ବିସ୍ଥାପିତ ହେବ ଚନ୍ଦକା ଅଭୟାରଣ୍ୟର ପାଞ୍ଚପଡ଼ା

ମେଣ୍ଢାଶାଳ: ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଭିତରେ ଥିବା ପାଞ୍ଚପଡ଼ାକୁ ବିସ୍ଥାପନ କରାଯିବ। ଦୀର୍ଘ ବର୍ଷ ପୂର୍ବରୁ ଅଧୁରା ରହିଥିବା ଏହି ଯୋଜନା ପୁଣି ଥରେ ନୂଆରୂପରେ ସଫଳ କରିବାକୁ ବନ ବିଭାଗ ଅଣ୍ଟା ଭିଡ଼ିଛି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିସ୍ଥାପିତ ହେବାକୁ ଥିବା ଏହି ଅଧିବାସୀମାନଙ୍କୁ ମନାଇବାକୁ ଏକ ସ୍ବେଚ୍ଛାସେବୀ ସଂଗଠନ ବନ ବିଭାଗକୁ ସହଯୋଗ କରୁଛି। ଖୁବ୍‌ଶୀଘ୍ର ଏହି ଯୋଜନା ସଫଳ ହେବ ବୋଲି ଆଶା କରାଯାଉଛି।

କାହିଁ କେଉଁ କାଳରୁ ଏହି ଜଙ୍ଗଲ ଭିତରେ ଢୋଲକାଠ, ଡାହାଣୀଗାଡ଼ିଆ, ବେହେଣ୍ଟାସାହି, ପିଠାଖିଆ ଓ ନୂଆକୂଅ ଏହି ପାଞ୍ଚଗାଁ ଜଙ୍ଗଲ ଭିତରେ ରହିଛି। କାଠ କାଟି ବିକ୍ରି କରିବା ଓ ପଶୁ ଶିକାର କରିବା ସହିତ ଚାଷ କରିବା ଏହି ଲୋକମାନଙ୍କର ଜୀବିକା ଥିଲା। କାଳକ୍ରମେ କାଠ କାଟିବା ଓ ପଶୁ ଶିକାର ଉପରେ କଟକଣା ଲାଗୁ ହେବା ପରେ ସେମାନଙ୍କ ଜୀବିକା କେବଳ ଚାଷ ହିଁ ରହି ଆସିଛି। ସେହିଭଳି କିଛି ଲୋକ ଜଙ୍ଗଲ ବାହାରକୁ ଆସି ବିଭିନ୍ନ କାମରେ ଶ୍ରମିକ ଭାବେ ରୋଜଗାର କରୁଛନ୍ତି। ସେମାନେ ମେଣ୍ଢାଶାଳ, କଣ୍ଟାବାଡ଼, ଚନ୍ଦକା ଅଞ୍ଚଳ ସହିତ କଟକ ବାଙ୍କୀ ଓ ଡମପଡ଼ା ଅଞ୍ଚଳକୁ ଯାଇ ବିଭିନ୍ନ କାମରେ ଶ୍ରମିକ ଭାବେ ନି‌ୟୋଜିତ ହେଉଛନ୍ତି। ତଥାପି କିଛି ଲୋକ ଚୋରାରେ କାଠ କାଟିବା ଓ ପଶୁ ଶିକାର କରିବା ଭଳି ବେଆଇନ କାମ କରୁଛନ୍ତି। ଜଙ୍ଗଲରେ ନିଆଁ ଲଗାଇ କୋଇଲା ପ୍ରସ୍ତୁତ କରୁଛନ୍ତି ଓ ବିକ୍ରି କରୁଛନ୍ତି। ଫଳରେ ଜଙ୍ଗଲ ହ୍ରାସ ପାଇବା ସହ ବନ୍ୟପ୍ରାଣୀଙ୍କ ପ୍ରତି ବିପଦର କାରଣ ପାଲଟୁଛନ୍ତି। ତେଣୁ ନବେ ଦଶକରେ ସେମାନଙ୍କୁ ଜଙ୍ଗଲ ବାହାରକୁ ବିସ୍ଥାପିତ କରିବା ପାଇଁ ଯୋଜନା କରାଯାଇଥିଲା। ସେମାନଙ୍କୁ ଚନ୍ଦକା ଅଞ୍ଚଳରେ ଜମି ସହ ଘର କରି ଦିଆଯାଇଥିଲା। ତେବେ ନୂଆ କୂଅରୁ କିଛି ଲୋକ ଆସିଥିଲେ ହେଁ ବହୁ ପରିବାର ଜଙ୍ଗଲ ଛାଡ଼ି ନଥିଲେ। ଫଳରେ ଚନ୍ଦକାରେ ନିର୍ମାଣ ହୋଇଥିବା ବହୁ ଘର ଭୂତକୋଠି ପାଲଟି ଯାଇଥିଲା। ଏହା ଭିତ‌ରେ ଦୀର୍ଘ ବର୍ଷ ବିତି ଯାଇଛି। ଏବେ ପୁଣି ବନ ବିଭାଗର ମନେ ପଡ଼ିଛି। ଏଥର ସେମାନଙ୍କୁ ପରିବାର ପିଛା ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି କୁହାଯାଇଛି। ଯେଉଁ ପରିବାରରେ ବାପ ଓ ପୁଅ ଅଲଗା ହୋଇ ରହୁଛନ୍ତି, ସେମାନଙ୍କୁ ଦୁଇଜଣ ହିତାଧିକାରୀ ହିସାବରେ ଗଣାଯିବ ବୋଲି ଚନ୍ଦକା ଡିଏଫ୍‌ଓ କେଦାର କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜଙ୍ଗଲ ଭିତରେ ଥିବାରୁ ଏହି ଲୋକମାନଙ୍କୁ କେବଳ ରାସନ୍‌ କାର୍ଡ ଓ ଭତ୍ତା ବାଦ୍ ଅନ୍ୟ କିଛି ସରକାରୀ ସୁବିଧା ମିଳୁନାହିଁ।

ସମ୍ବନ୍ଧିତ ଖବର