ଭୁବନେଶ୍ବର: ଦୀର୍ଘ ୧୭ବର୍ଷ ପରେ ଏକ ଲାଞ୍ଚ କାରବାର ମାମଲାର ଅଭିଯୁକ୍ତ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ‌କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସେ ହେଲେ, ଭୁବନେଶ୍ବର ବ୍ଲକ ଅଫିସ୍‌ର ପୂର୍ବତନ ସହକାରୀ ଯନ୍ତ୍ରୀ ସଂଗ୍ରାମ କେଶରୀ ପରିଡ଼ା। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସତ୍ୟନାରାୟଣ ଷଡ଼ଙ୍ଗୀ ମାମଲାର ଶୁଣାଣି କରି ଶ୍ରୀ ପରିଡ଼ାଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି।
ସୂଚନା ମୁତାବକ, ଗତ ୨୦୦୩ ମସିହାରେ ସଂଗ୍ରାମ ଭୁବନେଶ୍ବର ବ୍ଲକରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ସମୟରେ ଏକ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ଜୟନ୍ତ ସ୍ବାଇଁ ନାମକ ଜଣେ ଠିକାଦାରଙ୍କୁ କାମ ମିଳିଥିଲା।

Advertisment

କାମ ସରିବା ପରେ ଜୟନ୍ତଙ୍କ ପାଇଁ ସହଯୋଗୀ ସନାତନ ସ୍ବାଇଁ ବିଲ୍‌ ପାଇଁ ଆସିଥିଲେ। ଯେହେତୁ ଜୟନ୍ତଙ୍କୁ କାମ ମଳିଥିଲା, ତେଣୁ ସେ ନ ଆସିବାରୁ ସହକାରୀ ଯନ୍ତ୍ରୀ ବିଲ୍‌ କରିନଥିଲେ। ଜୟନ୍ତ ‌ଆସିଲେ ବିଲ୍‌ କରିବେ ବୋଲି କହିଥିଲେ। ରାଗରେ ସନାତନ ସଂଗ୍ରାମଙ୍କୁ ଭିଜିଲାନ୍ସ ଜାଲରେ ପକାଇବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ସଂଗ୍ରାମଙ୍କ ଜଣେ ସହକର୍ମୀ ୫ ହଜାର ଟଙ୍କା ନେଇ ସଂଗ୍ରାମ ଡ୍ରୟର୍‌ରେ ରଖି ଦେଇଥିଲେ। ଭିଜିଲାନ୍ସ ଚଢ଼ଉ ସମୟରେ ଭିଜିଲାନ୍ସ ତାଙ୍କ ଅଫିସ୍‌ ଡ୍ରୟରରୁ ୫ହଜାର ଟଙ୍କା ଜବତ କରି ତାଙ୍କୁ ଗିରଫ କରିଥିଲା। ମାମଲା କୋର୍ଟରେ ବିଚାରଧୀନ ଚାଲିଥିଲେ ବି ସଂଗ୍ରାମ ଲାଞ୍ଚ ପାଇଁ ଟଙ୍କା ମାଗିବା ଏବଂ ୫ହଜାର ଟଙ୍କା ନେଇଥିବା ନେଇ ସରକାରୀ ଓକିଲ କୌଣସି ତଥ୍ୟ ପ୍ରମାଣ ଦେଇପାରି ନଥିଲେ। ଦୀର୍ଘ ୧୭ ବର୍ଷ ପରେ ମାମଲା ମାମଲାର ଶୁଣାଣି କରି ବିଚାରପତି ସଂଗ୍ରାମଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ସଂଗ୍ରାମଙ୍କ ପକ୍ଷରୁ ହାଇକୋର୍ଟ ବରିଷ୍ଠ ଆଇନଜୀବୀ ସୁଶାନ୍ତ ଦାଶ ମାମଲାର ପରିଚାଳନା କରୁଥିଲେ।