ଭୁବନେଶ୍ବର: ବିକାଶକୁ କେମିତି ଦଳି ମକଚି ଦିଆଯାଏ ତା’ର ଉଦାହରଣ ହେଉଛି କପିଳେଶ୍ବର ମନ୍ଦିର। ଭଲ ରାସ୍ତାଟିଏ ନାହିଁ ବୋଲି ଏଠାକୁ ପର୍ଯ୍ୟଟକ ଆସୁନାହାନ୍ତି। ଏ କଥା କାହାକୁ ଅଛପା ନାହିଁ। କିନ୍ତୁ ସମାଧାନ ପାଇଁ ରାଜନୈତିକ ତଥା ବିଭାଗୀୟ ଅଧିକାରୀଙ୍କ କେମିତି ଆନ୍ତରିକତା ତାହା ୧୦ ବର୍ଷ ତଳର ଭଙ୍ଗା ଶିଳାନ୍ୟାସ ଫଳକ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି। ୧୦ ବର୍ଷ ତଳେ ଶିଳାନ୍ୟାସ ହୋଇଥିଲେ ମଧ୍ୟ ରାସ୍ତାରେ ବାଲିମୁଠାଏ ପଡ଼ିନାହିଁ। କପିଳେଶ୍ବର ମନ୍ଦିର ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶୈବପୀଠ। ହେଲେ ଏହାର ବିକାଶ ସେଭଳି ହୋଇନାହିଁ। ପର୍ଯ୍ୟଟକ ଆସୁନଥିବାରୁ ସେବାୟତଙ୍କ ରୋଜଗାର ନାହିଁ। ଅନେକ ସେବାୟତ ସେବା ଛାଡ଼ି ଅନ୍ୟ ବେଉସା କରି ଗୁଜୁରାଣ ମେଣ୍ଟାଉଛନ୍ତି। ରାଜ୍ୟ ସରକାରଙ୍କ ଅବହେଳାର ଶିକାର ହୋଇ ଗୁମୁରି କାନ୍ଦୁ ଥିବା ଏହି ମନ୍ଦିରକୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ସ୍ମାରକୀ ଘୋଷଣା କରିଛନ୍ତି। ଭାରତୀୟ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଏବେ ଏହାର ଦାୟିତ୍ବରେ। ସାମାନ୍ୟ ଆଶ୍ବସ୍ତିର କଥା ଯେ, ସପ୍ତାହ ତଳେ ଏ ମନ୍ଦିରର ମରାମତି ପାଇଁ ୪୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଆଗକୁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହେବାର ଯୋଜନା ରହିଥିବା ଶୁଣା ଯାଉଛି। ହେଲେ ମୂଳ ସମସ୍ୟାର କେବେ ହେବ ସମାଧାନ? କେନ୍ଦ୍ର ସରକାର ମନ୍ଦିର ଚକାଚକ୍ କରି ଦେଲେ ମଧ୍ୟ ଭଲ ରାସ୍ତା ନଥିଲେ କିଏ କାହିଁକି ଗଳି ଭିତରେ ଗାଡ଼ି ପୁରାଇ ଏ ମନ୍ଦିରକୁ ଆସିବ?
ଚଉଡ଼ା ରାସ୍ତା ନଥିବାରୁ ଆସୁନାହାନ୍ତି ପର୍ଯ୍ୟଟକ
କପିଳେଶ୍ବର ବିକାଶରେ ଗମନାଗମନ ବାଧକ
କପିଳେଶ୍ବର ଗ୍ରାମବାସୀ, ସେବାୟତ, ବୁଦ୍ଧିଜୀବୀଙ୍କ ବାରମ୍ବାର ଦାବି ପରେ ୮ ଜୁନ୍ ୨୦୨୪ ମସିହାରେ ଜାତୀୟ ରାଜପଥରୁ କପିଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ନୂତନ ରାସ୍ତାର ଶୁଭ ଦିଆଗଲା। ତତ୍କାଳୀନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ସାଂସଦ, ମେୟର, ସ୍ଥାନୀୟ କର୍ପୋରେଟଙ୍କ ଉପସ୍ଥିତିରେ ଶୁଭ ଦେଲେ। ହେଲେ ରାଜନୈତିକ ଅକ୍ରୋଶ ପାଇଁ ଏ ରାସ୍ତା ନିର୍ମାଣ ହେଲା ନାହିଁ ବୋଲି ଅଭିଯୋଗ ଉଠିଲା। ଗ୍ରାମବାସୀ ଅଧିକାରୀଙ୍କ ତହସିଲଠାରୁ ଆରମ୍ଭ କରି ପୂର୍ତ୍ତ ଅଧିକାରୀଙ୍କ ପାଖରେ ଯେତେ ମୁଣ୍ଡ ପିଟିଲେ ବି ଫାଇଲ୍ ଇଞ୍ଚେବି ଘୁଞ୍ଚିଲା ନାହିଁ। ଠିକ୍ ନିର୍ବାଚନ ପୂର୍ବରୁ ସରକାରଙ୍କ କପିଳେଶ୍ବର ମନ୍ଦିର କଥା ମନେ ପଡ଼ିଲା। ଗତ ସରକାରର ସର୍ବେସର୍ବା କୁହାଯାଉଥିବା ବାବୁ ମନ୍ଦିର ବୁଲି ଫଟୋ ଉଠାଇଲେ। ମନ୍ଦିର ଶହେ ବର୍ଷ ପର୍ଯ୍ୟନ୍ତ ସୁରୁଖୁରୁରେ ଚାଲିବା ପାଇଁ ବ୍ୟବସ୍ଥା କରିବାକୁ କହିଲେ। ଏମିତିକି ୫୦ କୋଟି ଟଙ୍କାରେ ରାସ୍ତା ତୁରନ୍ତ କରାଯିବ ବୋଲି ଘୋଷଣା କଲେ। ହେଲେ ଫଳ ଶୂନ।
ସୁଚନାନୁସାରେ ଜାତୀୟ ରାଜପଥ ୨୦୩ରୁ ଗଙ୍ଗୁଆ ନାଳ ଉପରେ କପିଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ରାସ୍ତା ପାଇଁ ଯୋଜନା ରହିଛି। ଏହି ନୂଆ ରାସ୍ତା ଆସିବା ପାଇଁ ଅଧିକାଂଶ ଘରୋଇ ଜମି କିଣିବାକୁ ପଡ଼ିବ। ଏଥିରେ ସୁନ୍ଦରପଦା ମୌଜାର ୨୪, କପିଳେଶ୍ବର ମୌଜାର ୧୭ ଓ ନୂଆଗାଁ ମୌଜାର ସର୍ବାଧିକ ୫୩ଟି ପ୍ଲଟ୍ ରହିଛି। ମୋଟ ୯୪ ପ୍ଲଟ୍ରୁ ସୁନ୍ଦରପଦା ମୌଜାର ମାତ୍ର ୩ଟି ପ୍ଲଟ୍ର ମାଲିକଙ୍କୁ ଟଙ୍କା ଦିଆଯାଇଛି। ବାକି ୯୧ ପ୍ଲଟ୍ ଏବେ ବି ଝୁଲି ରହିଛି। ପୂର୍ତ୍ତ ବିଭାଗ କହିବା କଥା ଏଥିପାଇଁ ୫୩ କୋଟି ଟଙ୍କା ରହିଛି। କେବଳ ଜମି କିଣା ପାଇଁ ୩୦ କୋଟି ଦିଆଯିବ। ହେଲେ ରାଜସ୍ବ ବିଭାଗ ଜମିର ମାଲିକ କିଏ ତାର ଠିକ୍ ତାଲିକା ଦେଲେ ଜମି କିଣାଯାଇ କାମ କରାଯିବ। ୮୦ % ଜମି ହାତକୁ ନଆସିବା ଯାଏ ଟେଣ୍ଡର ହେବନାହିଁ। ନୂଆ ରାସ୍ତା ହେଲେ ୭ ମିଟର ପିଚୁ, ଦୁଇ କଡ଼ରେ ୪ ମିଟର ମୋରମ ବିଛା ଯିବା ସହ ଗଙ୍ଗୁଆ ଉପରେ ବ୍ରିଜ୍ ନିର୍ମାଣ କରାଯିବ। ଅନ୍ୟପଟେ ସରକାର ବଦଳିବା ପରେ ସ୍ଥାନୀୟ ବିଧାୟକ ଏହି ରାସ୍ତା କାମକୁ ତ୍ବରାନ୍ବିତ କରିବାକୁ ପ୍ରୟାସ କରିଛନ୍ତି। ସପ୍ତାହ ତଳେ ଉପଜିଲ୍ଲାପାଳ ବୈଠକ ଡାକି ତୁରନ୍ତ ଜମି ବିବାଦ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।