କରୋନା ନିୟନ୍ତ୍ରଣର ପ୍ରଥମ ଲକ୍ଷଣ: ସୁସ୍ଥ ସଂଖ୍ୟା ଆକ୍ରାନ୍ତଙ୍କୁ ଟପିଲା

୫ ଦିନରେ ହେଲ୍‌ପ-ଡେସ୍କରୁ ଗଲାଣି ୧୦ ହଜାରରୁ ଅଧିକ କଲ୍‌, ଆକ୍ରାନ୍ତଙ୍କ ପରିବାରକୁ ସୁବିଧାରେ ମିଳୁଛି ସୂଚନା

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଥିଲେ, ଯେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସୁସ୍ଥଙ୍କ ତୁଳନାରେ କମିବ, ସେତେବେଳେ କରୋନା ନିୟନ୍ତ୍ରଣକୁ ଆସିବ ବୋଲି ଜାଣିବା। ଆଜି କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ ଥିବାରୁ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସିବାର ପ୍ରଥମ ଲକ୍ଷଣ ‌ଦେଖାଦେଇଛି। ତେଣୁ ଆଗକୁ ରାଜଧାନୀରେ କରୋନା ନିୟନ୍ତ୍ରଣକୁ ଆସିବ ବୋଲି କୁହାଯାଇଛି।

ପ୍ରାୟ ଦୁଇ ମାସ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସୁସ୍ଥ ସଂଖ୍ୟା କେବେ ଅତିକ୍ରମ କରୁନଥିଲା। ଏପରିକି ମାସାଧିକ କାଳ ପ୍ରତିଦିନ ପ୍ରାୟ ହଜାରେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୈନିକ ସୁସ୍ଥସଂଖ୍ୟା ଥ‌ରେ ହଜାରେ ଟପିଥିଲା। ଆଜି ତାହା ହୋଇଛି। ଯଦି ଲଗାତାର ପ୍ରାୟ ଏକ ସପ୍ତାହ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ କମ୍‌ ରହିବ, ତେବେ କରୋନା ନିୟନ୍ତ୍ରଣକୁ ଆସିଲା ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି। ଆଜି ରାଜଧାନୀରୁ ୯୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୨୧ଜଣ ସୁସ୍ଥ ହୋଇଛନ୍ତି। ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୩୮ରେ ପହଞ୍ଚିଛି। ମୋଟ୍ ୩୧୮ଜଣଙ୍କର ମୃତ୍ୟୁ ହୋଇଛି।

ଆଜି ନୂଆପଲ୍ଲୀରୁ ସର୍ବାଧିକ ୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖଣ୍ଡଗିରିରୁ ୪୫, ପୁରୁଣା ଭୁବନେଶ୍ବରରୁ ୪୩, ପଟିଆରୁ ୫୬, ମଞ୍ଚେଶ୍ବରରୁ ୧୫, ନୀଳାଦ୍ରିବିହାରରୁ ୨୨, ଡୁମଡୁମାରୁ ୩୫, ଜୟଦେବବିହାରରୁ ୨୧, ଝାରପଡ଼ାରୁ ୨୪, ଲକ୍ଷ୍ମୀସାଗରରୁ ୨୦, ବରମୁଣ୍ଡାରୁ ୨୯, ପାତ୍ରପଡ଼ାରୁ ୧୮, ଚନ୍ଦ୍ରଶେଖରପୁରରୁ ୩୦, ପଳାସୁଣିରୁ ୧୧, ୟୁନିଟ-୬ରୁ ୧୬, ୟୁନିଟ-୮ରୁ ୧୫, ଶୈଳଶ୍ରୀବିହାରରୁ ୩୨, ୟୁନିଟ-୩ରୁ ୧୬, ୟୁନିଟ-୪ରୁ ୧୩, ବଡ଼ଗଡ଼ରୁ ୩୭, ସୁନ୍ଦରପଦାରୁ ୩୨ ଓ ରସୁଲଗଡ଼ରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବର: କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସମ୍ପର୍କରେ ଠିକ୍ ସୂଚନା ମିଳୁ ନଥିବା ନେଇ ଆକ୍ରାନ୍ତଙ୍କ ପରିବାରଲୋକ ବାରମ୍ବାର ଅଭିଯୋଗ କରୁଥିଲେ। ଏହା ପରେ ନୂଆ ବିଏମ୍‌ସି କମିସନର ପ୍ରତି ହସ୍ପିଟାଲରେ ହେଲ୍‌ପଡେସ୍କ ଖୋଲି ଆକ୍ରାନ୍ତଙ୍କ ସୂଚନା ନିୟମିତ ଦେବାକୁ କହିଥିଲେ। ଏହାର ସୁଫଳ ଏବେ ଲୋକଙ୍କୁ ମିଳୁଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ୮ଟି କୋଭିଡ୍‌ ହସ୍ପିଟାଲରେ ଖୋଲିଥିବା ହେଲ୍‌ପ-ଡେସ୍କରୁ ୫ ଦିନରେ ୧୦ ହଜାର ୪୭୧ଟି ଫୋନ୍‌ କଲ୍‌ କରାଯାଇଛି। ଆକ୍ରାନ୍ତଙ୍କ ପରିବାରଲୋକଙ୍କୁ ସବିଶେଷ ସୂଚନା ଦିଆଯାଉଛି। ଏହାବାଦ୍ ଆକ୍ରାନ୍ତଙ୍କ ପରିବାର ଲୋକ ଫୋନ୍‌ କଲେ ବି ସୂଚନା ଦିଆଯାଉଛି। ସକାଳ ୮ଟାରୁ ଅପରାହ୍‌ଣ ୨ଟା ଏବଂ ଅପରାହ୍‌ଣ ୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ହେଲ୍‌ପ-ଡେସ୍କ କାର୍ଯ୍ୟ କରୁଛି। ସମ୍‌, ହାଇଟେକ୍ ଓ କିମ୍‌ସ କୋଭିଡ ହସ୍ପିଟାଲରେ ୪ଜଣ ଲେଖାଏଁ ଏକଜିକ୍ୟୁଟିଭ୍ ଏବଂ ଜଣେ ଡାକ୍ତର ଥିବା ବେଳେ ଆଦିତ୍ୟ ଅଶ୍ବିନୀ, ବ୍ଲୁ ହୁଇଲ୍‌, ସ୍ପର୍ଶ, କିଡ୍‌ସ, ନୀଳାଚଳ ହସ୍ପିଟାଲର ହେଲ୍‌ପ ଡେସ୍କରେ ଦୁଇଜଣ ଲେଖାଏଁ ଏକଜିକ୍ୟୁଟିଭ୍ ଏବଂ ଜଣେ ଲେଖାଏଁ ଡାକ୍ତର ଅଛନ୍ତି। ବିଏମ୍‌ସି ପକ୍ଷରୁ ଡାକ୍ତର ଯୋଗାଇ ଦିଆଯାଇଛି। ସେମାନେ କୋଭିଡ୍‌ ହସ୍ପିଟାଲର ଡାକ୍ତର ଦେଉଥିବା ରିପୋର୍ଟକୁ ତର୍ଜମା କରି କଲ୍‌ସେଣ୍ଟର ଏକଜିକ୍ୟୁଟିଭ୍‌ଙ୍କ ଦ୍ବାରା ଆକ୍ରାନ୍ତଙ୍କ ପରିବାରଲୋକଙ୍କୁ ଜଣାଉଛନ୍ତି। କୋଭିଡ୍‌ ହସ୍ପିଟାଲରେ ଡାକ୍ତର ପରିକ୍ରମା କରିବା ପରେ ଏହି ରିପୋର୍ଟ ପ୍ରଦାନ କରାଯାଉଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର