୫ ନମ୍ବର ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର

ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଏମ୍‌ସିର ୫ ନମ୍ବର ୱାର୍ଡରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବହୁ ଦିନ ଧରି ଆ‌ଶୁତୋଷ ନଗର ଓ ଅନ୍ନପୂର୍ଣ୍ଣା ନଗରରେ ଲାଗି ରହିଥିବା ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ଡ୍ରେନ୍‌ ନିର୍ମାଣ କରାଯିବ। ପ୍ରାୟ ୨୪ଲକ୍ଷ ଟଙ୍କା ବ୍ୟୟରେ ଅନ୍ନପୂର୍ଣ୍ଣା କଲୋନିରେ ଡ୍ରେନ୍‌ ନିର୍ମାଣ ହେବାକୁ ଥିବା ୩୦ ଲକ୍ଷ ଟଙ୍କା ବ୍ୟୟରେ ଆଶୁତୋଷ ନଗରରେ ଡ୍ରେନ୍‌ ହେବ।

ଏହାବ୍ୟତୀତ ୩୯ଲକ୍ଷ ଟଙ୍କା ବ୍ୟୟରେ ଲକ୍ଷ୍ମୀଧର ଶତପଥୀ ଲେନ୍‌ ରାସ୍ତା, ୨୭ଲକ୍ଷ ଟଙ୍କା ବ୍ୟୟରେ ସମେଇଗାଡ଼ିଆ ଶବର ସାହି ରାସ୍ତା, ୧୨ ଲକ୍ଷ ଟଙ୍କା ବ୍ୟୟରେ ଶ୍ରୀରାମ ନଗର ସାଇମନ୍ଦିର ରାସ୍ତା, ୧୦ଲକ୍ଷ ଟଙ୍କା ବିନିମୟରେ ଚକେଇସିହାଣି ପାଣିଟାଙ୍କିରୁ ମଶାଣି ରାସ୍ତା ଓ ୭ଲକ୍ଷ ଟଙ୍କା ବ୍ୟୟରେ ଚକେଇସିହାଣି ମଶାଣିର ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ ହୋଇଛି। ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ଏହି ସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି କହିଲେ, ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଦିଗରେ ପଦକ୍ଷେପ ନିଆଯାଉଛି। ସାଧାରଣ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସବୁ ଯୋଜନା ପ୍ରସ୍ତୁତ କରୁଛନ୍ତି, ତାହା କିଭଳି ତୃଣମୂଳସ୍ତର‌ରେ ପହଞ୍ଚିପାରିବ, ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ପାଖାପାଖି ଦେଢ଼ କୋଟି ଟଙ୍କା ବିନିଯୋଗରେ ଏହି ସବୁ କାର୍ଯ୍ୟ ହେବ। କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର୍‌ ନିର୍ମଳ ରାଉତ, ଯୁବନେତା କିଶୋର ଚନ୍ଦ୍ର ମଙ୍ଗରାଜ, ମାନସ ରଞ୍ଜନ ପତି, ବରିଷ୍ଠ ନାଗରିକ ଚୈତନ୍ୟ ଦାସ, ଦିଲ୍ଲୀପ ସ୍ବାଇଁ, ପୀତବାସ ରାଉତ, ଛାତ୍ରନେତା ଅରୋଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର