ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଟଙ୍କା ନେଲା, ପିଟିଲା, ଧୋକା ଦେଇ ଛାଡ଼ିଦେଲା, ଅଭିଯୁକ୍ତ ଖୋର୍ଦ୍ଧାରୁ ଗିରଫ

ଭୁବନେଶ୍ବର: ଦେଖାଚାହାଁରୁ ବନ୍ଧୁତା। ବନ୍ଧୁତାରୁ ପ୍ରେମ। ମୋବାଇଲ ନମ୍ବର ଦିଆନିଆ। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। ତା’ ପରେ ଧୋକା, ପ୍ରତାରଣା। ରାଜଧାନୀ ଭୁବନେଶ୍ବରେ ଏମିତି ଘଟଣା ବଢ଼ି ବଢ଼ି ଚାଲିଛି। ଜଣେ ଯୁବତୀଙ୍କ ସହ ପ୍ରେମ ଓ ଶାରୀରିକ ସମ୍ପର୍କ ପରେ ଯୁବକ ଜଣଙ୍କ ପ୍ରତାରଣା କରିଛନ୍ତି। ଏ ନେଇ ଥାନାରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଯୁବକ ବିକାଶ ଦାସକୁ ଖୋର୍ଦ୍ଧା ବେଗୁନିଆରୁ ଗିରଫ କରିଛି ଖାରବେଳନଗର ଥାନା ପୁଲିସ।

ମିଳିଥିବା ସୂଚନା ଅନୁସାରେ, ବିକାଶ ଏକ ଘରୋଇ କମ୍ପାନୀରେ କାମ କରେ। ସେ ସତ୍ୟନଗର ହାଉସିଂ ବୋର୍ଡ କଲୋନୀରେ ଭଡ଼ାରେ ରୁହେ। ସେ ରହୁଥିବା ଘର ପାଖରେ ପରିବାର ସହ ଜଣେ ଯୁବତୀ ରୁହନ୍ତି। ଯୁବତୀଙ୍କ ପରିବାରର ଜଣେ ସଦସ୍ୟ ଅସୁସ୍ଥତା ଯୋଗୁ ମେଡିକାଲରେ ଚିକିତ୍ସିତ ହେଉଥିଲେ। ପରିବାର ଲୋକ ସେହି ସମୟରେ ମେଡିକାଲରେ ରହୁଥିଲେ। କିନ୍ତୁ ଯୁବତୀ ଘରେ ଏକୁଟିଆ ରହୁଥିଲେ। ବିକାଶ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହା ପ୍ରାୟ ବର୍ଷେ ତଳର ଘଟଣା। ବିବାହର ପ୍ରତିଶ୍ରୁତି ଦେଇ ବିକାଶ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ଏପରିକି ଅର୍ଥ ଆବଶ୍ୟକତା ଥିବା କହି ମଝିରେ ମଝିରେ ଟଙ୍କା ନେଉଥିଲା। ଗତ କିଛି ମାସ ମଧ୍ୟରେ ପ୍ରାୟ ୧ ଲକ୍ଷ ଟଙ୍କା ନେଇଥିବା ଯୁବତୀ ଅଭିଯୋଗ କରିଛନ୍ତି। ସେହିପରି କିଛିଦିନ ତଳେ ଯେତେବେଳେ ଯୁବତୀ ବିବାହ କଥା ଉଠାଇଲେ ବିକାଶ ସିଧାସଳଖ ମନା କରି ଦେଇଥିଲା। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ବିକାଶ ତାଙ୍କୁ ମାଡ଼ ମାରିବା ସହ ବିବାହ କରିପାରିବେ ନାହିଁ ବୋଲି କହି ପଳାଇଥିଲା। ଗତ ଶନିବାର ଯୁବତୀ ଏ ସମ୍ପର୍କରେ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ସହ ଗତକାଲି ବିକାଶକୁ ଗିରଫ କରିଥିଲା। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ଡାକ୍ତରୀମାଇନା ପରେ ବିକାଶକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର