ଭୁବନେଶ୍ବର: ନଗରାଞ୍ଚଳରେ ମୁକ୍ତା ଯୋଜନା ଅନ୍ତର୍ଗତରେ ଠିକାଦାରଙ୍କ ବିନା ହସ୍ତକ୍ଷେପରେ ୧୦ଲକ୍ଷ ଟଙ୍କା ବଜେଟ୍ ବିଶିଷ୍ଟ ବିଭିନ୍ନ ପ୍ରକାର ନିର୍ମାଣରେ ଏସଏଚ୍ଜିର ସଦସ୍ୟାମାନେ ସଂପୃକ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଏହା କାର୍ଯ୍ୟକାରୀ କରାଯାଉଛି। ମହିଳା ବାଣିଜ୍ୟ ମେଳାର ସ୍ବତନ୍ତ୍ର ଆଲୋଚକ ଭାବେ ବିଏମ୍ସି ମେୟର ସୁଲୋଚନା ଦାସ ଯୋଗ ଦେଇ କହିଛନ୍ତି, ଏସ୍ଏଚ୍ଜିର ୭୦ଲକ୍ଷ ମହିଳା ଆର୍ଥିକ, ସାମାଜିକ ଏବଂ ରାଜନୈତିକ ଭାବେ ଶକ୍ତିଶାଳୀ ହେବାରେ ଲାଗିଛନ୍ତି। ନୂତନ ପ୍ରଯୁକ୍ତି ବିଷୟରେ ଜାଣିବା ଏବଂ ନିଜ ବଜାର ବଢ଼ାଇବା ପାଇଁ ମହିଳା ବାଣିଜ୍ୟ ମେଳା ସେମାନଙ୍କୁ ଏକ ନୂତନ ସୁଯୋଗ ଦେଇଛି।
ଆଜିର ମହିଳା କେବଳ ନିର୍ଦ୍ଦିଷ୍ଟ ଗୋଟିଏ ଉଦ୍ୟୋଗରେ ସୀମିତ ନାହିଁ। ରିଅଲ୍-ଇଷ୍ଟେଟ୍ଠାରୁ ଆରମ୍ଭ କରି ହସ୍ତତନ୍ତ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଜଡ଼ିତ ଅଛନ୍ତି। ସାମାଜିକ ଓ ଆର୍ଥିକ ପରିବର୍ତ୍ତନର ବାହକ ହେଲେଣି। ସେମାନେ କେବଳ ନିଜେ ସ୍ବାବଲମ୍ବୀ ନୁହନ୍ତି, ନୂତନପିଢ଼ି ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଛନ୍ତି।
ବ୍ରାଣ୍ଡ ଅର୍ଥ ବିଶ୍ବାସ
ରାତାରାତି ବ୍ରାଣ୍ଡ ସୃଷ୍ଟି ହୁଏ ନାହିଁ। ଦୀର୍ଘ ବର୍ଷ କଠିନ ପରିଶ୍ରମ, ଗ୍ରାହକଙ୍କ ସଂପୃକ୍ତରୁ ହିଁ ବ୍ରାଣ୍ଡ ସୃଷ୍ଟି ହୁଏ। ଏହାକୁ କେହି ତିଆରି କରିପାରିବେ ନାହିଁ, ଏହା ଆପେ ଜନ୍ମ ନେଇଥାଏ। ଗୋଟିଏ ଶବ୍ଦରେ କହିବାକୁ ଗଲେ ବ୍ରାଣ୍ଡ ଅର୍ଥ ବିଶ୍ବାସ। ବ୍ରାଣ୍ଡବିଲ୍ଡିଂର ମନ୍ତ୍ର ଦେଇ ଏହା କହିଛନ୍ତି ଜ୍ୟୋତି ଗ୍ରୁପ୍ ନିର୍ଦ୍ଦେଶକ ମିନୁ ପଟ୍ଟନାୟକ, ସିଏ ରାଜୀବ ସାହୁ ଏବଂ ଯୁବ ଉଦ୍ୟୋଗୀ ସୁକୀର୍ତ୍ତି ପଟ୍ଟନାୟକ। ସୋନି ସାମିଲଙ୍କ ସଂଯୋଜନାରେ ଆୟୋଜିତ ଏହି ଅଧିବେଶନରେ ଆଲୋଚକମାନେ କହିଥିଲେ, ଭାରତ ଏଭଳି ଏକ ବଜାର, ଯେଉଁଠି ଶୀର୍ଷରେ ଥାଇ ସତ୍ୟମ କମ୍ପୁଟର୍ ଅଚାନକ ଭୁଶୁଡ଼ି ପଡ଼ିଥିଲା। କୋଭିଡ୍ ଭଳି ସ୍ଥିତି ମଧ୍ୟ କୌଣସି ବ୍ୟବସାୟକୁ ଧ୍ବସ୍ତ କରିବାକୁ ଯଥେଷ୍ଟ। ଏଠାରେ ଦୌଡ଼ିଲେ ପଡ଼ିଯିବ, ମନ୍ଥର ହେଲେ ରକ୍ଷଣଶୀଳ ହୋଇପଡ଼ିବ। ତେଣୁ ଉଦ୍ୟୋଗୀମାନଙ୍କୁ ସମନ୍ବୟ ରକ୍ଷା କରିବାକୁ ପଡ଼ିଥାଏ। ଲାଭ ସହ ଗୁଣାତ୍ମକ ମାନରେ ସମନ୍ବୟ ରକ୍ଷା କରିବାକୁ ହୁଏ। ନିଜ କର୍ମଚାରୀଙ୍କ ଯତ୍ନ ନେଲେ ହିଁ ବ୍ୟବସାୟ ସଫଳ ହୋଇପାରେ। କମ୍ପାନିର ପରିଚୟ ତିଆରି ହୁଏ।