ପଳାସୁଣି ଓ ହୋଟେଲ କ୍ରାଉନ୍‌ ସମ୍ମୁଖରେ ହେବ ଫୁଟ୍‌ ଓଭରବ୍ରିଜ୍

ଖର୍ଚ୍ଚ ହେବ ଅଢ଼େଇ କୋଟି
ଡିଜାଇନ୍ ଓ ଖର୍ଚ୍ଚ ଅଟକଳ ପଠାଇଲା ଏନ୍‌ଏଚ୍‌ଏଆଇ
ପ୍ରଧାନମନ୍ତ୍ରୀ ଓ ସଡ଼କ ପରିବହନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ

ଭୁବନେଶ୍ବର : ଏନ୍‌ଏଚ୍‌-୧୬ର ଅନ୍ୟତମ ବ୍ଲାକ୍‌ସ୍ପଟ୍ ତଥା ଦୁର୍ଘଟଣାପ୍ରବଣ ପଳାସୁଣି ଛକରେ ଲୋକମାନେ ଯେପରି ରାସ୍ତା ଅତିକ୍ରମ କରିବାରେ ଅସୁବିଧାର ସମ୍ମୁଖୀନ ହେବେନି, ତାହାକୁ ନଜରରେ ରଖି ଏଠାରେ ଏକ ଫୁଟ୍‌ ଓଭରବ୍ରିଜ୍ ନିର୍ମାଣ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏଠାରେ ୧.୨୫କୋଟି ଟଙ୍କା ବ୍ୟୟରେ ଫୁଟ୍‌ ଓଭରବ୍ରିଜ୍ ନିର୍ମାଣ ହେବ। ଏନେଇ ଏନ୍‌ଏଚ୍‌ଏଆଇର ମ୍ୟାନେଜର (ବୈଷୟିକ) ଡି.କେ ପାତ୍ର ଓଡ଼ିଶାର ଆଞ୍ଚଳିକ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।

ସେହିପରି ନୂଆପଲ୍ଲୀସ୍ଥିତ କ୍ରାଉନ୍ ହୋଟେଲ ସମ୍ମୁଖରେ ଲୋକଙ୍କ ଯାତାୟାତରେ ଅସୁବିଧା ହେଉଥିବାରୁ ଏଠାରେ ବି ଏକ ଫୁଟ୍‌ ଓଭରବ୍ରିଜ୍ ନିର୍ମାଣ ହେବ। ଏଥିପାଇଁ ଏନ୍‌ଏଚ୍‌ଏଆଇ ୧.୨୫କୋଟି ଟଙ୍କା ଅନୁମୋଦନ କରିଛି। ଜାତୀୟ ରାଜପଥରେ ବଢ଼ୁଥିବା ଦୁର୍ଘଟଣାକୁ ନଜରରେ ରଖି ଏହି ଦୁଇଟି ଫୁଟ୍‌ଓଭରବ୍ରିଜ୍ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଓଡ଼ିଶା ମୁଖ୍ୟ ଆର୍‌.ପି ପଣ୍ଡା କହିଛନ୍ତି ଯେ, ଏହି ଦୁଇଟି ଫୁଟ୍‌ ଓଭରବ୍ରିଜ୍‌ ୬୦ମିଟର ଲମ୍ବର ହେବ। ଏହାର ଓସାର ପ୍ରାୟ ୧୦ଫୁଟ ଲେଖାଏଁ ରହିବ। ଦୁଇଟି ଫୁଟ୍‌ ଓଭରବ୍ରିଜ୍ ପାଇଁ ଅଢ଼େଇ କୋଟି ଟଙ୍କା ଅନୁମୋଦନ ହୋଇଛି। ଲୁହା ଦର ବଢ଼ିଯାଇଥିବାରୁ ଏହାଠାରୁ ଅଧିକ ଖର୍ଚ୍ଚ ହେବ। ତେଣୁ ଏହାର ଡିଜାଇନ୍ ଓ ଖର୍ଚ୍ଚ ଆକଳନ କରି ମୁଖ୍ୟାଳୟକୁ ପଠାଯାଇଛି। ପୂର୍ବରୁ ସତ୍‌ସଙ୍ଗ ବିହାର ସମ୍ମୁଖରେ ଫୁଟ୍‌ ଓଭରବ୍ରିଜ୍ ପାଇଁ ଅନୁମତି ମିଳିଥିଲା। ତେଣୁ ଏହି ତିନିଟି ଫୁଟ୍‌ ଓଭରବ୍ରିଜ୍ ଗୋଟିଏ ଡିଜାଇନ୍‌ର ହେବ। ଏହି ଫୁଟ୍‌ ଓଭରବ୍ରିଜ୍‌ ଏସ୍‌ଜେଇପିଏଲ୍‌ ସଂସ୍ଥା କି ଆଉ କେଉଁ ସଂସ୍ଥା କରିବ ତାହା ସ୍ଥିର ହୋଇନି। ଯେପରି ଭାରୀ ଯାନ ଯାତାୟାତରେ କୌଣସି ସମସ୍ୟା ହେବନି ‌ତାହାକୁ ନଜରରେ ରଖି ଏହାକୁ ନିର୍ମାଣ କରାଯିବ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ନିର୍ମାଣ କରାଯାଉଥିବାରୁ ଯଥାସମ୍ଭବ ଶୀଘ୍ର ଏହାର ନିର୍ମାଣ କରାଯିବ। ନିର୍ମାଣ ଆରମ୍ଭ ହେଲେ ୪ରୁ ୬ମାସ ମଧ୍ୟରେ ଏହା ଶେଷ ହେବ।

ଏହି ଦୁଇଟି ସ୍ଥାନରେ ଫୁଟ୍‌ ଓଭରବ୍ରିଜ୍ ହେବ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବାରୁ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଭାଗୀୟ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନୂଆପଲ୍ଲୀ ନିକଟରେ ଏକ ଫୁଟ୍‌ ଓଭରବ୍ରିଜ୍ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦୀର୍ଘ ଦିନ ହେଲା ଦାବି କରୁଥିବାବେଳେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗତ ଜାନୁଆରି ୧୪ରେ ଏନେଇ ଏନ୍‌ଏଚ୍ଏଆଇର ଆଞ୍ଚଳିକ ମୁଖ୍ୟଙ୍କୁ ଚିଠି ଲେଖିଥିଲେ। ଅପରପକ୍ଷେ ପଳାସୁଣି ଛକରେ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ନେଇ ‘ସମ୍ବାଦ’ ପକ୍ଷରୁ ବାରମ୍ବାର ଖବର ପ୍ରକାଶ ପାଇଥିଲା। ଏହି ଛକରେ ନିୟମିତ ଦୁର୍ଘଟଣା ହେଉଥିବାରୁ ଏଠାରେ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ନେଇ ସ୍ଥାନୀୟ ଲୋକ ଦୀର୍ଘ ଦିନ ହେଲା ଦାବି କରୁଥିଲେ।

ସମ୍ବନ୍ଧିତ ଖବର