ଫୁଲ ଚାଷୀଙ୍କୁ ପଙ୍ଗପାଳ ଭ୍ରମ, ଝିଣ୍ଟିକା ଖାଇଗଲେ

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ବର ଅଞ୍ଚଳରେ କିଛି ଫୁଲ ଚାଷୀଙ୍କ କ୍ଷେତରେ ଆଜି ସକ‌ାଳୁ ଝିଣ୍ଟିକା ଦେଖିବାକୁ ମଳିଛନ୍ତି। ଝିଣ୍ଟିକାଗୁଡ଼ିକ ଫୁଲଗଛର ପତ୍ରକୁ ଲଣ୍ଡା କରି ଦେଇଛନ୍ତି। ଝିଣ୍ଟିକାକୁ ଦେଖି ଚାଷୀମାନେ ପଙ୍ଗପାଳ ଚାଲି ଆସିଥିବା ଭାବି ଆତଙ୍କିତ ହୋଇପଡ଼ିଥିଲେ। ମାତ୍ର ସ୍ଥାନୀୟ କୃଷିବିତ୍‌ ‌ପଦ୍ମଲୋଚନ ପଣ୍ଡା ଘଟଣାସ୍ଥଳ ବୁଲି ଦେଖିବା ପରେ ଏହି ଝିଣ୍ଟିକା ଗୁଡ଼ିକ ପଙ୍ଗପାଳ ନୁହନ୍ତି ବୋଲି କହିବା ପରେ ଚାଷୀମାନେ ଆଶ୍ବସ୍ତ ହୋଇଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି, ବର୍ଷା ପୂର୍ବରୁ ଜନ୍ମ ନେଉଥିବା ଏଗୁଡ଼ିକ ଏକପ୍ରକାର ଝିଣ୍ଟିକା। ଯେଉଁମାନେ ମଧ୍ୟ ପଙ୍ଗପାଳ ଭଳି ରାତାରାତି ଶହ ଶହ ଗଛର ପତ୍ର ଫୁଲ ଓ କଢ଼କୁ ଖାଇ ଦେଇ ଚାଲିଯାଆନ୍ତି। ମାତ୍ର କ୍ଷେତରେ ପୋକମରା କୀଟନାଶକ ଔଷଧ ପକାଇଲେ ଏହି ‌ଝିଣ୍ଟିକା ଆସନ୍ତି ନାହିଁ ବୋଲି କହିଛନ୍ତି। ଆଜି ସ୍ଥାନୀୟ ଚାଷୀ ବାପି ହାଂସଦା ଓ କୁସରାମ ମାଝିଙ୍କ କ୍ଷେତରୁ ଏପରି ଝିଣ୍ଟିକା ପ୍ରାୟ ଅଧଏକର ଜମିରେ ଗଛ ଫୁଲ ଓ ପତ୍ର ଖାଇଯାଇଥିବା ବେଳେ ସୁନା ବେହେରା ଓ ଅବନି ବେହେରାଙ୍କ ‌୨ଗୁଣ୍ଠ ଜମିରୁ ଗଛ ପତ୍ର ଫୁଲ ଖାଇ ସଫା କରିଦେଇଥିଲେ।

ଚଷୀମାନେ ଗେଣ୍ଡୁ ଫୁଲ ଚାଷ କରି ଭଲ ଆୟ କରୁଥିବା ବେଳେ ଝିଣ୍ଟିକା ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି। ଅନ୍ୟ ପକ୍ଷରେ ଆଉ କିଛି ପରିବା ଚାଷୀ ଭେଣ୍ଡି ଓ କଖାରୁ ଚାଷ କରିଥିବା ବ‌େଳେ ‌ଏହି ଝିଣ୍ଟିକା ପତ୍ର ଓ ଫଳ ଖାଇବା ସହ କଖାରୁ ଫୁଲ ମଧ୍ୟ ଖାଇ ନଷ୍ଟ କରିଦେଇଛନ୍ତି। ମଧ୍ୟାହ୍ନରେ ଚାଷୀମାନେ କ୍ଷେତରେ କୀଟନାଶକ ପକାଇବା ସହ ଝିଣ୍ଟିକାଗୁଡ଼ିକୁ ବାହାର କରିଛନ୍ତି।

ସମ୍ବନ୍ଧିତ ଖବର