୧୮ରେ ପ୍ରଥମ ଶ୍ରାବଣ ସୋମବାର: ମାସ୍କ ପିନ୍ଧିବେ କାଉଡ଼ିଆ

ପୁରୁଣା ଭୁବନେଶ୍ୱର: ଗୁରୁବାରଠୁ ଆରମ୍ଭ ହେଉଛି ଶ୍ରାବଣ। ୧୮ତାରିଖରେ ପଡ଼ୁଛି ପ୍ରଥମ ଶ୍ରାବଣ ସୋମବାର। ଶିବଲିଙ୍ଗରେ ଜଳାଭିଷେକ କରିବେ କାଉଡ଼ିଆମାନେ। ତେଣୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୃଙ୍ଖଳିତ ଜଳାଭିଷେକ ପାଇଁ ଏବେଠୁ ବ୍ୟାରିକେଡ୍‌ ବନ୍ଧା ଆରମ୍ଭ ହୋଇଛି। କରୋନା କଟକଣା ଦୃଷ୍ଟିରୁ କାଉଡ଼ିଆମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି।

କରୋନା ମହାମାରୀ ପାଇଁ ୨ ବର୍ଷ ହେଲା କାଉଡ଼ିଆ ଯାତ୍ରା ବନ୍ଦ ଥିଲା। ଚଳିତ ବର୍ଷ କରୋନା କଟକଣା ନାହିଁ। ତେଣୁ ପ୍ରତି ସୋମବାର ଦିନ କାଉଡ଼ିଆମାନେ ଶିବ ମନ୍ଦିରରେ ଶ୍ରାବଣୀ ପାଣି ଢାଳିବେ। ଏଏସ୍‍ଆଇ ପକ୍ଷରୁ ବ୍ୟାରିକେଡ ବନ୍ଧା ଆରମ୍ଭ ହୋଇଛି। ମନ୍ଦିର ସିଂହଦ୍ବାରରୁ ଦୁଇ ପାର୍ଶ୍ବ ରାସ୍ତା କଡ଼ରେ ବ୍ୟାରିକେଡ୍‌ ବନ୍ଧା ଆରମ୍ଭ ହୋଇଛି। ବିଏମ୍‌ସିର ମାଗଦର୍ଶିକା ଅନୁଯାୟୀ ଭକ୍ତ ଓ ସେବାୟତମାନେ ମାସ୍କ ପିନ୍ଧି ମନ୍ଦିରକୁ ଯିବେ। କାଉଡ଼ିଆମାନେ ସାମାଜିକ ଦୂରତା ରକ୍ଷା କରିବେ। ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର୍‌ ୩ଟାରୁ ଖୋଲାଯିବ। ଭୋର୍‌ ସାଢ଼େ ୩ଟାରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସରିବା ପରେ ୪ଟା ସୁଦ୍ଧା ସାହାଣମେଲା ଦର୍ଶନ ଆରମ୍ଭ ହେବ। ଆଡ଼କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ୱା ପାତ୍ରର ନଳ ରହିବ। କାଉଡ଼ିଆମାନେ ଧାଡ଼ିରେ ଆସି ଆଡ଼କାଠ ନିକଟରେ ଠିଆ ହୋଇ ସେହି ତମ୍ୱା ପାତ୍ରରେ ଶ୍ରାବଣୀ ଜଳ ଢା‌ଳିବେ। ଫଳରେ ନଳ ଦେଇ ଜଳ ସିଧାସଳଖ ଶକ୍ତି ଉପରେ ପଡ଼ିବ।

ଆମିଷ ଦୋକାନ ବନ୍ଦ

ଶ୍ରାବଣ ମାସ ତମାମ ବଢ଼େଇବାଙ୍କ ଛକଠାରୁ ମନ୍ଦିର ପର୍ଯ୍ୟନ୍ତ ଓ ମନ୍ଦିର ଚାରିପଟେ ଥିବା ବଜାର ହାଟରେ ଆମିଷ ଦୋକାନ ବନ୍ଦ ରହିବ ବୋଲି ବିଭିନ୍ନ ବଜାର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏକାମ୍ର କ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ମେଘେଶ୍ବର, ବ୍ରହ୍ମେଶ୍ବର, ଭାସ୍କରେଶ୍ବର, ନାଗେଶ୍ବର, ରାମେଶ୍ବର, ଗୋସାଗରେଶ୍ବର, କୁକ୍କୁଟେଶ୍ବର, କପିଳେଶ୍ବର, ସୂକ୍ଷ୍ମେଶ୍ବର, ମୁକ୍ତେଶ୍ବର, ପର୍ଶୁରାମେଶ୍ବର, ଡାକରା ବିଭୀଷଣେଶ୍ବର, ଖରାଖିଆ ବୈଦ୍ୟନାଥ, ତୀର୍ଥେଶ୍ବର, ଭବାନୀଶଙ୍କର, ଚିନ୍ତାମଣିଶ୍ବର ଓ ଜମେଶ୍ବର ମନ୍ଦିର ପରି ଅନେକ ଶୈବ ‌ପୀଠକୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆଙ୍କ ସୁଅ ଛୁଟିବ। ପୂର୍ବ ରେକର୍ଡ ଅନୁସାରେ, ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ୨୦ ହଜାରରୁ ୫୦ ହଜାର ବୋଲବମ୍ ଭକ୍ତ ଆସିଥାନ୍ତି। ତେଣୁ ଏକ ଭକ୍ତିମୟ ପରିବେଶରେ ପ୍ରତି ସୋମବାର ଆମିଷ ବେପାର ବନ୍ଦ ରହିବ ବୋଲି ଜଣାପଡ଼ିଛି।

ଜମିଲାଣି ବେପାର

ଚଳିତ ବର୍ଷ କରୋନା କଟକଣା ନଥିବାରୁ ପୂଜା ସାମଗ୍ରୀ ବେପାରୀମାନେ ଭଲ ବେପାର ଆଶା ରଖିଛନ୍ତି। ବ୍ୟବସାୟୀ ରଞ୍ଜିତ କୁମାରଙ୍କ କହିବା କଥା ଭଲ ବେପାର ଆଶାରେ ପୂଜା ସାମଗ୍ରୀ ବ୍ୟବସାୟୀମାନେ ବିଭିନ୍ନ ରକମର ବାହୁଙ୍ଗି, ପାଣି କଳସ ଶିକା ଆଦି ମହଜୁଦ ରଖିଛନ୍ତି। ସେହିଭଳି ପୂଜା ସାମଗ୍ରୀ ବିକିବା ବେଳେ ପଲିଥିନ୍‌ ବ୍ୟବହାରକୁ ବନ୍ଦ କରିବାକୁ ମଧ୍ୟ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।

ପୁଲିସ ସୁରକ୍ଷା ଦେବ

ଟ୍ରାଫିକ୍‍ ନିୟନ୍ତ୍ରଣ ସହ ଓ କାଉଡ଼ିଆମାନଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହେବେ। ରବିବାର ରାତିରୁ ପୁଲିସ ମନ୍ଦିର ସିଂହଦ୍ବାର ଓ ଆଖପାଖ ଅଞ୍ଚଳରେ ପଇଁତରା ମାରିବ। ବହୁ ସଂଖ୍ୟାରେ ମହିଳା ଭକ୍ତ ଆସୁଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି। ସେହିଭଳି କାଉଡ଼ିଆମାନଙ୍କୁ ପ୍ଲାଷ୍ଟିକ୍‌ ଡବା ଓ ଜରି ବ୍ୟବହାର ନକରିବାକୁ କୁହାଯାଇଛି। ସେମାନେ ଫିଙ୍ଗିବାକୁ ଥିବା ବିଭିନ୍ନ ସାମଗ୍ରୀକୁ ମନ୍ଦିର ପରିସରରେ ଥିବା ସ୍ବତନ୍ତ୍ର ପାତ୍ରରେ ପକାଇବେ। ଏହାକୁ ସେଚ୍ଛାସେବୀମାନଙ୍କ ସହଯୋଗରେ ବାହାରେ ନିରାପଦ ସ୍ଥାନରେ ଫିଙ୍ଗାଯିବ। ପ୍ରତ୍ୟେକ କାଉଡ଼ିଆଙ୍କ ଠାରୁ ୧୦ଟଙ୍କା ଲେଖାଏଁ ଶ୍ରାବଣୀ ପାଉଣା ଆଦାୟ କରାଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ମିଶ୍ର କହିଛନ୍ତି।

କାଉଡ଼ିଆ ବିଶ୍ରାମ ନେବେ କେଉଁଠି?

ଏବେ ଏକାମ୍ର କ୍ଷେତ୍ରରେ କାଉଡ଼ିଆମାନେ କେଉଁଠି ବିଶ୍ରାମ ନେବେ ବୋଲି ପ୍ରଶ୍ନ ଉଠିଛି। ପୂର୍ବରୁ ବର୍ଷା ହେଲେ କାଉଡ଼ିଆମାନେ ମନ୍ଦିର ନିକଟ ଦୋକାନ ବଜାର, ଭଜନ ମଣ୍ଡପ, ମାର୍କେଟ କୋଠା ତଳେ ରାତିରେ ରହୁଥିଲେ। ହେଲେ ଏବେ ସେପରି ସୁବିଧା ନାହିଁ। ତେଣୁ ବର୍ଷା ହେଲେ ସେମାନେ ବହୁ ସମସ୍ୟାରରେ ପଡ଼ିବେ। ଏଥିପାଇଁ ଛାମୁଣ୍ଡିଆ ବ୍ୟବସ୍ଥା ହେବା ଉଚିତ ବୋଲି ସମାଜସେବୀ ରଶ୍ମୀ ମହାପାତ୍ର ଦାବି କରିଛନ୍ତି। ନହେଲେ ସେମାନେ ବର୍ଷାରେ ଭିଜିବେ ଓ ଥଣ୍ଡା ଜ୍ବରରେ ପୀଡ଼ିତ ହେବେ।

ସମ୍ବନ୍ଧିତ ଖବର