିବାକୁ ଆସୁଛନ୍ତି।
ସିଂହୀ ‘ବିଜ୍ଲି’କୁ ୨୦୨୦ ମସିହା ଡିସେମ୍ବର ୨୦ରେ ମଧ୍ୟପ୍ରଦେଶ ଇନ୍ଦୋର ପ୍ରାଣୀ ସଂଗ୍ରହାଳୟରୁ ନନ୍ଦନକାନନକୁ ଅଣାଯାଇଥିଲା। ଏସୀୟ ସିଂହ ବଂଶବୃଦ୍ଧି ଉଦ୍ଦେଶ୍ୟରେ ତାକୁ ଅନ୍ୟ ଏକ ସିଂହ ସହ ଏଠାକୁ ଅଣାଯାଇଥିଲା। ଗତ ଏପ୍ରିଲ୍ ମାସରେ ନନ୍ଦନକାନନର ସିଂହ ‘ସମ୍ରାଟ’ ସହ ତା’ର ମିଳନ ହୋଇଥିଲା। ସୂଚନାଯୋଗ୍ୟ ନନ୍ଦନକାନନରେ ଏସୀୟ ପ୍ରଜାତିର ୪ଟି ସିଂହ ଓ ୩ଟି ସିଂହୀ ରହିଛନ୍ତି। ସେହିଭଳି ସମାନସଂଖ୍ୟକ ଆଫ୍ରିକୀୟ ପ୍ରଜାତିର ୪ସିଂହ ଓ ୩ସିଂହୀ ଅଛନ୍ତି। ତେବେ ୨ଟି ବର୍ଣ୍ଣଶଙ୍କର ଜାତୀୟ ସିଂହୀଙ୍କୁ ମିଶାଇ ନନ୍ଦନକାନନରେ ମୋଟ ୧୬ଟି ସିଂହ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/5f564s56h4fs56h456hfssfhfhfhfhfhfhfhfhfhfhfhfh.jpg)