କୁମ୍‌କୁମ୍‌ ମହାନ୍ତି ପା‌ଇଲେ ପ୍ରଥମ ପଦ୍ମାବତୀ ସମ୍ମାନ

ଓଡ଼ିଶୀ ନୃତ୍ୟ ଓ ମର୍ଦ୍ଦଳ ବାଦନରେ ଦର୍ଶକ ବିଭୋର

ଭୁବନେଶ୍ବର: ସୁନୟନା ଚାରିଟେବୁଲ ଟ୍ରଷ୍ଟ ଦ୍ବାରା ପରିଚାଳିତ ଆକୃତି ଡ୍ୟାନ୍ସ୍ ଏକାଡେମି ଦ୍ବାରା ପ୍ରଥମ ପଦ୍ମାବତୀ ଉତ୍ସବ ସ୍ଥାନୀୟ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା କୁମ୍‌କୁମ୍‌ ମହାନ୍ତିଙ୍କୁ ପ୍ରଥମ ପଦ୍ମାବତୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଏମ୍.ଜି.ଏମ୍ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ଖ୍ୟାତାନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ସ୍ନେହପ୍ରଭା ସାମନ୍ତରାୟ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରାକ୍ତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଗୁରୁ ସଙ୍ଗୀତା ଗୋସାଇଁ ଏବଂ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ରିଡର୍‌ ଗୁରୁ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରତିଭାବାନ ମର୍ଦ୍ଦଳ ବାଦକ ଅରୂପ ଦାସ ଓ ମୁରଲୀଧର ସ୍ବାଇଁଙ୍କ ଯୁଗଳବନ୍ଦୀ ମର୍ଦ୍ଦଳ ବାଦନରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସଂଧ୍ୟା। ଏହା ଦର୍ଶକଙ୍କୁ ଏକ ଭିନ୍ନ ଅନୁଭୂତି ଦେଇଥିଲା। ପରେ ଅନୁଷ୍ଠାନର କଳାକାରଙ୍କ ଦ୍ବାରା ବୃନ୍ଦ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ପଦ୍ମଶ୍ରୀ ଗୁରୁ କୁମ୍‌କୁମ୍‌ ମହାନ୍ତିଙ୍କ ଏକକ ଅଭିନୟ, ଅନୀଷା ଅନୁକମ୍ପା ଓଡ଼ିଶୀ ନୃତ୍ୟରେ ଗୀତ ଗୋବିନ୍ଦ, ଗୁରୁ ଅଶୋକ କୁମାର ଘୋଷାଲ୍ ଓ ଗୁରୁ ବନ୍ଦିତା ଘୋଷାଲଙ୍କ ଦ୍ୱାରା ଓଡ଼ିଶୀ ଯୁଗଳବନ୍ଦୀ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶେଷ ପର୍ଯ୍ୟାୟରେ ଅନୁଷ୍ଠାନର କଳାକାରଙ୍କ ଦ୍ବାରା ଗୁରୁ ସାଗରିକା ପରିଡ଼ାଙ୍କ ତତ୍ତ୍ବାବଧାନରେ ଏକ ଲୋକନୃତ୍ୟ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର