ଚନ୍ଦ୍ରଶେଖରପୁର: ଫେବ୍ରୁଆରି ୨୬, ୨୦୨୪। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ପାଇଁ ଥିଲା ଐତିହାସିକ ଦିନ। ଅଞ୍ଚଳବାସୀଙ୍କ ଦେଢ଼ ଦଶନ୍ଧିର ଦାବି ପୂରଣ ନେଇ ଆଶା ସଞ୍ଚାର ହୋଇଥିଲା। ଭର୍ଚୁଆଲ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟିଆ ଓ କଳାରାହାଙ୍ଗ ରେଳ ‌ଓଭରବ୍ରିଜ୍‌(ଆରଓବି)ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଠାରେ ଉପସ୍ଥିତି ଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ ଦିନେ ଦୁଇଦିନ ମଧ୍ୟରେ ଆରଓବି କାମ ଆରମ୍ଭ ହୋଇଯିବ। ଇତିମଧ୍ୟରେ ୧୦ ମାସ ବିତିଗଲାଣି। ଓଡ଼ିଶାରେ ବିଜେଡି ସରକାର ଯାଇ କ୍ଷମତାକୁ ବିଜେପି ଫେରିଥିଲା। ମାତ୍ର ଦୁଇଟି ଯାକ ଆରଓବି ପାଇଁ ଏପର୍ଯ୍ୟନ୍ତ ଇଟା ଖଣ୍ଡେ ପଡ଼ିପାରିଲା ନାହିଁ।

Advertisment

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୨୦୨୪ ସାଧାରଣ ନିର୍ବାଚନରେ ଏତେ ବଡ଼ ଓଲଟପାଲଟ ହୋଇଯାଇଥିଲେ ମଧ୍ୟ ଉଭୟ ସାଂସଦ ଓ ବିଧାୟକ ନିଜ ନିଜର ସ୍ଥିତି ବଜାୟ ରଖିଛନ୍ତି। ଭିତ୍ତିପ୍ରସ୍ତର ଦିନ ବାହା ବା ନେବାକୁ ଉଭୟ ସାଂସଦ ଓ ବିଧାୟକ ଲାଗିପଡ଼ିଥିଲେ। ନିଜ ନିଜ ଉଦ୍ୟମରେ ଆରଓବି ଭିତ୍ତିପ୍ରସ୍ତର ସମ୍ଭବପର ହେଲା ବୋଲି ମତପ୍ରକାଶ କରିଥିଲେ। ତେବେ ଏବେ ଉଭୟଙ୍କ ନିରବତାକୁ ଲୋକେ ଗ୍ରହଣ କରିପାରୁ ନାହାନ୍ତି। ‌ଆଉ ଦୁଇ ମାସ ପରେ ଏହି ଦୁଇଟି ଆରଓବିର ଭିତ୍ତିପ୍ରସ୍ତରକୁ ଗୋଟିଏ ବର୍ଷ ବିତିବାକୁ ଯାଉଛି। ହେଲେ ଏପର୍ଯ୍ୟନ୍ତ କାମର ନାଁ ଗନ୍ଧ ନାହିଁ। ଏବେ ବି ବିପଦସ‌ଙ୍କୁଳ ଅବସ୍ଥାରେ ହଜାର ହଜାର ଲୋକେ ଯିବା ଆସିବା କରୁଛନ୍ତି। ଘଣ୍ଟା ଘଣ୍ଟା ଧରି ରେଳ ଫାଟକରେ ଅପେକ୍ଷା କରି ରହୁଛନ୍ତି। ଏହାଦ୍ବାରା କେବଳ ଯେ ସମୟ ବରବାଦ ହେଉଛି ତାହା ନୁହେଁ, ବରଂ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ରାଜ୍ୟ ଓ କେନ୍ଦ୍ରରେ ଭିନ୍ନ ଭିନ୍ନ ଦଳ ଶାସନ କ୍ଷମତାରେ ରହିଥିବାରୁ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିପାରୁ ନଥିଲା। ପରସ୍ପରକୁ ଦୋଷାରୋପ କରୁଥିଲେ। ମାତ୍ର ୫ ମାସ ହେଲା ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ଦଳ ଶାସନ କ୍ଷମତାରେ ରହିଥିବାରୁ କାମରେ କାହିଁକି ବିଳମ୍ବ ହେଉଛି ସେନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। 

ପଟିଆ ଓ କଳାରାହାଙ୍ଗ ଆର୍‌ଓବି 
ବାଜିରେ ଲାଗୁଛି ୪୦ ହଜାର ଜୀବନ
କାମ ହେଉନଥିବାରୁ ବଢ଼ୁଛି ଅସନ୍ତୋଷ

ପଟିଆ ଆରଓବି ନିର୍ମାଣ ପାଇଁ ୬୮ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି। ଯେତେବେଳେ କି କଳାରାହାଙ୍ଗଠାରେ ନିର୍ମାଣ ହେବାକୁ ଥିବା ଆରଓବି ପାଇଁ ୭୦ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଭୌଗୋଳିକ ଅବସ୍ଥିତି ଦୃଷ୍ଟିକୋଣରୁ କଳାରାହାଙ୍ଗ ଲେଭଲ କ୍ରସିଂ(ନଂ-୧୮୪) ପଟିଆ ରେଳଷ୍ଟେସନର ଉତ୍ତରରେ ଅବସ୍ଥିତ। ଯାହାକି ଏ ଅଞ୍ଚଳର ସର୍ବାଧିକ ଚଳଚଞ୍ଚଳ ଗମନାଗମନର ମାଧ୍ୟମ। ଏହା ପଟିଆ ଅଞ୍ଚଳର ୮ଟି ଗ୍ରାମ ପଞ୍ଚାୟତକୁ ମୁଖ୍ୟ ରାସ୍ତା ଭାବେ ସଂଯୁକ୍ତ ହୋଇଛି। ଗ୍ରାମବାସୀଙ୍କ ପାଇଁ ଉପଲବ୍ଧ ସମସ୍ତ ମୌଳିକ ଆବଶ୍ୟକତା ଯେମିତି କି ବିଦ୍ୟାଳୟ, କଲେଜ, ହସ୍ପିଟାଲ୍, ବ୍ୟାଙ୍କ୍, ଅଫିସ୍ ଆଦିରେ ପହଞ୍ଚିବା ପାଇଁ ସେମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ। ଏହି ରାସ୍ତାଟି ପଟିଆ ଅଞ୍ଚଳକୁ ଭୁବନେଶ୍ବର-କଟକକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୧୬ ସହ ମଧ୍ୟ ସଂଯୁକ୍ତ କରୁଛି। ପ୍ରତିଦିନ ଏହି ରେଳ ଲାଇନ୍‌ ଦେଇ ବହୁ ଟ୍ରେନ୍ ଯାତାୟାତ କରୁଥିବାରୁ ଏହି ଲେଭଲ କ୍ରସିଂ ପ୍ରାୟ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହୁଛି। ଯାହା ଦ୍ବାରା ଅଞ୍ଚଳର ପ୍ରାୟ ୪୦ ହଜାର ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହେଉଛି। ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ ହେବା ସହ ଆମ୍ବୁଲାନ୍ସ ସେବା ମଧ୍ୟ ବିଳମ୍ବିତ ହେଉଛି। ସେପଟେ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ଏହି ଦୁଇ ଆରଓବି ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉଛି। ଡିସେମ୍ବର ମାସରେ ଟେଣ୍ଡର ପ୍ରକ୍ରିୟା କରାଯାଇ ୨୦୨୫ ପ୍ରଥମାର୍ଦ୍ଧରେ କାମ ଆରମ୍ଭ ହେବ।