୩ ବର୍ଷ ହେଲା ଗୋଟିଏ ବି ମାମଲାର ରାୟ ଦେଇ ନାହାନ୍ତି ଖାଦ୍ୟ କମିସନ୍: ବର୍ଷେ ହେଲା ଶୁଣାଣି ବନ୍ଦ
କେବଳ ସମୀକ୍ଷାରେ ସୀମିତ କମିସନଙ୍କ କାର୍ଯ୍ୟ
ଭୁବନେଶ୍ବର: ୨୦୧୯ ମସିହା ପରଠାରୁ ରାଜ୍ୟ ଖାଦ୍ୟ କମିସନଙ୍କ ପକ୍ଷରୁ ଗୋଟିଏ ବି ମାମଲାର ରାୟ ପ୍ରକାଶିତ ହୋଇନାହିଁ। ଏପରିକି ୨୦୨୧ ମସିହା ପରଠାରୁ କୋରମ୍ ଅଭାବରୁ ମାମଲାର ଶୁଣାଣି ମଧ୍ୟ ବନ୍ଦ ରହିଛି। କରୋନା, ଲକଡାଉନ୍ରେ ଖାଦ୍ୟ ପାଇଁ ଲୋକେ କିଭଳି ଡହଳବିକଳ ହେଉଥିଲେ, ଏ ସମ୍ପର୍କରେ ସମସ୍ତେ ଅବଗତ। ବିଶେଷକରି ପ୍ରବାସୀ ଶ୍ରମିକଙ୍କ ଅବସ୍ଥା କହିଲେ ନସରେ। ଅର୍ଥାତ ଯେଉଁ ସମୟରେ ଲୋକଙ୍କ ଖାଦ୍ୟ ସମସ୍ୟା ବିପନ୍ନ ଥିଲା ଖାଦ୍ୟ କମିସନ ନିଷ୍କ୍ରିୟ ଥିବା ନେଇ ଅଭିଯୋଗ ହୋଇଛି। ଏପରି ବିଡ଼ମ୍ବନାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ର ଉପଯୁକ୍ତ କାର୍ଯ୍ୟକାରିତାର ତଦାରଖ ପାଇଁ ଗଠନ ହୋଇଛି ଖାଦ୍ୟ କମିସନ୍। ଏହା ଏକ ଅର୍ଦ୍ଧନ୍ୟାୟିକ ସଂସ୍ଥା (କ୍ବାସି ଜୁଡିସିଆଲ ବଡି) ଭାବେ ସରକାରଙ୍କ ସାଧାରଣ ବିତରଣ ବ୍ୟବସ୍ଥା, ସମନ୍ବିତ ଶିଶୁ ବିକାଶ ସେବା ଏବଂ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରୁ କୌଣସି ହିତାଧିକାରୀ ବଞ୍ଚିତ ନ ହୁଅନ୍ତୁ, ଏହାର ବିଚାର କରେ। ନିୟମ ଅନୁଯାୟୀ ଏହି ତିନି ଯୋଜନା ନେଇ ହିତାଧିକାରୀଙ୍କ ଅଭିଯୋଗ ଥିଲେ ସେମାନେ ପ୍ରଥମେ ଜିଲ୍ଲାର ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରନ୍ତି। ତାଙ୍କ ନିଷ୍ପତ୍ତି ନେଇ ଅସନ୍ତୁଷ୍ଟ ଥିଲେ ଆପିଲେଟ୍ ଅଥରିଟି ଭାବେ ଖାଦ୍ୟ କମିସନଙ୍କ ପାଖରେ ଅଭିଯୋଗ ଦାଖଲ ହୁଏ। ଆଶ୍ଚର୍ଯ୍ୟଜନକ ଭାବେ ୨୦୧୯ ମସିହାରେ ଶେଷଥର ପାଇଁ ମଧ୍ୟାହ୍ନ ଭୋଜନ ସଂପର୍କିତ ରାୟ ଏହି କମିସନ୍ ପକ୍ଷରୁ ଦିଆଯାଇଥିଲା। ଏପରିକି କରୋନା ସମୟରେ ଲୋକେ ଖାଇବା ପାଇଁ ଏତେ ଡହଳ ବିକଳ ହେଲେ ତାକୁ ନେଇ ମଧ୍ୟ ଖାଦ୍ୟ କମିସନଙ୍କ କୌଣସି ପରାମର୍ଶ କିମ୍ବା ରାୟ ନାହିଁ। ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ଯେଉଁଠି ନ୍ୟାୟାଳୟଗୁଡ଼ିକ ନିଜ ଆଡ଼ୁ ଅନେକ ମାମଲାର ଶୁଣାଣି କରିଥିଲେ ଖାଦ୍ୟ କମିସନଙ୍କ ପକ୍ଷରୁ କୌଣସି କାର୍ଯ୍ୟକ୍ରମ କରା ନଯିବା ଆଶ୍ଚର୍ଯ୍ୟଜନକ ବୋଲି ଅନେକ ସାମାଜିକ କର୍ମକର୍ତ୍ତାମାନେ ମଧ୍ୟ ଅଭିଯୋଗ କରନ୍ତି। ୨୦୨୧ ମସିହା କରୋନା ସମୟରେ ପୋଷଣଯୁକ୍ତ ଖାଦ୍ୟ ଅଭାବରୁ ମହିଳା, ଶିଶୁଙ୍କ ମଧ୍ୟରେ ରକ୍ତହୀନତା ବୃଦ୍ଧି ପାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ୁଛି।
ରାଜ୍ୟରେ ରାସନ୍ କାର୍ଡ, ମଧ୍ୟାହ୍ନ ଭୋଜନ, ଶିଶୁ ଭୋଜନ ନେଇ ଗଦା ଗଦା ଅଭିଯୋଗ ରହିଛି। କିନ୍ତୁ ଖାଦ୍ୟ କମିସନଙ୍କ ପାଖରେ ଯଦି ବିଚାର ପାଇଁ କୌଣସି ମାମଲା ଆସୁ ନାହିଁ ତେବେ ସମ୍ଭବତଃ ଏହାର କାର୍ଯ୍ୟଧାରା ଲୋକଙ୍କ ପାଖରେ ପହଞ୍ଚି ପାରୁନି ବୋଲି ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ମତ ଦିଅନ୍ତି।
ଖାଦ୍ୟ କମିସନ୍ର କାର୍ଯ୍ୟ ନେଇ ଆବଶ୍ୟକ ପ୍ରଚାରପ୍ରସାରର ଅଭାବ ରହିଥିବା ଅଭିଯୋଗ ହୁଏ। ଏପରିକି ଖାଦ୍ୟ କମିସନ୍ ଓ୍ବେବସାଇଟରେ ୨୦୧୯ ମସିହା ପର୍ଯ୍ୟନ୍ତ ଏହାର କାର୍ଯ୍ୟାବଳୀ ରିପୋର୍ଟ ଉପଲବ୍ଧ ରହିଛି। ଦ୍ବିତୀୟତଃ ଏହି କମିସନରେ ୨୦୨୧ ମସିହା ପର ଠାରୁ ବର୍ତ୍ତମାନ ଜଣେ ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ ଅଧ୍ୟକ୍ଷଙ୍କ ସହିତ କେବଳ ଜଣେ ସଦସ୍ୟ ରହିଛନ୍ତି। ଆଉ ୩ ଜଣଙ୍କ ନିଯୁକ୍ତି ହିଁ ହୋଇ ନାହିଁ। ପୂର୍ବରୁ ଏଠାରେ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ ଜଣେ ସଦସ୍ୟା ଥିଲେ। ତୋଷାଳି ଭବନରେ ରାଜ୍ୟ ଖାଦ୍ୟ କମିସନ କାର୍ଯ୍ୟ କରୁଛି। ଏହା ସଦସ୍ୟ ସଚିବ ଭାବରେ ଜଣେ ବରିଷ୍ଠ ଓଏଏସ ଅଧିକାରୀ ରହିଛନ୍ତି। ଏଥିସହିତ କିଛି ସ୍ବତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏତେ ବ୍ୟବସ୍ଥା ଥାଇ ମଧ୍ୟ କମିସନ ଯଦି ତାର ମୂଳ ବିଚାର ବିଭାଗୀୟ କାର୍ଯ୍ୟ ନକରିବ ତେବେ ଏହା କେଉଁ କାମକୁ ବୋଲି ପ୍ରଶ୍ନ ଉଠୁଛି। ଅନ୍ୟ ପକ୍ଷରେ ଖାଦ୍ୟ କମିସନ ଅଧ୍ୟକ୍ଷ ନିୟମିତ ଭାବରେ ଜିଲ୍ଲା ଗସ୍ତ କରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସମୀକ୍ଷା କରୁଛନ୍ତି। ଏପରିକି ସେ କିଚେନ ଗାର୍ଡେନ, ମିଲେଟ ମିସନ ଉପଯୁକ୍ତ ଭାବରେ ଲାଗୁ ହେଉଥିବା ନେଇ ତଦାରଖ କରୁଥିବା ବିଭାଗ ସୂତ୍ରରୁ ପ୍ରକାଶ।