ଆରମ୍ଭ ହେଲା ୫ ଦିନିଆ ନାଟ୍ୟ ଉତ୍ସବ: ‘ଶୂନ୍ୟ ପୁରୁଷ’ କହିଲା ଭୀମ ଭୋଇଙ୍କ ଜୀବନ କାହାଣୀ

ଭୁବନେଶ୍ବର: ଆଜିଠାରୁ ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି ୫ ଦିନିଆ ନାଟକ ଉତ୍ସବ। ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ ଅବସରରେ ଓଡ଼ିଆଙ୍କୁ ଜାଣିବାକୁ ମିଳିବ ଓଡ଼ିଶାର ମହାନ୍‌ ବ୍ୟକ୍ତିତ୍ବଙ୍କ ଆତ୍ମକାହାଣୀ ଓ ସଂଘର୍ଷର ଗାଥା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଆୟୋଜିତ ନାଟ୍ୟ ଉତ୍ସବର ଉଦ୍‌ଘାଟନୀ ଉତ୍ସବର ପ୍ରଥମ ସନ୍ଧ୍ୟାରେ ନାଟ୍ୟକାର ଶଙ୍କରପ୍ରସାଦ ତ୍ରିପାଠୀଙ୍କ ରଚିତ ଓ ମନୋଜ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ସନ୍ଥ କବି ଭୀମ ଭୋଇଙ୍କ ଜୀବନ କାହାଣୀକୁ ନେଇ ମଞ୍ଚସ୍ଥ ହୋଇଥିଲା ନାଟକ ‘ଶୂନ୍ୟ ପୁରୁଷ’।

ଭୀମ ଭୋଇ ଓଡ଼ିଆ ସାହିତ୍ୟରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ଉନବିଂଶ ଶତାବ୍ଦୀରେ ଜଟେଇ ସିଂହା ଗ୍ରାମରେ ଜନ୍ମ ହୋଇ ଖଲିଆ ପାଲିରେ ଆଶ୍ରମ ପ୍ରତିଷ୍ଠା କରିବା ଯାଏ, ତାଙ୍କ ଯାତ୍ରା ଥିଲା କଣ୍ଟକପୂର୍ଣ୍ଣ। ସେ ଏକାଧାରରେ ଜଣେ ସନ୍ଥ, ମହିମା ଧର୍ମର ପ୍ରଚାରକ ଓ ଓଡ଼ିଶାର ବରେଣ୍ୟ କବି ଥିଲେ। ଜନ୍ମରୁ ଅନ୍ଧ ଓ ଗୋଟିଏ କନ୍ଧ ପରିବାରରେ ଲାଳନପାଳନ ହୋଇ ନିଜର ଦିବ୍ୟକାନ୍ତି ବଳରେ ସେ ଅନେକ ଧର୍ମ ଗ୍ରନ୍ଥ ରଚନା କରିଛନ୍ତି ଓ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଛାଡ଼ି ଯାଇଛନ୍ତି ଅଜସ୍ର ଭଜନ ଓ କାବ୍ୟ। ତାଙ୍କର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମୁଖ୍ୟ ଘଟଣା ପ୍ରବାହକୁ ନେଇ ପରିକଳ୍ପନା କରାଯାଇଥିଲା ନାଟକ ‘ଶୂନ୍ୟ ପୁରୁଷ’।

ଆଜିର ସନ୍ଧ୍ୟାରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ବିଏମ୍‌ସି ମେୟର ସୁଲୋଚନା ଦାସ ଯୋଗ ଦେଇଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଉପସଭାପତି ମନ୍ମଥ କୁମାର ଶତପଥୀ ଓ ସଚିବ ପ୍ରବୋଧ ରଥ ଏଥିରେ ଉପସ୍ଥିତ ଥିଲେ। ସଭାପତିତ୍ୱ କରିଥିଲେ ଏକାଡେମିର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି।

ଉତ୍ସବର ଦ୍ବିତୀୟ ଦିନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଆଧାରିତ ନାଟକ ‘ନିଷିଦ୍ଧ ନୀଳାଚଳ’ ମଞ୍ଚସ୍ଥ ହେବ। ସେହିଭଳି ୨୭ ତାରିଖ ସଂଧ୍ୟାରେ ରଣଜିତ୍‌ ପଟ୍ଟନାୟକଙ୍କ ନାଟ୍ୟରଚନା ଓ ଧୀରେନ୍ଦ୍ର ମଲ୍ଲିକଙ୍କ ନିର୍ଦ୍ଦେଶନାରେ ‘ଗଣକବି ବୈଷ୍ଣବ ପାଣି’ ନାଟକ ପରିବେଷିତ ହେବ। ୨୮ ତାରିଖ ଦିନ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ନେଇ ‘କ୍ରାନ୍ତି ପୁରୁଷ’ ଓ ଶେଷ ସଂଧ୍ୟାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଆଧାରିତ ନାଟକ ‘କବି ସମ୍ରାଟ’ ପ୍ରଦର୍ଶିତ ହେବ।

ସମ୍ବନ୍ଧିତ ଖବର